ଅର୍ଜୁନ ସେଠୀଙ୍କ ବିୟୋଗରେ ଶୋକ

ରାଜ୍ୟ ଜଣେ ଉଚ୍ଚକୋଟୀର ନେତାଙ୍କୁ ହରାଇଲା: ମୁଖ୍ୟମନ୍ତ୍ରୀ
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ବିୟୋ‌ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ସେଠୀଙ୍କର ସଂସଦରେ ଦୀର୍ଘ ଦିନର ଅନୁଭୂତି ଥିଲା। ସେ ଜଣେ ଦକ୍ଷ ପ୍ରଶାସକ ଥିଲେ। ସାଂସଦ ଓ ବିଧାୟକ ଭାବେ ତାଙ୍କ ଲମ୍ବା କ୍ୟାରିୟର୍‌ରେ ସେ ନିଜ ଉତ୍ସର୍ଗୀକୃତ ସେବା ପାଇଁ ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ତାଙ୍କ ପରଲୋକରେ ଓଡ଼ିଶା ଜଣେ ଉଚ୍ଚକୋଟୀର ନେତାଙ୍କୁୁ ହରାଇଲା। ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି।

ଓଡ଼ିଶାର ରାଜନୈତିକ କ୍ଷେତ୍ର ପାଇଁ ଅପୂରଣୀୟ କ୍ଷତି : ଧର୍ମେନ୍ଦ୍ର
ଅର୍ଜୁନ ସେଠୀଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନକୁ ଦୀର୍ଘ ବର୍ଷ ଧରି ପ୍ରଭାବିତ କରିଥିବା ‌ଶ୍ରୀ ସେଠୀଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଶାର ରାଜନୈତିକ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।

ଜଣେ ବାସ୍ତବବାଦୀ ନେତା ଥିଲେ : ନିରଞ୍ଜନ
ଅର୍ଜୁନ ସେଠୀଙ୍କ ବିୟୋଗରେ ଶୋକ ପ୍ରକାଶ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ସେଠୀ ଜଣେ ଜନପ୍ରିୟ ଓ ବାସ୍ତବବାଦୀ ନେତା ଥିଲେ। ତାଙ୍କର ବାସ୍ତବବାଦୀ ଚିନ୍ତାଧାରା କେବଳ ତାଙ୍କ ନିର୍ବାଚନମଣ୍ଡଳୀ ନୁହେଁ, ସମଗ୍ର ରାଜ୍ୟରେ ପ୍ରଭାବ ପକାଇଥିଲା। ବ୍ୟକ୍ତିଗତ ଭାବେ ସେ ମୋର ବନ୍ଧୁ ଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ଘଟିଛି।

ରାଜ୍ୟ ଜଣେ ବରିଷ୍ଠ ଜନନେତାଙ୍କୁ ହରାଇଲା : ସଞ୍ଜୟ
ଅର୍ଜୁନ ସେଠୀଙ୍କ ପରଲୋକରେ ରାଜ୍ୟ ଜଣେ ବରିଷ୍ଠ ଜନନେତାଙ୍କୁ ହରାଇଲା ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି। ଶୋକବାର୍ତ୍ତାରେ ଶ୍ରୀ ଦାସବର୍ମା କହିଛନ୍ତି ଯେ ଲମ୍ବା ସମୟ ଧରି ଓଡ଼ିଶାର ଅଣକଂଗ୍ରେସ ରାଜନୀତିରେ ସ୍ବର୍ଗତ ସେଠୀ ଜଣେ ଲୋକପ୍ରିୟ ନେତା ଥିଲେ। କେନ୍ଦ୍ରରେ ଜଳସମ୍ପଦ ମନ୍ତ୍ରୀ ଭାବେ ତାଙ୍କ ଉଲ୍ଲେଖନୀୟ ଯୋଗଦାନକୁ ଓଡ଼ିଶାବାସୀ ସବୁଦି‌ନ ପାଇଁ ମନେ ରଖିବେ।

ଅପୂରଣୀୟ କ୍ଷତି : ବିଜେପି
ଅର୍ଜୁନ ସେଠୀଙ୍କ ବିୟୋଗରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶାର ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ହେଲା ବୋଲି ଉଭୟ କହିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି।

‌‌ବୈଜୟନ୍ତ ପଣ୍ଡାଙ୍କ ଶୋକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ବିୟୋ‌ଗରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଦକ୍ଷ ସଂଗଠକ ଥିଲେ ଏବଂ ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ଶ୍ରୀ ପଣ୍ଡା ଶୋକବାର୍ତ୍ତାରେ କହିଛନ୍ତି। ଶ୍ରୀ ପଣ୍ଡା ଏହି ଦୁଃଖଦ ପରିସ୍ଥିତିରେ ତାଙ୍କ ପରିବାରଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସମ୍ବନ୍ଧିତ ଖବର