ଜନ୍ମମାଟିରେ ଗଂଗାଧରଙ୍କୁ ‘ସମ୍ବାଦ’ର ଶ୍ରଦ୍ଧାଞ୍ଜଳି : ଗଂଗାଧରଙ୍କ କୃତି ଅନୁବାଦ ହେଲେ ବିଶ୍ୱବାସୀଙ୍କୁ ଉଦ୍‌ବୁଦ୍ଧ କରିବ

ବରପାଲି : ଗଂଗାଧରଙ୍କ ସାହିତ୍ୟ କାଳଜୟୀ ଏବଂ ମାନବବାଦୀ ଚେତନାରେ ସମୃଦ୍ଧ। ଏହାର ସର୍ବକାଳୀନ ପ୍ରାସଂଗିକତା ରହିଛି। ସାଂପ୍ରତିକ ପରିପ୍ରେକ୍ଷୀରେ ତାଙ୍କର ସାହିତ୍ୟ କୃତୀ ଗୁଡ଼ିକୁ ଅନ୍ୟାନ୍ୟ ଭାରତୀୟ ଏବଂ ବିଦେଶୀ ଭାଷାରେ ଅନୁବାଦ କରାଯାଇ ପାରିଲେ, ଏହା ବିଶ୍ୱ ସମୁଦାୟକୁ ଅଧିକ ଉଦ୍‌ବୁଦ୍ଧ କରିପାରିବ ବୋଲି ବିଶିଷ୍ଟ ବକ୍ତମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ କବିଙ୍କ ଜନ୍ମପୀଠ ବରପାଲି ଠାରେ ଅନୁଷ୍ଠିତ ‘ ଓଡ଼ିଆ ଅସ୍ମିତାର ଅନନ୍ୟ ଶ୍ରାବଣ’ ସମାରୋହରେ ଯୋଗଦେଇ ବକ୍ତମାନେ କହିଛନ୍ତି ଯେ, ସ୍ୱଭାବ କବିଙ୍କ ସାହିତ୍ୟ ନିଜସ୍ୱ ପ୍ରତିଭାରେ ପ୍ରତିଭାବାନ। ଗଂଗାଧର ନିଜେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ସେ କାହା ସହ ତୁଳନୀୟ ନୁହନ୍ତି, ସେ ନିଜେ ହିଁ ଗୋଟିଏ ସ୍ତର । ଏଭଳି ମହାନ କବିଙ୍କୁ କୌଣସି ସୀମାସରହଦରେ ଆବଦ୍ଧ କରି ହେବନାହିଁ। କାରଣ ତାଙ୍କ କାବ୍ୟ କବିତାରେ ସମଗ୍ର ମାନବ ଜାତିକୁ ସଂକଟରୁ ଉଦ୍ଧାର କରିବା ଭଳି ଉପାଦାନ ରହିଛି।

ଗଂଗାଧର ମେହେର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ସାହିିତ୍ୟିକ ଦାଶ ବେନ୍‌ହୁର ନିଜ ବକ୍ତବ୍ୟରେ କହିଥିଲେ ସାହିତ୍ୟ ସମାଜ ପାଇଁ ଉପକାରୀ ହେଲେ ହିଁ ତିଷ୍ଠି ରହିଥାଏ। ଏହା ଗଂଗାଧରଙ୍କ ସାହିତ୍ୟରେ ଦେଖିବାକୁ ମିଳେ। କୋଠାବାଡ଼ି କିମ୍ବା ରାସ୍ତାଘାଟ ଅସଲ ବିକାଶର ଚିତ୍ର ନୁହଁ। ମଣିଷ ଖୁସି ନଥିଲେ ସେ ବିକଶିତ ବୋଲି କହି ହେବନାହିଁ। ଯେଉଁ ବ୍ୟକ୍ତି ସମାଜକୁ ଯେତେ ବେଶୀ ଦେଇଛି, ତାହାକୁ ସମ୍ଭ୍ରାନ୍ତ ବୋଲି କୁହାଯାଇ ପାରିବ। ଗଂଗାଧରଙ୍କ ଭଳି କବି ଥିଲେ ବୋଲି ଆମକୁ ଜଣେ ଓଡ଼ିଆ ବୋଲି ପରିଚୟ ମିଳିଛି। ତେଣୁ ଆମେ ତାଙ୍କ ପାଖେ ଚିର ଋଣୀ ବୋଲି ଶ୍ରୀ ବେନହୁର ମତ ରଖିଥିଲେ।

ମୁଖ୍ୟବକ୍ତା ଅଧ୍ୟାପକ ଡ. ପ୍ରଦୀପ ହୋତା ନିଜ ବକ୍ତବ୍ୟରେ ସାହିତ୍ୟ ଓ ସମାଜ ମଧ୍ୟରେ ଥିବା ସଂପର୍କ ଉପରେ ଆଲୋକପାତ କରିଥିଲେ।

ସଭାର ସଭାପତି ପ୍ରାଧ୍ୟାପକ ଡ. ମଣୀନ୍ଦ୍ର ମେହେର ନିଜ ସଂକ୍ଷିପ୍ତ ଅଭିଭାଷଣରେ ‘ତପସ୍ୱିନୀ’କୁ କେବଳ ମାତ୍ର ଏକ କାବ୍ୟ ନୁହେଁ, ଏହା ଏକ ମହୌଷଧି ବୋଲି ବର୍ଣ୍ଣନା କରିଥିଲେ।

ଏହିି ଅବସରରେ ବୃନ୍ଦାବନ ବିହାରୀ ଦାଶଙ୍କ ଲିଖିତ ‘ଭକ୍ତକବି କୃଷ୍ଣକର ସାହିତ୍ୟ: ଏକ ସଂକ୍ଷିପ୍ତ ପରିଚୟ’ ଏବଂ ଡ. ଶୁକମୁନି ମେହେରଙ୍କ ସଂପାଦିତ ‘ଗଂଗାଧର ସ୍ମରଣିକା’ ଉନ୍ମୋଚନ ହୋଇଥିଲା। ‘ସମ୍ବାଦ’ ପଶ୍ଚିମ ଓଡ଼ିଶା ସଂସ୍କରଣ ଉପମହାପ୍ରବନ୍ଧକ (ବାର୍ତା) ଦେବେନ୍ଦ୍ର ସାମନ୍ତରାୟ ସ୍ୱାଗତ ଭାଷଣ, ସଂପାଦନା ବିଭାଗ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା ଅତିଥି ପରିଚୟ, ବରଗଡ଼ ଜିଲ୍ଲା ପ୍ରତିନିଧି ଅଞ୍ଜନ ପ୍ରଧାନ ଅତିଥିଙ୍କୁ ମଂଚ ଆବାହନ କରିଥିଲେ।

ସମ୍ବନ୍ଧିତ ଖବର