ଟ୍ୟାକ୍ସ ଫାଙ୍କି ଓ ବିଭିନ୍ନ ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣେ ଟ୍ରକ୍‌ ମାଲିକଙ୍କୁ ସାଢ଼େ ୬ ଲକ୍ଷ ଫାଇନ୍‌

ନୂଆ ଆଇନ୍‌ ପୂର୍ବରୁ ହୋଇଥିଲା, କେମିତି ହିସାବ ହେଲା ୬ ଲକ୍ଷ ୪୦ ହଜାର

ସମ୍ବଲପୁର : ଟ୍ୟାକ୍ସ ଫାଙ୍କି ଓ ବିଭିନ୍ନ ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣେ ଟ୍ରକ୍‌ ମାଲିକଙ୍କୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କାର ଚାଲାନ୍‌ କାଟିଛି ସମ୍ବଲପୁର ପରିବହନ ବିଭାଗ। ତେବେ ଏହି ଘଟଣା ଗତ ଅଗଷ୍ଟ ୧୦ ତାରିଖର। ଅର୍ଥାତ ବର୍ତ୍ତମାନ ଚର୍ଚ୍ଚାରେ ଥିବା ସଂଶୋଧିତ ମୋଟର ଯାନ ଆଇନ୍‌ ଆସିବା ପୂର୍ବରୁ। କିନ୍ତୁ ଉକ୍ତ ଜରିମାନାର ଚାଲାଣ ଶୁକ୍ରବାରଠୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଉକ୍ତ ୬ ଲକ୍ଷ ୫୩ ହଜାରରୁ ୬ ଲକ୍ଷ ୪୦ ହଜାର ୫୦୦ ଟଙ୍କା କେବଳ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଟିକସ୍ ଫାଙ୍କି ଅଭିଯୋଗରେ ଓଡ଼ିଶା ମୋଟର ଯାନ ଟିକସ ବାବଦକୁ ଲଗା ଯାଇଛି। ବାକି ୧୨ ହଜାର ୬୦୦ ଟଙ୍କା ହିଁ ବିଭିନ୍ନ ନିୟମ ଉଲ୍ଲଂଘନ ଅଭିଯୋଗରେ ଜରିମାନା ଲଗା ଯାଇଛି। ତନ୍ମଧ୍ୟରେ ସାଧାରଣ ଅପରାଧ ବାବଦରେ ୧୦୦ ଟଙ୍କା, ଆଦେଶ ଅବମାନନା/ଅବରୋଧ ବାବଦକୁ ୫୦୦ ଟଙ୍କା, ଧ୍ବନି ପ୍ରଦୂଷଣ ବାବଦକୁ ୧ ହଜାର ଟଙ୍କା, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ପାଇଁ ୫ ହଜାର ଟଙ୍କା, ବିନା ପର୍‌ମିଟରେ ଗାଡ଼ି ଚଳାଇବା କାରଣରୁ ୫ ହଜାର ଟଙ୍କା, ଇନ୍‌ସ୍ୟୁରାନ୍‌ସ ନଥିବାରୁ ୧ ହଜାର ଟଙ୍କା ତଥା ଓଏମ୍‌ଭିଟି-୩ ବାବଦକୁ ୬,୪୦,୫୦୦ ଟଙ୍କା ଜରିମାନା କରାଯାଇଛି। ଜରିମାନା ହୋଇଥିବା ଏନ୍‌ଏଲ୍‌୦୮ଡି୭୦୭୯ ନମ୍ବର ବିଶିଷ୍ଟ ଟ୍ରକ୍‌ର ମାଲିକ ହେଉଛନ୍ତି ନାଗାଲାଣ୍ଡ ଫେକ୍‌ ଟାଉନ୍‌ର ଶୈଳେଶ ଶଂକର ଲାଲ ଗୁପ୍ତା।‌ ସେହିପରି ଗାଡ଼ିଟିକୁ ଝାରସୁଗୁଡ଼ା ଲଇକେରା ଥାନା ଅନ୍ତର୍ଗତ କୁଜମାଲ ଗାଁର ଡ୍ରାଇଭର ଦିଲୀପ କାରିଆ ଚଳାଉ ଥିଲେ। ଟ୍ରକ୍‌ ଡ୍ରାଇଭର ଜଣକ କୌଣସି ଅସ୍ଥାୟୀ ପର୍‌ମିଟ ଦେଖାଇ ପାରି ନଥିବାରୁ ଓଡ଼ିଶାରେ ହିଁ ଟ୍ରକ୍‌ଟି ଚଳାଚଳ କରୁଥିବା ଧରା ଯାଇଥିଲା। ତେଣୁ ଟ୍ରକ୍‌ର ପଞ୍ଜୀକରଣ ତାରିଖ ୨୧-୭-୨୦୧୪ରୁ ଜରିମାନା ସହିତ ତିନିଗୁଣା ଟିକସ୍‌ ଲାଗୁ କରା ଯାଇଥିବା ଜଣା ପଡ଼ିଛି। ସମ୍ବଲପୁର ପରିବହନ କାର୍ଯ୍ୟାଳୟର ଜଣେ କନିଷ୍ଠଏମ୍‌ଭିଆଇ ଏହି ଚାଲାଣ କାଟିଥିଲେ। ଗାଡ଼ି ମାଲିକ ଏପର୍ଯ୍ୟନ୍ତ ଜରିମାନା ଭରି ନଥିବାବେଳେ ଜବତ ହୋଇଥିବା ଟ୍ରକ୍‌ଟି ଆଜି ଯାଏଁ ପରିବହନ ବିଭାଗର ହେପାଜତରେ ରହିଛି।

କେମିତି ହିସାବ ହେଲା ୬ ଲକ୍ଷ ୪୦ ହଜାର

ସମ୍ବଲପୁର : ଟ୍ରକ୍‌ଟିକୁ ହୋଇଥିବା ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜରିମାନାରୁ କେବଳ ଟିକସ ବାବଦକୁ ହୋଇଛି ୬ ଲକ୍ଷ ୪୦ ହଜାର ୫୦୦ ଟଙ୍କା। ଏତେ ଟଙ୍କା କେମିତି ହେଲା ସେନେଇ ଏବେ ସବୁ ଆଡ଼େ ଚର୍ଚ୍ଚା। ତେବେ ତାର ହିସାବ ଦେଇଛି ଜିଲ୍ଲା ପରିବହନ କାର୍ଯ୍ୟାଳୟ। ସାଧାରଣତଃ ଗାଡ଼ି ଗୁଡ଼ିକୁ ବର୍ଷର ୪ଟି କ୍ବାର୍ଟରରେ ଟିକସ ଭରିବାକୁ ପଡ଼ିଥାଏ। କିନ୍ତୁ କୌଣସି କ୍ବାର୍ଟରର ଟିକସ୍ ଭରିବାରେ ବିଳମ୍ବ ହେଲେ ଏହା ଉପରେ ଜରିମାନା ଆଦାୟ ହୋଇଥାଏ। କୌଣସି କ୍ବାର୍ଟର୍‌ର ଟିକସ ୨ ମାସରୁ ଅଧିକ ବିଳମ୍ବ ହେଲେ ତା’ ଉପରେ ୨୦୦% ଜରିମାନା ଲାଗୁ ହୋଇଥାଏ। ତେଣୁ ୨୦୧୪ ଜୁଲାଇ ୨୧ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଟ୍ରକ୍‌ଟିର ୨୦ଟି କ୍ବାର୍ଟର ହେଉଥିଲାବେଳେ ଗୋଟିଏ ଚଳନ୍ତି କ୍ବାର୍ଟର ଥିଲା। ଟ୍ରକ୍‌ର ଗୋଟିଏ କ୍ବାର୍ଟର୍‌ର ଟିକସ୍‌ ୧୦,୫୦୦ ଟଙ୍କା ହୋଇଥିଲାବେଳେ ୨୦ଟି କ୍ବାର୍ଟରର ହେଉଥିଲା ୨ ଲକ୍ଷ ୧୦ ହଜାର ଟଙ୍କା। ଏହା ଉପରେ ୨୦୦% ଫାଇନ ବାବଦକୁ ୪ ଲକ୍ଷ ୨୦ ହଜାର ଟଙ୍କା। ଏହାଛଡ଼ା ଚଳନ୍ତି କ୍ବାର୍ଟରର ଟିକସ ବାବଦକୁ ୧୦,୫୦୦ ଟଙ୍କା। ଏ ସବୁକୁ ମିଶାଇ ୬ ଲକ୍ଷ ୪୦ ହଜାର ୧୦୦ ଟଙ୍କା ଟିକସ୍‌ ବାବଦକୁ ଚାଲାଣ କରା ଯାଇଥିଲା ବୋଲି ପରିବହନ କାର୍ଯ୍ୟାଳୟ ସୂତ୍ରରୁ ଜଣା ପଡ଼ିଛି। ତେବେ ସଂ‌େଶାଧିତ ପରିବହନ ଆଇନ୍‌ ଆସିବା ପୂର୍ବରୁ ପୁରୁଣା ଦରରେ ଏହି ଚାଲାଣ କଟିଥିବାବେଳେ ନୂଆ ଦରରେ ଏହା ଆହୁରି ଅଧିକ ହୋଇଥାନ୍ତା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର