ଥାନାରେ ହତ୍ୟା ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ: ପାଇଖାନା ଦୁଲା ଭାଙ୍ଗି ଗୁରୁତର, ଏମ୍‌କେସିଜିରେ ଭର୍ତ୍ତି

ବ୍ରହ୍ମପୁର/ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନାରେ ଅଟକ ଥିବା ଜଣେ ହତ୍ୟା ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପୁଡ଼ାମାରି ଗ୍ରାମର ଶିବ ପାତ୍ର। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପାଟପୁର ଥାନା ଅଧିକାରୀ ରମେଶ ପ୍ରଧାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ରେ ପୁଡାମାରି ଗ୍ରାମରେ ଏ.ସାବିତ୍ରୀ ନାମ୍ନୀ ଜଣେ ମହିଳା ୭୦ ହଜାର ଟଙ୍କା ଧରି ‌ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଡାମାରି ଗ୍ରାମର ଶିବ ପାତ୍ରଙ୍କ ଉପରେ ପୁଲିସ ସନ୍ଦେହ କରିଥିଲା। ହତ୍ୟାକାଣ୍ଡ ପରଠାରୁ ଶିବ ଚେନ୍ନାଇରେ ରହୁଥିଲେ। ଶିବ ଗ୍ରାମକୁ ଆସିଥିବା ଖବର ପାଇ ପୁଲିସ ଗତକାଲି ତାଙ୍କୁ ପଚରାଉଚରା ପାଇଁ ଥାନାକୁ ଆଣିଥିଲା। ସାବିତ୍ରୀ ଶିବଙ୍କ ଦୂର ସମ୍ପର୍କୀୟ। ସାବିତ୍ରୀଙ୍କୁ ହତ୍ୟା କରିଥିବା ନେଇ ପୁଲିସ ନିକଟରେ ଶିବ ସ୍ବୀକାର କରିଛି ବୋଲି ପାଟପୁର ଥାନା ଅଧିକାରୀ କହିଛନ୍ତି। ଆଜି ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ଶିବ ଶୌଚ ଯିବାକୁ କହି ପାଇଖାନା ଯାଇଥିଲେ ଏବଂ ସେଠାରେ ଥିବା କାଠ ଦୁଲାରେ ଗାମୁଛା ଲଗାଇ ଝୁଲି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କାଠ ଦୁଲାଟି ଭାଙ୍ଗିଯିବାରୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଶିବ ଥାନାରେ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଗତକାଲି ତାଙ୍କୁ ଆଣିଥିବା କହୁଥିବା ବେଳେ ୩ରୁ ୪ଦିନ ତଳେ ଆଣି ଅଟକ ରଖି ପଚରାଉଚରା କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର