ହତ୍ୟା ପରେ ଆଖିତାଡ଼ି ପୋତିଦେଲେ, ଭିଣୋଇ ହତ୍ୟା ଘଟଣାରେ ୨ ଶାଳକ ଅଟକ

ଯୋଡା : କେନ୍ଦୁଝରର ଯୋଡ଼ା ସହରର ଆଜାଦବସ୍ତିରେ ଗତକାଲି ବିଳମ୍ବିତ ରାତ୍ରିରେ ଜଘନ୍ୟ ହତ୍ୟାକାଣ୍ତ ଘଟିଛି। ନିଜ ଭିଣୋଇକୁ ଶଳାମାନେ ନିର୍ମମ ଭାବରେ ହତ୍ୟା କରିବା ପରେ ଆଖିତାଡ଼ି ପୋତି ଦେଇଛନ୍ତି। ଏହି ଘଟଣାରେ ପୁଲିସ ଦୁଇ ଶଳାଙ୍କୁ ଅଟକ ରଖିଥିବା ବେଳେ ଶବକୁ ମାଟିତଳୁ ଖୋଳି ବାହାର କରିଛି। ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ରକୁ ପୁଲିସ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜାଦବସ୍ତିରେ ରୁହନ୍ତି କାଳିଚରଣ ମାଝୀ ଓରଫ କାଣ୍ଡେ(୩୬)। କାଣ୍ଡେ ଓ ତାଙ୍କ ସ୍ତ୍ରୀ ସୁକୁମାରୀ ମାଝୀଙ୍କ ସହିତ ଦୀର୍ଘଦିନରୁ ପାରିବାରିକ କଳହ ଲାଗି ରହିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ଦୁଇ ଶାଳକ ଅନ୍ୟ କେତେକ ଦୁର୍ବୃତ୍ତଙ୍କ ସହ ମିଶି ଗତକାଲି ବିଳମ୍ବିତ ରାତିରେ କାଣ୍ଡେଙ୍କ ଘରେ ପଶି ନିର୍ମମ ଭାବେ ହତ୍ୟା କରିଥିଲେ। ସେମାନେ ଫାର୍ସା, ଲୁହାରଡ୍‌ରେ କାଣ୍ଡେଙ୍କୁ ଆକ୍ରମଣ କରିଥିଲେ। ହତ୍ୟା କରିବା ପରେ ମଧ୍ୟ ସେମାନଙ୍କ ରାଗ ଶାନ୍ତ ପଡ଼ିନଥିଲା। କାଣ୍ଡେଙ୍କ ଆଖିକୁ ତାଡ଼ି ଦେଇଥିଲେ ଏବଂ ଗୋଡ଼କୁ ହାଣି ଦେଇଥିଲେ। ରାତାରାତି କାଣ୍ଡେଙ୍କ ମୃତଦେହକୁ ନେଇ ପୂର୍ବ ଯୋଡ଼ା ଏଫ୍ଏ‌ପି କଲୋନି ନିକଟ ସୁନାନଦୀ କୂଳରେ ଖାଲ କରି ପୋତି ଦେଇଥିଲେ।

ମୃତ କାଣ୍ଡେଙ୍କ ମାଆ ସୁଗି ମାଝୀ ସୋମବାର ଏନେଇ ଯୋଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଯୋଡ଼ା ଥାନା ଅଧିକାରୀ ପଦ୍ମାଳୟା ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ବଡବିଲ ତହସିଲର ଅତିରିକ୍ତ ମାଜିଷ୍ଟ୍ରେଟ ଲଳିତ କୁମାର ନାଏକ ଓ ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ମାଟି ଖୋଳି ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଯୋଡ଼ା ପୁଲିସ କେସନମ୍ବର ୮୦/୨୧ରେ ହତ୍ୟା ମାମଲା ରୁଜୁ କରି ଆଜାଦବସ୍ତିର ଦୁଇ ଶାଳକ ରାମ ମାଝୀ ଓ ଦିଗମ୍ବର ମାଝୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ‌କେଉଁ ଦୁର୍ବୃତ୍ତମାନେ ଏଥିରେ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ କରୁଛି ପୁଲିସ। ଯଦି କେହି ସଂପୃକ୍ତ ଥିବେ, ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପୁଲିସ କହିଛି। ଅନ୍ୟପଟେ ହତ୍ୟାରେ ବ୍ୟବହୃତ ଫାର୍ସା ଓ ଲୁହାରଡ୍କୁ‌ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର