୨ଦିନ ପରେ ରାଜ୍ୟରେ ସାମାନ୍ୟ ବଢ଼ିଲା ସଂକ୍ରମଣ

୩୪୫୬ ପଜିଟିଭ୍, ୪୬ ମୃତ, ସଂକ୍ରମଣ ପୁଣି ୫% ଡେଇଁଲା

ଭୁବନେଶ୍ବର : ଦୁଇଦିନ ଧରି ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ହ୍ରାସ ପରେ ପୁଣି ଥରେ ସାମାନ୍ୟ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୫,୮୪୫ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରେ ୩୪୫୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ସଂଖ୍ୟା ବଢ଼ିବା ସହିତ ରାଜ୍ୟରେ ସଂକ୍ରମଣ ହାର ମଧ୍ୟ ପୁଣିଥରେ ୫ ପ୍ରତିଶତ ଡେଇଁ ଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ସଂକ୍ରମଣ ହାର ୫.୨୫ ପ୍ରତିଶତ ରେକର୍ଡ କରାଯାଇଛି। ପଜିଟିଭ୍ ସଂଖ୍ୟା ବଢ଼ିବା ପଛରେ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା ହୋଇଥିବା କୁହାଯାଉଛି। ଗତ ୨୨ତାରିଖରେ ୭୫ଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ୩ହଜାର ତଳକୁ ଖସି ଆସିଥିଲା।

ରାଜ୍ୟରେ ଏବେ କରୋନା ପାଇଁ ଲାଗିଥିବା କଟକଣାକୁ ରାଜ୍ୟ ସରକାର ସାମାନ୍ୟ କୋହଳ କରିଛନ୍ତି। ଯାହାଫଳରେ ପୁଣିଥରେ ରାସ୍ତାଘାଟରେ ଗହଳି ନଜରକୁ ଆସିଲାଣି। ଏହାସହ ଏବେ ବର୍ଷାଦିନ ଆରମ୍ଭ ହୋଇଯାଇଥିବାରୁ ସାଧାରଣ ଭାବେ ଥଣ୍ଡା, ଜ୍ବର ନଜରକୁ ଆସିଥାଏ। ଏ ଦୃଷ୍ଟିରୁ ରାଜ୍ୟ ସରକାର ସଂକ୍ରମଣ ଶୀର୍ଷରେ ରହିଥିବା ସମୟରେ ହେଉଥିବା ପରୀକ୍ଷାକୁ ଜାରି ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି ଯେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ କିଛି ଲୋକ କୋଭିଡ୍‌ ନିୟମର ଉଲ୍ଲଂଘନ କରୁଥିବା ନଜରକୁ ଆସୁଛି। ମହାମାରୀ ଚାଲି ଯାଇଛି ବୋଲି ସେମାନେ ଭାବିବାକୁ ଆରମ୍ଭ କରିଛନ୍ତି। ଯାହାକି ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ତେଣୁ ତୃତୀୟ ଲହରକୁ ଏଡ଼ାଇବାକୁ ହେଲେ ଲୋକମାନେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଅପରପକ୍ଷରେ ଡେଲ୍‌ଟା ପ୍ଲସ୍ ଭାରିଏଣ୍ଟକୁ ନେଇ ହେଉଥିବା ଚର୍ଚା ସଂପର୍କରେ ଡା. ମହାନ୍ତି କହିଛନ୍ତି ଯେ କିଛି ରାଜ୍ୟରେ ଏ ପର୍ଯ୍ୟନ୍ତ ୨୨ଟି ଏହି ଭାରିଏଣ୍ଟ ନଜରକୁ ଆସିଛି। ଡେଲ୍‌ଟା ପ୍ଲସ୍ ଭାରିଏଣ୍ଟକୁ ନେଇ ସବୁ ସ୍ତରରେ ଅନୁଧ୍ୟାନ ଜାରି ରହିଛି। ଏହା ମ୍ୟୁଟେସନ୍‌ କେତେ ପରିମାଣରେ ସଂକ୍ରମଣ କରିବାରେ ସକ୍ଷମ ଓ ଟିକା ନେଇଥିବା ଲୋକଙ୍କ ଉପରେ ଏହାର କିଭଳି ପ୍ରଭାବ ରହିବ ତାହା ଉପରେ ଗବେଷଣା ଜାରି ରହିଛି। ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ରହିଥିବା ସେ ସୂଚନା ଦେଇଛନ୍ତି।

ସେହିପରି ଗତ ୯ଦିନର ବ୍ୟବଧାନ ପରେ ପୁଣିଥରେ ରାଜ୍ୟରେ ୪୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଧାରେ ସର୍ବାଧିକ ୭ଜଣ ରହିଛନ୍ତି। ଏହାସହ ବରଗଡ଼, କଟକ, ପୁରୀରେ ୫ଜଣ ଲେଖାଏଁ, ଝାରସୁଗୁଡ଼ା, ସମ୍ବଲପୁରରେ ୪ଜଣ ଲେଖାଏଁ, ଜଗତସିଂହପୁର, ସୁନ୍ଦରଗଡ଼ରେ ୩ ଲେଖାଏଁ, ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜରେ ୨ଜଣ ଲେଖାଏଁ, ସୁବର୍ଣ୍ଣପୁର, କୋରାପୁଟ, କେନ୍ଦ୍ରାପଡ଼ା, କନ୍ଧମାଳରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ୩୭୧୭କୁ ବୃଦ୍ଧି ପାଇଛି। ଦ୍ବିତୀୟ ଲହରରେ ଏ ପର୍ଯ୍ୟନ୍ତ ୧୮୪୧ଜଣଙ୍କର ସରକାରୀ ଭାବେ କରୋନାରେ ମୃତ୍ୟୁ ହୋଇଛି।

ଖୋର୍ଧା ଜିଲ୍ଲାରେ ପୁଣି ସଂକ୍ରମଣ ବଢ଼ିଛି। ଜିଲ୍ଲାରୁ ୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୪୮୦, ପୁରୀ ୨୮୯, ଯାଜପୁର ୨୬୭, ଭଦ୍ରକ ୧୯୪, ମୟୂରଭଞ୍ଜ ୧୮୦, ବାଲେଶ୍ବର ୧୭୪, କେନ୍ଦ୍ରାପଡ଼ା ୧୪୭, ନୟାଗଡ଼ ୧୨୬, ଅନୁଗୁଳ ୧୧୮, ଷ୍ଟେଟ୍‌ ପୁଲରୁ ୮୨ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୮ଲକ୍ଷ ୮୬ହଜାର ୯୪୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୪୦୫୨ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୦,୧୬୪କୁ ଖସି ଆସିଛି। ତେବେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହିବା କାରଣରୁ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୫୩ହଜାର ୦୧୨କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର