ବିଦ୍ୟୁତ ସଂସ୍ପର୍ଶରେ ଆସି ୨ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ସେମିଳିଗୁଡା : କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ ଦାମନଯୋଡି ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ନାଳରେ ଟିପ୍ପର ଧୋଇବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗାଡି ହେଲପରଙ୍କ ମୃତ୍ୟୁ ଘଟିଛି। ହେଲପରଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଯୁବକଙ୍କ ମଧ୍ୟ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଏହାପରେ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। କ୍ଷତିପୂରଣ ମିଳିବା ପରେ ରାସ୍ତାରୋକ ହଟିଥିଲା। ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ପଠାଇଛି।

ସୂଚ‌ନା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏକ ଟିପ୍ପର (ଓଡି ୧୦ଏଫ୍ ୮୯୫୫)କୁ ହେଲପର କୋଡିଗାଁ ଗ୍ରାମର ଲକ୍ଷ୍ମଣ ଜାନୀ ଦାମନଯୋଡି ଛକ ନାଳରେ ଧୋଉଥିଲେ। ଏହି ସମୟରେ ଟିପ୍ପରର ପଛ ଅଂଶ ଉପରକୁ ଉଠିଯାଇ ନାଳ ଦେଇ ଯାଇଥିବା ୩୩୦କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଗାଡି ଧୋଉଥିବା ହେଲପର ଲକ୍ଷ୍ମଣ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଏହା ଦେଖି ନିକଟରେ ବାଇକ୍ ଧୋଉଥିବା ରାଣୀକଣା ଗ୍ରାମର ରଘୁନାଥ ଦିଶାରୀ ଲକ୍ଷ୍ମଣଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। କିନ୍ତୁ ବିଦ୍ୟୁତ ଆଘାତରେ ଉଭୟ ଲକ୍ଷ୍ମଣ ଓ ରଘୁନାଥଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପାଇବା ପରେ ମୃତ ଲକ୍ଷ୍ମଣ ଓ ରଘୁନାଥଙ୍କ ପରିବାର ଲୋକ ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଲୋ‌େକ ଦାମନଯୋଡି ଛକରେ ରାସ୍ତାରୋକ କରିଥିଲେ। ଏଥିଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିବାରୁ ଯାତ୍ରୀ ମାନେ ବହୁ ହଇରାଣ ହୋଇଥିଲେ।

ଖବର ପାଇ ଡିଏସପି କିଶୋର ଚନ୍ଦ୍ର ଦାଶ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ସେହିପରି ପଟାଙ୍ଗି ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ସାଉଥ୍‌କୋ ଏସଡିଓ ସଂଗ୍ରାମ ପଟ୍ଟନାୟକ, ତହସିଲଦାର ଶରତ ମାଝୀ ଓ ସୁନାବେଡା ଥାନା ଅଧିକାରୀ ମମତା ପାଣିଗ୍ରାହୀ ଆଲୋଚନା ସମୟରେ ଉପସ୍ଥିତ ଥିଲେ। କ୍ଷତିପୂରଣ ବାବଦକୁ ଟିପ୍ପର ମାଲିକ ଉଭୟ ପରିବାରକୁ ୧ଲକ୍ଷ ୨୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ସହ ବିଦ୍ୟୁତ ବିଭାଗ ଓ ରେଡକ୍ରସ ପକ୍ଷରୁ ୧୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ପରେ ସଂଧ୍ୟା ପ୍ରାୟ ୬ଟାରେ ରାସ୍ତାରୋକ ହଟିଥିଲା। ଏହାପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ପଠାଇଥିଲା।

ସମ୍ବନ୍ଧିତ ଖବର