୩ ଆନ୍ତଃରାଜ୍ୟ ଲୁଟେରା ଗିରଫ : ଭୁଜାଲି, ୨୬ ହଜାର ଟଙ୍କା, ମୋଟର ସାଇକେଲ ଓ ମୋବାଇଲ ଜବତ

ଟାର୍ଗେଟରେ ଥିଲେ ଫାଇନାନ୍ସ କର୍ମଚାରୀ

ଜୟପୁର : ଜୟପୁର ସଦର ଥାନା ପୁଲିସ ଆଜି ୩ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଳାଗୁଡା ଗାଁର ଦେବ ଗରଡା (୨୫), ମନୋଜ କନ୍ଧପାଣ (୨୩) ଓ ଗ୍ୟାଙ୍ଗର ମୁଖ୍ୟ ଅନିକ୍ ଖରା (୨୪) ଓରଫ ବୁଟି। ଏମାନଙ୍କୁ ଗତକାଲି ଗିରଫ କରାଯାଇଥିଲା ବୋଲି ଆଇଆଇସି କୈଳାସ ଚନ୍ଦ୍ର ସେଠୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେହିପରି ଗୋଟିଏ ଭୁଜାଲି, ୨୬ ହଜାର ଟଙ୍କା, ଟିଭିଏସ ଷ୍ଟାର ସିଟି ମୋଟର ସାଇକେଲ, ମୋବାଇଲ ଓ ଟାବଲେଟ୍ ଆଦି ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଗତମାସ ୨୮ ତାରିଖରେ ଏକ ଫାଇନାନ୍ସ କମ୍ପାନି କର୍ମଚାରୀ ତାରେଶ୍ବର ଖେମୁଣ୍ଡୁ ପଣସପୁଟ ଆଡ଼ୁ ଜୟପୁରକୁ ଆସୁଥିବା ବେଳେ ଏହି ୩ ଜଣ ରାସ୍ତାରେ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ୧ ଲକ୍ଷ ୪ ହଜାର ଟଙ୍କା ସହ ମୋବାଇଲ, ଟାବ୍ ଓ କାଗଜ ପତ୍ର ଇତ୍ୟାଦି ନେଇ ଫେରାର ହୋଇ ଯାଇଥିଲେ। ଏହି ଘଟଣାରେ ବୁଟି ୫୦ ହଜାର, ଦେବ ଓ ମନୋଜ ୨୫ ହଜାର ଲେଖାଏଁ ଟଙ୍କା ନେଇ ଥିବା ବେଳେ ସେମାନଙ୍କ ଠାରୁ ମାତ୍ର ୨୬ ହଜାର ଟଙ୍କା ଜବତ ହୋଇଛି। ବାକି ଟଙ୍କା ଖର୍ଚ୍ଚ କରି ଦେଇଥିବା ପୁଲିସ ନିକଟରେ ମାନିଛନ୍ତି। ବୁଟି ନାଁରେ ଜୟପୁର ଟାଉନ ଥାନାରେ ୨୦୧୩ ଓ ୨୦୧୪ରେ ଦୁଇଟି ଓ କୋରାପୁଟରେ ଗୋଟିଏ ଚୋରି, ଡକାୟତି ମାମଲା ସହ ଜଗଦଲପୁର ଟାଉନରେ ୩ରୁ ଅଧିକ ଡକାୟତି ମାମଲା ରହିଛି। ସେହିପରି ଦେବ ନାଁରେ କୋରାପୁଟ ସଦରରେ ୨୦୧୬ରେ ୧୨୨/୧୬ରେ ଡକାୟତି ମାମଲା, ଗତ ମାସରେ ବାସୁପୁଟ ଅଞ୍ଚଳରେ ଲକ୍ଷେ ୨୫ ହଜାର ଟଙ୍କାର ଡକାୟତି ଘଟଣାରେ ମଲାଲ ରହିଥିବା ଜୟପୁର ଟାଉନ ଥାନାରେ ୧୬୨/୧୪ରେ ଏକ ଚୋରି ମାମଲା ରହିଛି। ମନୋଜ ନାଁରେ କୋରାପୁଟ ଟାଉନ ଥାନାରେ ୮୪/୧୮ରେ ଏକ ଡାକୟତି ମାମଲା ଓ ଜୟପୁର ଟାଉନ ଥାନାରେ ୩୮/ ୧୮ରେ ଅନ୍ୟ ଗୋଟିଏ ମାମଲା ରହିଛି। ମନୋଜ ଓ ଦେବ କୋରାପୁଟ, ଲମତାପୁଟ, ପାତ୍ରପୁଟ, ବୈପାରିଗୁଡା ଓ ଜୟପୁର ସହର ଉପକଣ୍ଠରେ ସକ୍ରିୟ ରହିଥିବା ବେଳେ ବୁଟି ରାଜ୍ୟ ବାହାରେ ଅପରାଧ ଘଟାଇ ଜୟପୁର ସହରରେ ଛପି ରହୁଥିଲା।

ଏହି ଗ୍ୟାଙ୍ଗରେ ଆହୁରି କିଛି ଜଣ ସଦସ୍ୟ ରହିଛନ୍ତି। ଏହି ଗ୍ୟାଙ୍ଗ ନାଁରେ କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଥିବା ପୁଲିସ କହିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଆଇ ମୁକୁନ୍ଦ ଦେବ ନାୟକ, କବିରାଜ ସାହୁ, ସୀମା ସାହୁଙ୍କ ସହ ଥାନାର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର