ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା : ୨ ମତ୍ସ୍ୟଜୀବୀ ମୃତ; ୨ ଗୁରୁତର

ଜଗତସିଂହପୁର : ପାରାଦୀପ ନେହେରୁ ବଙ୍ଗଳା ମୁହାଣ ନିକଟରେ ଏକ ଦୁର୍ଘଟଣା ଘଟି ଦୁଇ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମୁଦ୍ର ଲହଡ଼ି ମାଡ଼ରେ ମାଛଧରା ହୁଲି ଡଙ୍ଗା ବୁଡ଼ି ଯିବା ଯୋଗୁଁ ଏଭଳି ଅଘଟଣ ଘଟିଛି। ମୃତ ଦୁଇ ଜଣ ହେଲେ ଗୁରୁଚାନ୍ଦ ରୟ ଓ ବିଦ୍ୟୁତଭୂଷଣ ମାଇତି। ଆହତ ଦୁଇ ଜଣ ହେଉଛନ୍ତି ନୀଳକାନ୍ତ ବଇଦ ଓ ଭୀମ ମଣ୍ତଳ। ଆହତ ଦୁଇ ଜଣଙ୍କୁ ବନ୍ଦର ହସ୍‌ପିଟାଲରେ ଚିକିତ୍ସା କରାଯାଉଛି। ସମସ୍ତେ ଦୀର୍ଘଦିନ ହେଲା ପାରାଦୀପରେ ରହି ମାଛ ବ୍ୟବସାୟ କରୁଥିବ ବେଳେ ସ୍ଥାନୀୟ ବିଜୟଚନ୍ଦ୍ରପୁର ବସ୍ତିରେ ରୁହନ୍ତି।

ଆଜି ‘ମା କାଳୀ’ ନାମକ ଏକ ଡଙ୍ଗାରେ ୧୫ ଜଣ ମତ୍ସ୍ୟଜୀବୀ ଜାଲ ଭସାଇବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ। ସେମାନେ ପ୍ରତ୍ୟେକ ଦିନ ଏମିତି ଜାଲ ଭସାଇ ଆସନ୍ତି ଓ ଜୁଆର ଛାଡ଼ିବା ପରେ ଜାଲ ଆଣିବାକୁ ଯାଆନ୍ତି। ଆଜି ଜାଲ ଭସାଇ କୂଳକୁ ଫେରୁଥିବାବେଳେ ମୁହାଣ ନିକଟରେ ଏକ ବଡ଼ ଲହଡ଼ି ଡଙ୍ଗାଟିକୁ ପଛରୁ ମାଡ଼ କରିଥିଲା। ଏ ସମ୍ପର୍କରେ କେହି ବି କିଛି ଜାଣି ପାରିନଥିଲେ। ଲହଡ଼ି ମାଡ଼ରେ ଏହି ହୁଲି ଡଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ସମସ୍ତେ ଡଙ୍ଗାରୁ ଛିଟିକି ପଡ଼ିଥିଲେ। ସମସ୍ତେ ପହଁରି ପହଁରି କୂଳକୁ ଫେରିବା ପାଇଁ ଉଦ୍ୟମ କରୁଥିବାବେଳେ ପଛରେ ଥିବା ଏକ ଯନ୍ତ୍ରଚାଳିତ ଡଙ୍ଗା ସେମାନଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର