ଦୁଇ ଶିଶୁକନ୍ୟାଙ୍କ ସଲିଳ ସମାଧି: ପୋଖରୀକୁ ଗାଧୋଇବାକୁ ଯାଇ ଘରକୁ ଫେରିଲେନି

ବୈପାରିଗୁଡା: ଏକ ଅଭାବନୀୟ ଘଟଣା କ୍ରମରେ ଦୁଇ ଜଣ ଶିଶୁକନ୍ୟା ପୋଖରୀରେ ବୁଡି ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଳା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ଗୋଇପଦର ଗ୍ରାମର କେଶବ ଖିଲଙ୍କ ଝିଅ ନନ୍ଦିନୀ ଖିଲ (୫) ଏବଂ ଲକ୍ଷ୍ମଣ ଗୋଲରୀଙ୍କ ଝିଅ ମଙ୍ଗଳଦେଇ ଗୋଲରୀ (୫) ପୋଖରୀରେ ବୁଡ଼ିଯାଇ ଶୋଚନୀୟ ଭାବେ ମୃତ୍ୟୁ ହୋଇଛି।

ଘଟଣା ଅନୁଯାୟୀ ନନ୍ଦିନୀ ଏବଂ ମଙ୍ଗଳଦେଇ ସ୍ଥାନୀୟ ଅଂଗନବାଡି କେନ୍ଦ୍ରରେ ପଢନ୍ତି। ପ୍ରତିଦିନ ଭଳି ଆଜି ମଧ୍ୟ ସେମାନେ ଅଂଗନବାଡି କେନ୍ଦ୍ରରୁ ଖାଦ୍ୟ ଆଣି ଘରକୁ ଫେରୁଥିଲେ। ଏହାପରେ ଅନ୍ୟ ଚାରିଜଣ ଝିଅଙ୍କ ସହ ମିଶି ଗାଆଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ନନ୍ଦିନୀ ଏବଂ ମଙ୍ଗଳଦେଇ ଗାଧୋଇବା ପାଇଁ ପାଣି ଭିତରକୁ ଓହ୍ଲେଇ ଥିବା ବେଳେ ଅନ୍ୟ ଚାରିଜଣ ହୁଡ ଉପରେ ଠିଆ ହୋଇଥିଲେ। ତେବେ ଦୁହେଁ ପାଣିରେ ଓହ୍ଲେଇବା ପରେ ଅନେକ ସମୟ ଧରି ଉପରକୁ ନଉଠିବାରୁ ଚାରି ଜଣ ଭୟରେ ଡାକ ପକାଇଥିଲେ। ନିକଟରେ ଗୋରୁ ଚରାଉଥିବା ଜଣେ ବ୍ୟକ୍ତି ସେମାନଙ୍କ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ପିଲାଙ୍କ ପାଖରୁ ସବୁ ଶୁଣି ବ୍ୟକ୍ତି ଜଣକ ପୋଖରୀ ଭିତରକୁ ଓହ୍ଲେଇ ଥିଲେ ମଧ୍ୟ ଶିଶୁ ଦୁଇଟିକୁ ଉପରକୁ ଆଣିପାରିଲେ ନଥିଲେ। ସେ ଗାଆଁ ଭିତରକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ।

ତେବେ ଆଜି ଗାଁରେ କରୋନା ଟିକାକରଣ ଚାଲିଥିବାରୁ ସମସ୍ତେ ଏକତ୍ରିତ ହୋଇ ଟିକା ନେଉଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସମସ୍ତେ ପୋଖରୀ ନିକଟକୁ ଦୌଡି ଥିଲେ। ଗାଆଁର ଯୁବକ ମାନେ ପାଣିରେ ଓହ୍ଲେଇ ଝିଅ ଦୁଇଟିକୁ ପାଣିରୁ ଉଦ୍ଧାର କରି ଆଣିଥିଲେ। ବୈପାରିଗୁଡା ଅଗ୍ନିଶମ ବାହିନୀକୁ ଖବର ଦିଆଯିବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଅନ୍ୟ ଚାରିଜଣ ଝିଅ ଭୟରେ ସେହି ସ୍ଥାନ ଛାଡି ଚାଲିଯାଇଥିବାରୁ କାଳେ ସେମାନେ ମଧ୍ୟ ପାଣି ଭିତରେ ବୁଡ଼ି ଯାଇଥିବା ସନ୍ଦେହ ହେବାରୁ ଅଗ୍ନିଶମ ବାହିନୀ ତରଫରୁ ଖୋଜା ଚାଲିଥିଲେ ମଧ୍ୟ କାହାକୁ ପାଇ ନଥିଲେ। ପରେ ସେମାନେ ଗ୍ରାମକୁ ଫେରି ଯାଇଥିବା ଜାଣିବା ପରେ ଅଗ୍ନିଶମ ବାହିନୀ ଫେରିଥିଲେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ଦୁଇଦିନ ଧରି ବର୍ଷା ହେବା ଫଳରେ ପୋଖରୀରେ ପାଣି ଅଧିକା ରହିଥିବା ବେଳେ ମୃତ ଦୁଇ ଝିଅ ତାହା ଜାଣି ପାରିନଥିଲେ ଅନ୍ୟ ଦିନ ଭଳି ଅଭ୍ୟାସ ବଶତଃ ପାଣି ଭିତରକୁ ଓହ୍ଲେଇ ପଡ଼ିବାରୁ ସେମାନେ ବୁଡି ଯାଇଛନ୍ତି। ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସନ୍ଧ୍ୟା ହୋଇଯିଵାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର