ଗୁଜରାଟକୁ ସମୁଦାୟ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ : ସୁରଟ, ଅହମ୍ମଦାବାଦକୁ ଆଉ ଦୁଇଟି ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର : ପ୍ରବାସୀ ଓଡ଼ିଆଙ୍କ କର୍ମ କ୍ଷେତ୍ରକୁ ଫେରିବା ଜାରି ରହିଛି। ପ୍ରତିଦିନ ହଜାର ହଜାର ପ୍ରବାସୀ ଟ୍ରେନ୍‌ ଯୋଗେ ଗୁଜରାଟର ସୁରତ ଓ ଅହମ୍ମଦାବାଦକୁ ଯାତ୍ରା କରୁଛନ୍ତି। ଯେଉଁଥିପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏମିତିକି ହଜାର ହଜାର ଯାତ୍ରୀ ୱେଟିଂ ଲିଷ୍ଟ(ପ୍ରତୀକ୍ଷା)ରେ ରହିଛନ୍ତି। କେବଳ ସୁରତ କି ଅହମ୍ମଦାବାଦ ନୁହେଁ, ଗୁଜରାଟକୁ ଚଳାଚଳ କରୁଥିବା ଅନ୍ୟ ସ୍ୱତନ୍ତ୍ର ଟ୍ରେନଗୁଡିକରେ ମଧ୍ୟ ମାତ୍ରାଧିକ ଯାତ୍ରୀ ପ୍ରତୀକ୍ଷାରେ ରହୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଓଡ଼ିଶାରୁ ଗୁଜରାଟକୁ ଆହୁରି ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବଲପୁର-ଟିଟିଲାଗଡ଼-ରାଇପୁର ମାର୍ଗ ଦେଇ ଖୋର୍ଦ୍ଧାରୋଡ-ସୁରତ-ଖୋର୍ଦ୍ଧାରୋଡ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ(୦୨୮୨୭/୦୨୮୨୮) ଚଳାଚଳ କରିବ। ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୮ ମଧ୍ୟରେ ଏହା ଖୋର୍ଦ୍ଧାରୋଡରୁ ପ୍ରତି ରବିବାର ସନ୍ଧ୍ୟା ୮ଟା ୪୦ରେ ଛାଡ଼ିବାକୁ ଥିବା ବେଳେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨୦ ମଧ୍ୟରେ ଏହା ସୁରତଠାରୁ ପ୍ରତି ମଙ୍ଗଳବାର ସକାଳ ୮ଟା ୩୦ରେ ଖୋର୍ଦ୍ଧାରୋଡ ଅଭିମୁଖେ ଯାତ୍ରା କରିବ। ଖୋର୍ଦ୍ଧାରୋଡ ଓ ସୁରତ ମଧ୍ୟରେ ଏହା ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ରାଇପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ଭୁସାବଲ, ଜଳଗାଁ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣୀ କରିବ।

ବିଜୟନଗରମ୍‌, ଦୁଭାଡା, ବିଜୟୱାଡା, ୱାର୍ଧା ମାର୍ଗ ଦେଇ ଖୋର୍ଦ୍ଧାରୋଡ-ଅହମ୍ମଦାବାଦ-ଖୋର୍ଦ୍ଧାରୋଡ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ(୦୮୪୦୭/୦୮୪୦୮) ଚାଲିବ। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୨୧ ମଧ୍ୟରେ ଏହା ଖୋର୍ଦ୍ଧାରୋଡଠାରୁ ପ୍ରତି ବୁଧବାର ପୂର୍ବାହ୍ନ ୧୦ଟା ୪୦ରେ ଛାଡ଼ିବ। ଅକ୍ଟୋବର ୩ରୁ ୨୪ ତାରିଖ ମଧ୍ୟରେ ଏହା ଅହମ୍ମଦାବାଦଠାରୁ ପ୍ରତି ଶନିବାର (ଶୁକ୍ରବାର ରାତି ୧୨ଟା ୧୫)ରେ ଖୋର୍ଦ୍ଧା ରୋଡ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍‌ ବ୍ରହ୍ମପୁର, ଶ୍ରୀକାକୁଲମ ରୋଡ, ବିଜୟନଗରମ, କୋଟ୍ଟଭଲସା, ଦୁଭାଡା, ଅଣକାପଲ୍ଲୀ, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ୱାରାଙ୍ଗଲ, ରାମଗୁଣ୍ଡମ, ମଞ୍ଚରୟାଲ, ବାଲହର୍ଷI, ୱାର୍ଧା, ଭୂସବଲ, ସୁରତ, ବାରୁଚ, ବରୋଦା ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣୀ କରିବ।

ସୁରତ ଓ ଅହମ୍ମଦାବାଦକୁ ଏହି ଟ୍ରେନ ଦ୍ବୟ ଚଳାଚଳ କରିବା ପରେ ଓଡ଼ିଶାରୁ ଗୁଜରାଟକୁ ସପ୍ତାହରେ ସବୁଦିନ ସ୍ୱତନ୍ତ୍ର ଟ୍ରେନ ଉପଲବ୍ଧ ହେବା ସହ ସପ୍ତାହରେ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ପୂର୍ବରୁ ଗୁଜରାଟକୁ ଖୋର୍ଦ୍ଧାରୋଡ-ଅହମ୍ମଦାବାଦ-ଖୋର୍ଦ୍ଧାରୋଡ ସ୍ୱତନ୍ତ୍ର ଟ୍ରେନ (୦୨୮୪୩/୦୨୮୪୪), ଖୋର୍ଦ୍ଧାରୋଡ-ଓଖା-ଖୋର୍ଦ୍ଧାରୋଡ ସ୍ୱତନ୍ତ୍ର ଟ୍ରେନ (୦୮୪୦୧/୦୮୪୦୨), ଗାନ୍ଧୀଧାମ-ଖୋର୍ଦ୍ଧାରୋଡ-ଗାନ୍ଧୀଧାମ ସ୍ୱତନ୍ତ୍ର ଟ୍ରେନ (୦୨୯୭୩/୦୨୯୭୪), ଭୁବନେଶ୍ୱର-ଅହମ୍ମଦାବାଦ-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ(୦୮୪୦୫/୦୮୪୦୬) ଚଳାଚଳ କରୁଛି।

ସମ୍ବନ୍ଧିତ ଖବର