ଓଡ଼ିଶା ହାଇକୋର୍ଟ ପାଇଁ ଦୁଇ ନୂଆ ବିଚାରପତି : ସଞ୍ଜୀବ କୁମାର ପାଣିଗ୍ରାହୀ ଓ ବିଭୁପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ଙ୍କ ସୁପାରିସ

ନୂଆଦିଲ୍ଲୀ/କଟକ : ସୁପ୍ରିମକୋର୍ଟର ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀ ଓ ଜୁଡ଼ିସିଆଲ ଅଫିସର ବିଭୁପ୍ରସାଦ ରାଉତରାୟଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ର˚ଜନ ଗୋଗୋଇ, ଜଷ୍ଟିସ୍ ଏସ୍.ଏ.ବୋବ୍‌ଡେ ଓ ଜଷ୍ଟିସ ଏନ୍‌.ଭି.ରମନାଙ୍କୁ ନେଇ ଗଠିତ କଲେଜିୟମ ବିଚାରପତି ନିଯୁକ୍ତି ପାଇଁ ୧୨ଜଣଙ୍କ ମଧ୍ୟରୁ ଏହି ଦୁଇ ଜଣଙ୍କ ନାଁ ସୁପାରିସ କରିଛନ୍ତି।

୨୦୧୯, ମେ’ ୭ରେ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ସମେତ ୮ ଜଣ ଆଇନଜୀବୀଙ୍କ ନାଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ। କଲେଜିୟମ ଶ୍ରୀ ପାଣିଗ୍ରାହୀଙ୍କ ନାଁ ଗ୍ରହଣ କରି ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି। ଆଇନଜୀବୀ ସାବିତ୍ରୀ ରଥଙ୍କ ସ˚ପର୍କିତ ପ୍ରସ୍ତାବ କଲେଜିୟମ ଆଉ କିଛି ଦିନ ପରେ ବିଚାରକୁ ନେ‌େବ। ଆଇନଜୀବୀ ଗୌତମ ମୁଖାର୍ଜୀ, ସମୀର କୁମାର ମିଶ୍ର, ପ୍ରସନ୍ନ କୁମାର ପାଢୀ, ପ୍ରଫୁଲ୍ଲ କୁମାର ରଥ, ଦୁର୍ଗା ପ୍ରସାଦ ନନ୍ଦ ଓ ପ୍ରଭାତ କୁମାର ମୁଦୁଲିଙ୍କ ନାଁକୁ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟକୁ ଫେରାଇ ଦେଇଛନ୍ତି।

ସେହିଭଳି, ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ସତ୍ୟନାରାୟଣ ମିଶ୍ର, ବିଭୁ ପ୍ରସାଦ ରାଉତରାୟ, ଗୌତମ ଶର୍ମା ଓ ବିରଞ୍ଚି ନାରାୟଣ ମହାନ୍ତିଙ୍କ ନାଁ ହାଇକୋର୍ଟର ବିଚାରପତି ପଦ ପାଇଁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଗତ ମେ’ ୭ରେ ସୁପାରିସ କରିଥିଲେ। ସୁପ୍ରିମକୋର୍ଟ କଲେଜିୟମ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ରାଉତରାୟଙ୍କ ନାଁ ଗ୍ରହଣ କରି ନିଯୁକ୍ତି ପାଇଁ ସୁପାରିସ କରିଥିବାବେଳେ ଅନ୍ୟ ତିନି ବିଚାର ବିଭାଗୀୟ ଅଧିକାରୀଙ୍କ ନାଁ ଓଡ଼ିଶା ହାଇକୋର୍ଟକୁ ଫେରାଇ ଦେଇଛନ୍ତି। ଶ୍ରୀ ରାଉତରାୟ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର