ଗଣମାଧ୍ୟମ କ୍ଷମତାଶାଳୀଙ୍କୁ ପ୍ରଶ୍ନ କରିବା ଭୁଲିଯାଇଛି: ଥାପର୍

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଆଜିକାଲି କ’ଣ ଗଣମାଧ୍ୟମରେ ତଥ୍ୟଭିତ୍ତିକ ଖବର ଓ ବିଶ୍ବସନୀୟତାର ସଂକଟ ଦେଖାଦେଇଛି? କ’ଣ ଏବେ ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ନ ହୋଇ ଏକ ‘ପୋଷା କୁକୁର’ ହୋଇଯାଇଛି? ଗଣମାଧ୍ୟମ କ୍ଷମତାଶାଳୀଙ୍କୁ ପ୍ରଶ୍ନ କରିବାର କ୍ଷମତାକୁ ପାସୋରି ଦେଇଛି?

ଏମିତି କିଛି ପ୍ରଶ୍ନ ଉତ୍ଥାପନ କରି ତାର ଉତ୍ତର େଖାଜିବା ଛଳରେ େଲାକପ୍ରିୟ ଟେଲିଭିଜନ ସାମ୍ବାଦିକ କରନ୍ ଥାପର ଆଜି ଦେଶର ଗଣମାଧ୍ୟମ ଧାରା ସଂପର୍କରେ ନିଜର ଅସନ୍ତୋଷ ଜାହିର କରିଛନ୍ତି।

‘ସମ୍ବାଦ ଗ୍ରୁପ’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରସ୍ଥିତ େହାଟେଲ୍ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ‘ସମ୍ବାଦ’ର ୩୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଥାପର୍ କହିଛନ୍ତି, ସତ୍ୟର ସନ୍ଧାନ ହେଉଛି ଖବରର ଆତ୍ମା। ସମୟ ବଦଳିବା ସହିତ ସମ୍ବାଦ ପରିବେଷଣର ପଦ୍ଧତି ବଦଳି ଥାଏ। କିନ୍ତୁ ଏହି ଆତ୍ମାଟି କେବେ ବି ବଦଳେ ନାହିଁ। ସାମ୍ବାଦିକମାନଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି ସତ୍ୟର ସନ୍ଧାନ, ସଠିକତା ଓ ନିରପେକ୍ଷତା। ଯଦି ସାମ୍ବାଦିକ ଏହାକୁ ପୂରଣ କରି ନପାରେ ତେବେ େସ ବିଫଳ ହେବା ଅବଶ୍ୟମ୍ଭାବୀ।

ଆଜିର ସମୟରେ ଭାରତୀୟ ଟିଭି ନ୍ୟୁଜ୍ ଚ୍ୟାନେଲ୍‌ ଗୁଡ଼ିକରେ ଯେଉଁ ଖରାପ ଟ୍ରେଣ୍ଡ ଚାଲିଛି ତାହାକୁ ନେଇ େଖାଲା ଅସନ୍ତୋଷ ବ୍ୟକ୍ତ କରି ଶ୍ରୀ ଥାପର କହିଥିଲେ, ଆଜିର ସମୟରେ ଟିଭିରେ ନ୍ୟୁଜ୍ ପରିବେଷଣ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ପାଲଟି ଯାଇଛି। ହେଲେ ଦେଖାଯାଉଛି, କାର୍ଯ୍ୟରତ ଆଙ୍କରମାନେ ଆଲୋଚନା ସମୟରେ ନିଜର ଦୃଷ୍ଟିଭଙ୍ଗୀକୁ ଅଧିକ ଗୁରୁତ୍ବ ଦେଉଛନ୍ତି। କେଉଁ ଟିଭି ଚ୍ୟାନେଲ କେଉଁ ନ୍ୟୁଜ୍ ଆଙ୍କର କ’ଣ କହୁଛନ୍ତି ତାହା କିନ୍ତୁ ଦର୍ଶକଙ୍କ ପାଇଁ ଆଦୌ ଗୁରୁତ୍ବପୂର୍ଣ୍ଣ ନୁହେଁ। ବରଂ କୌଣସି ଏକ ବିଷୟରେ ଦର୍ଶକଙ୍କୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣକୁ ଦେଖାଇବା ହେଉଛି ଆଲୋଚନାର ଉଦ୍ଦେଶ୍ୟ। ଏହା ନ କରି ଯେଉଁ ଅତିଥିମାନେ ନ୍ୟୁଜ୍ ଆଙ୍କରଙ୍କ ଦୃଷ୍ଟିଭଙ୍ଗୀ ସହିତ ଏକମତ ହେଉଛନ୍ତି, ତାଙ୍କୁ ଅଧିକ ସମୟ ଓ ବାରମ୍ବାର କହିବା ପାଇଁ ସୁଯୋଗ ଦିଆଯାଉଛି। ଅପରପକ୍ଷରେ ଯେଉଁମାନେ ଭିନ୍ନ ଦୃଷ୍ଟିକୋଣ ରଖୁଛନ୍ତି ସେମାନଙ୍କୁ ବେଶି ସମୟ କହିବାକୁ ଦିଆଯାଉନାହିଁ। ସେମାନେ କହିବା ସମୟରେ ବାରମ୍ବାର ବାଧା ସୃଷ୍ଟି କରାଯାଉଛି। ଏପରିକି ସେମାନଙ୍କୁ ‘ଅପରାଧୀ’ ଭଳି ବ୍ୟବହାର କରାଯାଉଛି। ନ୍ୟୁଜ୍ ଆଙ୍କରମାନେ ଉଚ୍ଚ ସ୍ବରରେ ଚିଲ୍ଲାଉଥିବା ବେଳେ ଭିନ୍ନ ଦୃଷ୍ଟିକୋଣ ରଖୁଥିବା ଅତିଥିଙ୍କୁ ଗୁଳି ମାରିବା ଭଳି ପ୍ରଶ୍ନ କରୁଛନ୍ତି। ଏହା କେବଳ ଶସ୍ତା ଲୋକପ୍ରିୟତା ଆଣିପାରିବ, ତା’ ଛଡା ଆଉ କିଛି ନୁହେଁ େବାଲି ସେ ଅସନ୍ତୋଷ ଝାଡିଥିଲେ।

ଟିଭି କାର୍ଯ୍ୟକ୍ରମର ଦୋଷତ୍ରୁଟିର ପାହାଡ ଛିଡା କରି ଶ୍ରୀ ଥାପର ଆହୁରି କହିଥିଲେ, ପ୍ରତ୍ୟେକ ବୁଲେଟିନ୍ ଶେଷରେ ନ୍ୟୁଜ୍ ଆଙ୍କର ଘଟଣା ସଂପର୍କରେ ଦର୍ଶକ କ’ଣ ଭାବୁଛନ୍ତି ତାହା ପଚାରୁଛନ୍ତି। ଏଭଳି ପ୍ରଶ୍ନ ପଚାରିବାର କ’ଣ ଆବଶ୍ୟକତା ରହିଛି? ବରଂ ଏଭଳି ମତାମତ ନ୍ୟୁଜ୍‌ର ପବିତ୍ରତାକୁ ନଷ୍ଟ କରୁଛି। ଘଟଣା କ’ଣ ଘଟିଛି ତାହା ଦେଖାଇବା ଟିଭି ଚ୍ୟାନେଲ୍‌ର କାମ, ଆଙ୍କର ନିଜର ମତାମତ ରଖିବା ଚ୍ୟାନେଲ୍‌ର କାମ ନୁହେଁ। ଏଭଳି କରିବା ଦ୍ବାରା ସେମାନେ ଦର୍ଶକଙ୍କୁ ଜଣେ ଶିଶୁ ଭଳି ବ୍ୟବହାର କରୁଛନ୍ତି। ହେେଲ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତକାର କରିବା ସମୟରେ ଯେଉଁଭଳି ପ୍ରଶ୍ନ ପଚାରିବା କଥା ତାହା ପଚାରୁନାହାନ୍ତି।

ଆଜିକାଲି ଗଣମାଧ୍ୟମରେ ଦେଶଭକ୍ତିକୁ ଜାହିର କରିବା ପାଇଁ ‘ହାସ୍‌ଟ୍ୟାଗ୍’ ନାଁରେ ଟିଭିରେ ଏକ ଖରାପ ଟ୍ରେଣ୍ଡ ଆରମ୍ଭ ହୋଇଛି ବୋଲି ଅଭିେଯାଗ ଆଣି ଶ୍ରୀ ଥାପର କହିଥିଲେ, କୌଣସି ଏକ ଘଟଣାରେ ଦର୍ଶକଙ୍କ ପ୍ରତିକିୟା ପାଇବା ପାଇଁ ଖବରକୁ ଠେଲିବାର ପ୍ରତିଯୋଗିତା ଚାଲିଛି। କିନ୍ତୁ ପ୍ରତ୍ୟେକ ବୁଲେଟିନ୍ ସମୟରେ କୌଣସି ନା କୌଣସି ବିଷୟରେ ‘ହାସ୍‌ଟ୍ୟାଗ୍‌’ ଚଲାଇବା ଏକ ହାତଗଢ଼ା ଦେଶଭକ୍ତି େବାଲି କୁହାଯାଇପାରେ। ଫାଇଟ୍ ଫର ଇଣ୍ଡିଆ, ଲଭ୍ ମାଇଁ ଫ୍ଲାଗ୍, ପ୍ରାଉଡ୍ ଇଣ୍ଡିଆନ୍, ଟେରର ଷ୍ଟେଟ୍ ପାକିସ୍ତାନ, ଆଣ୍ଟି ନାସନାଲ ଜେଏନ୍‌ୟୁ ଭଳି ହାସଟ୍ୟାଗ୍ ଚଳାଯାଉଛି। ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଏଭଳି ବାକ୍ୟ ଶୁଣି ଲଜ୍ଜା ଅନୁଭବ କରୁଥିବ।

ସାମ୍ବାଦିକତା ଯେତେ ନୂଆ ଢଙ୍ଗରେ ପରିବେଷଣ ହେଲେ ବି ଖବର ପଛରେ ଥିବା ସତ୍ୟର ଅନୁସନ୍ଧାନ କେବେ ବି ବଦଳି ନ ଥାଏ େବାଲି ମତ ରଖି ଶ୍ରୀ ଥାପର କହିଥିଲେ, ଖବର ଯେଉଁଭାବେ ‌ପରିବେଷଣ ହୋଇଥାଉ ନା କାହିଁକି ଭଲ ସାମ୍ବାଦିକତା ସବୁବେଳେ ମୁଣ୍ଡ ଟେକି ରହିଥିବ। ନିରପେକ୍ଷତା ଭଳି ମାନଦଣ୍ଡକୁ ନିମ୍ନଗାମୀ କରି ସାମ୍ବାଦିକତାକୁ ଲୋକପ୍ରିୟ କରାଯାଇ ପାରିବ ନାହିଁ। ଅଧିକାଂଶ ସମୟରେ ଟିଭି ଓ ଖବର କାଗଜରେ ପ୍ରକାଶିତ ଖବର ସଂପୂର୍ଣ୍ଣ ସତ୍ୟ ଉପରେ ଆଧାରିତ ନୁହେଁ। ୬୦ ଦଶକରୁ ୮୦ ଦଶକରେ ଭାରତରେ ସାମ୍ବାଦିକତା ଶିଖର ଛୁଇଁଥିଲା। ଭାରତରେ ସାମ୍ବାଦିକତାକୁ ଶିଖରରେ ପହଞ୍ଚାଇବାରେ କୁଲଦୀପ ନାୟରଙ୍କଠାରୁ ଆରମ୍ଭ କରି ‌ପ୍ରେମ୍ ଭାଟିଆ, ଭର୍ଗିଜ୍, ଗିରିରାଜ ଜୈନଙ୍କ ଭଳି ସାମ୍ବାଦିକଙ୍କ ହାତ ରହିଛି। ତେବେ ସେମାନଙ୍କ ପରପିଢ଼ି ଏହି ସାମ୍ବାଦିକତାକୁ ବଜାୟ ରଖିପାରିଛନ୍ତି କି? ସମ୍ଭବତଃ ଏଇଥିପାଇଁ ସାମାଜିକ ଗଣମାଧ୍ୟମ ଯୁଗରେ ଲୋକମାନେ ‌ଖବରକାଗଜ କିମ୍ବା ଟିଭିରେ ସଂପୂର୍ଣ୍ଣ ଖବର ପଢ଼ିବା ଅପେକ୍ଷା ହ୍ବାଟସଆପ୍ କିମ୍ବା ଫେସବୁକ୍‌ରେ ଥିବା ଖବର ଉପରେ ଅଧିକ ବିଶ୍ବାସ କରୁଛନ୍ତି ।

ଗଣମାଧ୍ୟମ ଅନେକ ସମୟରେ ସଂପୂର୍ଣ୍ଣ ଘଟଣାକୁ ଅନୁଧ୍ୟାନ ନ କରି କିମ୍ବା ଖବରକୁ ଦୁଇଥର ପରୀକ୍ଷା ନ କରି ବ୍ୟକ୍ତି ସଂପର୍କରେ ମତ ଦେବା ଗ୍ରହଣୀୟ ନୁହେଁ। ଏହାଦ୍ବାରା ଗଣମାଧ୍ୟମ ଜଣେ ନିରୀହ ବ୍ୟକ୍ତିକୁ ବଦନାମ କରୁଛି। ଏହା ସାମ୍ବାଦିକତାର ମୂଳମନ୍ତ୍ର ନୁହେଁ। ଖବର ପ୍ରସ୍ତୁତିରେ ତଥ୍ୟନିଷ୍ଠତା ଏବଂ ବିଶ୍ୱସନୀୟତା ହିଁ ଏକ ଗଣମାଧ୍ୟମକୁ ଦୀର୍ଘ କାଳ ଧରି ବଞ୍ଚାଇ ରଖିବା ସହ ଆଗକୁ ବଢ଼ାଇ ନେଇପାରିବ। ସେ ମୁଦ୍ରିତ ଗଣମାଧ୍ୟମ ହେଉ ବା ଟେଲିଭିଜନ କିମ୍ବା ଡିଜିଟାଲ ଦୁଇଟି କଥା ହିଁ ଏହାର ସଫଳତା ଓ େଲାକପ୍ରିୟତାକୁ ବଜାୟ ରଖିପାରିବ, ତାହା ହେଉଛି ଖବରର ଗୁଣବତ୍ତା ଏବଂ ବିଶ୍ୱସନୀୟତା।

ଏହି ଅବସରରେ ଓଡ଼ିଶାରେ ହୋଇଥିବା ଗ୍ରାହାମ ଷ୍ଟେନ୍ସ ହତ୍ୟା ପ୍ରସଙ୍ଗର ଅବତାରଣା କରି ଶ୍ରୀ ଥାପର କହିଥିଲେ, ସମସ୍ତେ ଏହି ଘଟଣାକୁ ହିଁ ପରିବେଷଣ କରି ଦେଲେ । କିନ୍ତୁ କାହିଁକି ଏପରି ଘଟଣା ଘଟିଲା ତାହାର ମୂଳକୁ କେହି ଗଲେ ନାହିଁ । ଟିଭି କେବଳ ଘଟଣାକୁ ଦେଖାଇଲା, କିନ୍ତୁ ଏହା କହିଲା ନାହିଁ ଯେ କାହିଁକି ଏକ ଶାନ୍ତିପ୍ରିୟ ରାଜ୍ୟର ଲୋକ ଏପରି ଘଟଣା ଘଟାଇଲେ । ଏଣୁ କ୍ୟାମେରାମ୍ୟାନ ଯାହା ଦେଖାଇଲା ତାହା ନୁହେଁ, ବରଂ ସାମଗ୍ରିକ ଭାବେ ସବୁ ଦିଗରୁ ଦୃଷ୍ଟି ଦେଇ ଖବର ପରିବେଷଣ ହେବା ଉଚିତ ।

ସମ୍ବନ୍ଧିତ ଖବର