ପିଲା ଚୋର ସନ୍ଦେହରେ ଦୁଇ ବୁଲା ବେପାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଡାବୁଗାଁ/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଏକମ୍ୱା ଗ୍ରାମରେ ଆଜି ଦିନ ପ୍ରାୟ ୧୦ ଘଣ୍ଟ ସମୟରେ ମଧ୍ୟପ୍ରଦେଶ ରାଜ୍ୟରୁ ଆସିଥିବା ଦୁଇଜଣ ବୁଲା ବେପାରୀ ପିଲାଚୋର ସନ୍ଦେହରେ ଗ୍ରାମବାସୀ ଅଟକ ରଖିଥିଲେ। ପିଲାଚୋର ଭାବି ଗ୍ରାମବାସୀମାନେ ରାଗରେ ଦୁଇ ବୁଲା ବେପାରୀଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ଶେଷରେ ଦୁଇ ବୁଲା ବେପାରୀଙ୍କୁ ଡାବୁଗାଁ ପୁଲିସ ଜିମାରେ ଦେଇଥିଲେ। ତେବେ ଆଜି ସନ୍ଧ୍ୟାରେ ଏକମ୍ବା ଗ୍ରାମବାସୀ ଓ ଡାବୁଗାଁ ପୁଲିସଙ୍କ ମିଳିତ ଆଲୋଚନା ପରେ ଦୁଇ ବୁଲା ବେପାରୀଙ୍କୁ ସନ୍ଦେହ ମୁକ୍ତ କରି ଛାଡ଼ିଦେଇଥିଲେ।

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ରାଜ୍ୟରୁ ଦୁଇଜଣ ବୁଲା ବେପାରୀ ଆଜି ଦୁଇଟି ବାଇକରେ ଡ଼ାବୁଗାଁ ଥାନା ଅନ୍ତର୍ଗତ ଏକମ୍ୱା ଗ୍ରାମରେ ତାରପିଲିନ୍ (ଜରି) ନେଇ ବିକ୍ରି କରିବାକୁ ଯାଇଥିଲେ। ଗ୍ରାମର ଶେଷ ମୁଣ୍ଡରେ ପ୍ରଥମେ ୩ ଜଣ ୧୦ରୁ ୧୨ ବର୍ଷ ବୟସର ପିଲାଙ୍କୁ ପିଛା କରିବା ପରେ ଦୁଇ ଜଣ ନାବାଳିକା ଝିଅଙ୍କୁ ପିଛା କରି ଯାଇଥିଲେ।  ଭୟରେ ତିନି ପିଲା ଓ ଦୁଇ ଝିଅ ଏ ନେଇ ଗ୍ରାମବାସୀଙ୍କୁ କହିବା ପରେ ଗ୍ରାମବାସୀ ଦୁଇ ବୁଲା ବେପାରୀଙ୍କୁ ଦୁଇଟି ବାଇକ୍ ସହ କାବୁ କରିଥିଲେ। ଛୋଟ ପିଲା ଓ ଝିଅମାନଙ୍କୁ କାହିଁକି ଜମି ମଧ୍ୟରେ ପିଛା କରିଥିଲ ବୋଲି କହି ସେମାନଙ୍କୁ ଉତ୍ତମ ମାଧ୍ୟମ ବାଡେଇଥିଲେ।

ତେବେ ଦୁଇ ବୁଲା ବେପାରୀ ଆମେ କେବଳ ନିକଟ ଗ୍ରାମର ଦିଗ ପଚାରିବାକୁ ପିଲା ଓ ଝିଅମାନଙ୍କୁ ପିଛା କରିଥିଲୁ କହିବା ସହ ଆମର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ସଫେଇ ଦେଇଥିଲେ। ସତ କଥା ଜାଣିବା ପାଇଁ ଏକମ୍ବା ଗ୍ରାମବାସୀମାନେ ଶେଷରେ ଡାବୁଗାଁ ପୁଲିସରେ ଦୁଇ ବୁଲା ବେପାରୀଙ୍କୁ ଜିମା ଦେଇଥିଲେ। ପୁଲିସ ପ୍ରାଥମିକ ତଦନ୍ତ ପରେ ଦୁଇ ବୁଲା ବେପାରୀଙ୍କ ପରିଚୟ ପତ୍ର ସଂଗ୍ରହ କରିଥିଲା। ଅନୁଧ୍ୟାନରୁ ଦୁଇ ବୁଲା ବେପାରୀ ମଧ୍ୟପ୍ରଦେଶରୁ ଆସି ବେପାର କରୁଥିବା ଜଣା ପଡ଼ିଥିଲା। ଶେଷରେ ଏକମ୍ବା ଗ୍ରାମବାସୀଙ୍କୁ ଦୁଇ ବୁଲା ବେପାରୀ କ୍ଷମା ପ୍ରାର୍ଥନା କରିବା ସହ ଏହି ଅଞ୍ଚଳ  ରହି ଆମେ ବେପାର କରିବୁ ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର