ସ୍କୁଲ ଖେଳଛୁଟି ବେଳେ ଅଘଟଣ : କେନାଲ୍‌ରେ ଭାସିଗଲେ ୨ ଛାତ୍ର

କୋଠରିରେ ବନ୍ଦ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାଡ଼, ପ୍ରଧାନ ଶିକ୍ଷକଙ୍କ ଗାଡ଼ି ଭାଙ୍ଗିଦେଲେ, କ୍ଷତିପୂରଣ ଦାବି‌େର ଅଭିଭାବକଙ୍କ ଧାରଣା

ଖଇରା/ଭଦ୍ରକ : ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧୀନ ରଟିଣା ପଞ୍ଚାୟତ ନୋଡାଲ୍‌ ୟୁପି ବିଦ୍ୟାଳୟରେ ଆଜି ଏକ ହୃଦୟବିଦାରକ ଘଟଣା ଘଟିଛି। ଦୁଇଜଣ ଛାତ୍ର ବିଦ୍ୟାଳୟ ନିକଟ କେନାଲ୍‌କୁ ଗୋଡ଼ ଧୋଇବାକୁ ଯାଇଥିବା ବେଳେ ଭାସି ଯାଇ ପ୍ରାଣ ହରାଇଛନ୍ତି। ମୃତ ଛାତ୍ର ଦୁଇଜଣ ହେଲେ; ରଟିଣା ଗ୍ରାମର ଲକ୍ଷ୍ମୀକାନ୍ତ ଜେନାଙ୍କ ପୁଅ ଧନଞ୍ଜୟ ଜେନା ଏବଂ କମଳାକାନ୍ତ ସାହୁଙ୍କ ପୁଅ ରାଜେଶ ସାହୁ। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀ ଓ ଅଭିଭାବକ ବିଦ୍ୟାଳୟରେ ପହଂଚି ପାଟିତୁଣ୍ଡ ଓ ମାରପିଟ୍ କରିବା ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏକ କୋଠରିରେ ପୂରାଇ କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ ରଟିଣା ପ୍ରହଲ୍ଲାଦ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଧନଞ୍ଜୟ ଜେନା ଓ ରାଜେଶ ସାହୁ ଆଜି ଖେଳଛୁଟି ସମୟରେ ବିଦ୍ୟାଳୟ ନିକଟରେ ଥିବା ଆମ୍ବହତା କେନାଲ୍‌କୁ ଗୋଡ଼ ଧୋଇବା ପାଇଁ ଯାଇଥିଲେ। ଆଉ ଗୋଡ଼ ଧୋଉଥିବା ସମୟରେ ଅସାବଧାନତା ଯୋଗୁ ଦୁଇଜଣଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେମାନେ କେନାଲ୍‌ର ପାଣିସୁଅରେ ଭାସିଯାଇଥିଲେ। କିଛି ଛାତ୍ର ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଓ ଖଇରା ଦମକଳ ବାହିନୀ ଖୋଜାଖୋଜି କରିବାର କିଛି ସମୟ ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ସହ ପ୍ରଥମେ ଆଗରପଡ଼ା ଏବଂ ପରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସେମାନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶହ ଶହ ଉତ୍ତ୍ୟକ୍ତ ଅଭିଭାବକ, ଗ୍ରାମବାସୀ ଓ ପରିଚାଳନା କମିଟର ସଦସ୍ୟ ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷକ ରମାକାନ୍ତ ଶତପଥୀଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ମାଡ଼ ମାରି ସମସ୍ତ ଶିକ୍ଷକଙ୍କୁ ଅଫିସ ଭିତରେ ତାଲା ପକାଇ ଦେଇଥିଲେ। ସରପଞ୍ଚ ସତ୍ୟାନନ୍ଦ ଦାସ ଓ ଗୌରୀମହାପାତ୍ରଙ୍କ ତତ୍ତ୍ବାବଧାନରେ ଉତ୍ତ୍ୟକ୍ତ ଲୋକେ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରି ଧାରଣା ଦେଇଥିଲେ।

ସମ୍ବନ୍ଧିତ ଖବର