ୟୁଜି ଦ୍ବିତୀୟ ଓ ପିଜି ପ୍ରଥମବର୍ଷ ଶିକ୍ଷା କ୍ୟାଲେଣ୍ଡର ଜାରି, ୧୦ରୁ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ

୮ରୁ ଖୋଲିବ ହଷ୍ଟେଲ

ଭୁବନେଶ୍ବର : କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଯୁକ୍ତ ୩ (ୟୁଜି/ସ୍ନାତକ) ଦ୍ବିତୀୟ ବର୍ଷ ଓ ପିଜି(ସ୍ନାତକୋତ୍ତର) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଫେବ୍ରୁଆରି ୧୦ରୁ ଆରମ୍ଭ ହେବ। ଏନେଇ ଆଜି ପୂର୍ବାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଘୋଷଣା କରିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷର ୩ ବର୍ଷିଆ ୟୁଜି ପାଠ୍ୟକ୍ରମର ତୃତୀୟ ସେମିଷ୍ଟର୍‌ ଓ ୪ ବର୍ଷିଆ ୟୁଜି ପାଠ୍ୟକ୍ରମର ୫ମ ସେମିଷ୍ଟର୍‌ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଫେବ୍ରୁଆରି ୧୦ରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ଜାରି ରହିବ। ଏପ୍ରିଲ ୧୯ରୁ ୩୦ ମଧ୍ୟରେ ପରୀକ୍ଷା ହେବା ସହ ମେ’ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ।

ସେହିପରି ୨୦୨୦-୨୧ ଶିକ୍ଷାବର୍ଷର ୩ ବର୍ଷିଆ ୟୁଜି ପାଠ୍ୟକ୍ରମର ୪ର୍ଥ ସେମିଷ୍ଟର୍‌ ଓ ୪ ବର୍ଷିଆ ୟୁଜି ପାଠ୍ୟକ୍ରମର ୬ଷ୍ଠ ସେମିଷ୍ଟର୍‌ ପାଠପଢ଼ା ମେ’ ୩ରୁ ଅଗଷ୍ଟ ୩୧ ଯାଏ, ସେପ୍ଟେମ୍ବର ୧ରୁ ୧୫ ମଧ୍ୟରେ ପରୀକ୍ଷା ଏବଂ ଅକ୍ଟୋବର ୧୬ ସୁଦ୍ଧା ଫଳ ପ୍ରକାଶ ପାଇବ। ୨୦୨୧-୨୨ ଶିକ୍ଷାବର୍ଷର ୩ ବର୍ଷିଆ ୟୁଜି ପାଠ୍ୟକ୍ରମର ୫ମ ସେମିଷ୍ଟର୍‌ ଓ ୪ ବର୍ଷିଆ ୟୁଜି ପାଠ୍ୟକ୍ରମର ୭ମ ସେମିଷ୍ଟର୍‌ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସେପ୍ଟେମ୍ବର ୨୦ରୁ ୨୦୨୨ ଜାନୁଆରି ୨୦ ଯାଏ ଚାଲିବ। ଜାନୁଆରି ୨୧ରୁ ଫେବ୍ରୁଆରି ୪ ମଧ୍ୟରେ ପରୀକ୍ଷା ଏବଂ ଫେବ୍ରୁଆରି ୨୮ ସୁଦ୍ଧା ଫଳ ବାହାରିବ। ଉକ୍ତ ଛାତ୍ରଛାତ୍ରୀଙ୍କ ୬ଷ୍ଠ ସେମିଷ୍ଟର୍‌ ଓ ୮ମ ସେମିଷ୍ଟର୍‌ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଫେବ୍ରୁଆରି ୭ରୁ ମେ’ ୭ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଜୁନ୍‌ ୧୫ରୁ ୩୦ ମଧ୍ୟରେ ପରୀକ୍ଷା ଏବଂ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ।

ଅନ୍ୟପକ୍ଷରେ ବାର୍ଷିକ ପରୀକ୍ଷା ବ୍ୟବସ୍ଥାରେ ୨୦୨୦-୨୧ ଶିକ୍ଷାବର୍ଷ ଛାତ୍ରଛାତ୍ରୀଙ୍କ ଦ୍ବିତୀୟ ବର୍ଷ ପାଠପଢ଼ା ଫେବ୍ରୁଆରି ୧୦ରୁ ଅଗଷ୍ଟ ୧୪ ମଧ୍ୟରେ ଅନୁଷ୍ଠିତ ହେବ। ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୫ ମଧ୍ୟରେ ପରୀକ୍ଷା ହେବା ସହ ଅକ୍ଟୋବର ୧୬ରେ ପରୀକ୍ଷା ଫଳ ବାହାରିବ। ୨୦୨୧-୨୨ ଶିକ୍ଷାବର୍ଷର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସେପ୍ଟେମ୍ବର ୨୦ରୁ ୨୦୨୨ ମେ’ ୭ ମଧ୍ୟରେ ହେବ। ୨୦୨୨ ଜୁନ୍‌ ୧୫ରୁ ୩୦ ଯାଏ ପରୀକ୍ଷା ଚାଲିବ ଏବଂ ଜୁଲାଇ ୧୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ।

୨୦୨୦-୨୧ ଶିକ୍ଷାବର୍ଷର ପିଜି ପ୍ରଥମ ସେମିଷ୍ଟର୍‌ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଫେବ୍ରୁଆରି ୧୦ରୁ ଜୁନ୍‌ ୫ ଯାଏ ଚାଲିବ। ଜୁନ୍‌ ୭ରୁ ୧୯ ମଧ୍ୟରେ ପରୀକ୍ଷା ଏବଂ ଜୁଲାଇ ୨୦ରେ ଫଳ ବାହାରିବ। ଦ୍ବିତୀୟ ସେମିଷ୍ଟର୍‌ ପାଠପଢ଼ା ଜୁନ୍‌ ୨୧ରୁ ସେପ୍ଟେମ୍ବର ୩୦, ଅକ୍ଟୋବର ୧ରୁ ୧୧ ମଧ୍ୟରେ ପରୀକ୍ଷା ଏବଂ ନଭେମ୍ବର ୧୦ରେ ଫଳ ପ୍ରକାଶ ପାଇବ। ୨୦୨୧-୨୨ ଶିକ୍ଷାବର୍ଷର ୩ୟ ସେମିଷ୍ଟର୍‌ ପାଠପଢ଼ା ଅକ୍ଟୋବର ୧୮ରୁ ଜାନୁଆରି ୩୧, ୨୦୨୨ ଫେବ୍ରୁଆରି ୧ରୁ ୧୫ ମଧ୍ୟରେ ପରୀକ୍ଷା ଏବଂ ମାର୍ଚ୍ଚ ୧୫ ସୁଦ୍ଧା ଫଳ ବାହାରିବ। ୪ର୍ଥ ସେମିଷ୍ଟର୍‌ ପାଠପଢ଼ା ୨୦୨୨ ଫେବ୍ରୁଆରି ୧୬ରୁ ମେ’ ୭, ଜୁନ୍‌ ୧୫ରୁ ୩୦ ମଧ୍ୟ‌ରେ ପରୀକ୍ଷା ଏବଂ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ।

କ୍ଲାସରୁମ୍‌ ପାଠପଢ଼ା ନିୟମିତ ଭାବେ ଚାଲିବ। ଶ୍ରେଣୀଗୃହ ପାଠପଢ଼ାର ରେକର୍ଡିଂ କରାଯାଇ ରଖାଯିବ। ଫଳରେ କ୍ଲାସରୁମ୍‌ରେ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀ ପରବର୍ତୀ ସମୟରେ ପଢ଼ି ପାରିବେ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ପାଳନ କରିବେ। ୟୁଜିର ଦ୍ବିତୀୟ ବର୍ଷ ଓ ପିଜିର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ୮ ତାରିଖଠାରୁ ହଷ୍ଟେଲ ଖୋଲିବ। ରବିବାର, ସରସ୍ବତୀ ପୂଜା, ହୋଲି, ଉତ୍କଳ ଦିବସ, ରଥଯାତ୍ରା, ମହରମ୍‌, ଗଣେଶ ପୂଜା, ନୂଆଖାଇ, ଗାନ୍ଧୀ ଜୟନ୍ତୀ, ଦୁର୍ଗାପୂଜା, ମହାସପ୍ତମୀରୁ ବିଜୟା ଦଶମୀ(୪ଦିନ), ଦୀପାବଳି ଓ ଖ୍ରୀଷ୍ଟମାସ୍‌ରେ କ୍ଲାସରୁମ୍‌ ପାଠପଢ଼ା ବନ୍ଦ ରହିବ। ପୂର୍ବରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ବାତିଲ୍‌ କରାଯାଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟ ଏହି ନିୟମକୁ ପାଳନ କରିପାରନ୍ତି।

ସମ୍ବନ୍ଧିତ ଖବର