ଅବାଞ୍ଝିତ ବିଦ୍ୟୁତ ବିଭ୍ରାଟ ୪୭ ପ୍ରତିଶତ କମିଛି: ଟିପିସିଓଡିଏଲ୍

ଭୁବନେଶ୍ବର : ବିଭିନ୍ନ କାରଣରୁ ୨୦୧୯-୨୦ରେ ବର୍ଷକୁ ପ୍ରତି ୩୩ କେଭି ଫିଡର୍‌ରେ ୨୨୫ଥର ବିଦ୍ୟୁତ ବିଭ୍ରାଟ ଘଟିଥିଲା। ଚଳିତ ବର୍ଷ ମଧ୍ୟ ପ୍ରତି ୧୧ କେଭି ଫିଡର୍‌ରେ ୫୦୬ ଥର ବିଦ୍ୟୁତ ବିଭ୍ରାଟ ଘଟିଛି। ତେବେ ନିୟମିତ ନିରୀକ୍ଷଣ ଓ ସ୍ୱୟଂକ୍ରିୟ ପରିଚାଳନା ପାଇଁ ଏହି ଅବାଞ୍ଛିତ ବିଦ୍ୟୁତ ବିଭ୍ରାଟକୁ ୪୭ ପ୍ରତିଶତ କମା ଯାଇ ପାରିଛି ବୋଲି ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ କୁହାଯାଇଛି।

କମ୍ପାନିର ଯୁକ୍ତି ମୁତାବକ, ୨୦୨୦ ଜୁନ୍ ୧ରେ ଟିପିସିଓଡିଏଲ୍ ଦାୟିତ୍ବ ନେବା ପର ଠାରୁ ୩୦,୦୦୦ ବର୍ଗ କିଲୋମିଟର୍ ଲାଇସେନ୍ସ ପ୍ରାପ୍ତ ଅଂଚଳରେ ଥିବା ୨୭ ଲକ୍ଷ ଗ୍ରାହକଙ୍କୁ ସୁରକ୍ଷିତ, ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ଲାଗି ଉଦ୍ୟମ ଅବ୍ୟାହତ ରଖିଛି। ଓଭର୍‌ହେଡ୍ ତାର (ଉଭୟ ହାଇ ଭୋଲ୍‌ଟେଜ୍ ଓ ଲୋ ଭୋଲ୍‌ଟେଜ୍‌)ରେ ପକ୍ଷୀ ମାଡ଼ ହେବା, ଗଛ ପଡ଼ିବା, ଦ୍ରୁତ ଗତିରେ ପବନ ବହିବା, ବଜ୍ରପାତ ଓ ପ୍ରବଳ ବର୍ଷା ଫଳରେ ଲାଇନ୍‌ କଟୁଛି। ଏଥିପାଇଁ ‘ସେଂଟ୍ରାଲାଇଜ୍‌ଡ ପାୱାର ସିଷ୍ଟମ୍ କଂଟ୍ରୋଲ୍’ ସ୍ଥାପନ ହେବା ସହ ପୁରୁଣା ନେଟ୍‌ୱର୍କରେ ଉନ୍ନତି ଅଣାଯାଇଛି। ନେଟ୍‌ୱର୍କର ନିୟମିତ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବିଶେଷଜ୍ଞ ଏଜେନ୍ସି ମୁତୟନ ହେବା, ଉପଯୁକ୍ତ ଉପକରଣ ଓ ସ୍ପେୟାର୍ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଇବା ପ୍ରଭୃତି ବ୍ୟବସ୍ଥା କରାଯାଇଛି।

ଟିପିସିଓଡିଏଲ୍ ସିଇଓ ଏମ୍ ସେନ୍‌ବାଗମ୍‌ କହିଛନ୍ତି, ନିରବଚ୍ଛିନ୍ନ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଇବା ପାଇଁ ଟିପିସିଓଡିଏଲ୍ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଇଞ୍ଜିନିୟର୍ ଓ ଫିଲ୍ଡ ଷ୍ଟାଫ୍‌ମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଅବାଞ୍ଛିତ ବିଦ୍ୟୁତ କାଟ ହ୍ରାସ ଲାଗି ଟିପିସିଓଡିଏଲ୍ ଆସନ୍ତା ୭ ମାସ ମଧ୍ୟରେ ପୁରୁଣା ଓ ଖରାପ ଉପକରଣକୁ ବଦଳାଇବା ସହ ପ୍ରକଳ୍ପ ଭିତ୍ତିକ କାର୍ଯ୍ୟ ସହ ଫିଡର୍ ଓ ସବ୍‌ଷ୍ଟେସନ୍‌ ଗୁଡ଼ିକର ନବୀକରଣ, ସ୍ଥିତିଭିତ୍ତିକ ନିରୀକ୍ଷଣ, ପୁରୁଣା ସବ୍ ଷ୍ଟେସନ୍‌ଗୁଡ଼ିକର ଏଫ୍‌ଆର୍‌ପି ପାଇଁ ପୁଞ୍ଜିନିବେଶ କରିବାକୁ କମ୍ପାନି ଯୋଜନା କରିଛି।

ସମ୍ବନ୍ଧିତ ଖବର