ଅବହେଳିତ ଅବସ୍ଥାରେ ସୂର୍ଯ୍ୟମନ୍ଦିର ପରିସରରେ ଥିବା ପ୍ରାଚୀନ ଇଟା ମନ୍ଦିର

କୋଣାର୍କ : ସୂର୍ଯ୍ୟମନ୍ଦିର ପରିସରରେ ଥିବା ଇଟା ମନ୍ଦିର ଏବେ ତାର ଅସ୍ତିତ୍ବ ହରାଇବାକୁ ବସିଲାଣି। ଏହି ମନ୍ଦିରରେ ବ୍ୟବହୃତ ଇଟାଗୁଡ଼ିକ ଚୂନ ମିଶ୍ରିତ ଅଠାଳିଆ ସାମଗ୍ରୀରେ ଯୋଡ଼େଇ ହୋଇଥିବା ବେଳେ ଏହା ବର୍ତ୍ତମାନର ଇଟା ଠାରୁ ଅଧିକ ଲମ୍ବ ଓ ଚଉଡ଼ା ଅଟେ। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ମନ୍ଦିରଟି ଏବେ ଭାଙ୍ଗିଯିବା ସହ ଏଥିରୁ ଇଟା ଖସିବା ଆରମ୍ଭ ହୋଇଛି। ନିୟମିତ ବ୍ୟବଧାନରେ ମନ୍ଦିରରୁ ଇଟା ଖସିବା ଜାରି ରହିଥିଲେ ମଧ୍ୟ ଏହାର ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟପକ୍ଷରେ ଅସରାଏ ବର୍ଷାରେ ଏହି ମନ୍ଦିରର ମୂଳଦୁଆରୁ ପ୍ରାୟ ଦୁଇ ଫୁଟ୍‌ ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହୁଛି। ଫଳରେ ମନ୍ଦିରଟି ଏବେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହି ମନ୍ଦିରଟିକୁ ସୂର୍ଯ୍ୟଙ୍କ ପତ୍ନୀ ମାୟାଦେବୀଙ୍କ ମନ୍ଦିର ବୋଲି ପର୍ଯ୍ୟଟକମାନଙ୍କୁ ଅବଗତ କରାଯାଇଥାଏ। ତେବେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏଏସ‌୍ଆଇ କର୍ତ୍ତୃପକ୍ଷ ଏ ଦିଗରେ ଅବହେଳା କରୁଛନ୍ତି। ଇଟା ମନ୍ଦିରକୁ ସୁରକ୍ଷିତ ରଖିବା ସହ ଏହାର ରକ୍ଷଣାବେକ୍ଷଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର