ନାକ୍‌ ମାନ୍ୟତା ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ମାନସମନ୍ଥନ : କଲେଜଗୁଡ଼ିକୁ ସାପ୍ତାହିକ ମନିଟରିଂ କରାଯିବ

ଜଣେ ମେଣ୍ଟରଙ୍କ ଅଧୀନରେ ୨୦ କଲେଜ

ଭୁବନେଶ୍ବର: ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ନାକ୍‌ ମାନ୍ୟତା ହାସଲ କରିବା ବାଧ୍ୟତାମୂଳକ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ତତ୍ପରତା ପ୍ରକାଶ କରିଛି ଉତ୍କଳ ବିଶ୍ବବିଦ୍ୟାଳୟ। ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୧୩୨ କଲେଜ ଏବେ ସୁଦ୍ଧା ନାକ୍‌ ମାନ୍ୟତା ହାସଲ କରିନାହାନ୍ତି। ତେଣୁ ନାକ୍‌ ମାନ୍ୟତା ନେଇ ସେମାନଙ୍କୁ ତାଲିମ ଦେବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। କିଭଳି ଭାବେ ନିର୍ଦ୍ଧାରିତ ସମୟ ପୂର୍ବରୁ ସେମାନେ ନାକ୍‌ ମାନ୍ୟତା ହାସଲ କରିପାରିବେ, ସେ ନେଇ ଆଜି ଦିନତମାମ ମାନସମନ୍ଥନ କରାଯାଇଥିଲା। ୧୩୨ଟି କଲେଜ ପାଇଁ ୭ଜଣ ମେଣ୍ଟରଙ୍କୁ ନିଯୁକ୍ତ କରାଯାଇଛି। ସେମାନେ କଲେଜଗୁଡ଼ିକୁ ନାକ୍‌ ମାନ୍ୟତା ହାସଲ କରିବାରେ ସହାୟତା ଯୋଗାଇ ଦେବା ସହ ମାର୍ଗଦର୍ଶନ କରାଇବେ। ସେମାନେ ପ୍ରତି ସପ୍ତାହରେ କଲେଜ କର୍ତୃପକ୍ଷଙ୍କୁ ଡାକି ଏନେଇ ଆଲୋଚନା‌ କରିବେ। ମାର୍ଚ୍ଚ ସୁଦ୍ଧା ମେଣ୍ଟରମାନେ ସେଲ୍ଫ ଷ୍ଟଡି ରିପୋର୍ଟ ଦାଖଲ କରିବେ। ବିଶ୍ବବିଦ୍ୟାଳୟର ଜଣେ ଅଧିକାରୀ ନୋଡାଲ ଅଫିସର ଭାବେ ରହିବେ। ଯିଏ କି ୭ଜଣ ମେଣ୍ଟରଙ୍କଠାରୁ ପ୍ରତି ସପ୍ତାହରେ ମନିଟରିଂ ରିପୋର୍ଟ ଆଦାୟ କରିବେ। ଯେକୌଣସି ପ୍ରକାରେ ସମସ୍ତ କଲେଜ ୨୦୨୦-୨୧ ଶିକ୍ଷାବର୍ଷରେ ହିଁ ନାକ୍‌ ମାନ୍ୟତା ପାଇଁ ଆବେଦନ କରିବାକୁ ବିଶ୍ବବିଦ୍ୟାଳୟ କଲେଜ ଉନ୍ନୟନ ପରିଷଦ(ସିଡିସି) ଓ ବିଶ୍ବବ୍ୟାଙ୍କର ମିଳିତ ସହଯୋଗରେ ଅନୁଷ୍ଠିତ ବୈଠକରେ କୁହାଯାଇଛି। ଏଥିସହ ଭାଲ୍ୟୁ ଆଡେଡ୍‌ କୋର୍ସ ଖୋଲିବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ବିଭିନ୍ନ ବିଶ୍ବବିଦ୍ୟାଳୟ ସହିତ ରାଜିନାମା କରି‌ବ। ଆଉଟ୍‌କମ୍‌ ବେସ୍‌ଡ କରିକ୍ୟୁଲମ୍‌କୁ ଏହି ବର୍ଷରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖା ଯାଇଛି।

ଉତ୍କଳ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ତଥା ସିଡିସି ନିର୍ଦେଶକ ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ କଲେଜଗୁଡ଼ିକ କିଭଳି ନାକ୍‌ ମାନ୍ୟତା ପାଇବେ, ସେନେଇ ତାଲିମ୍‌ ଦିଆଯାଇଥିଲା। କଲେଜଗୁଡ଼ିକୁ ଗ୍ରୁପ୍‌ କରାଯାଇ ଆଲୋଚନା ‌ହୋଇଥିଲା। ପ୍ରତି କଲେଜରୁ ଦୁଇ ଜଣ ଲେଖାଏ ଏହି ବୈଠକରେ ସାମିଲ ହୋଇଥିଲେ। ପ୍ରତି କଲେଜ ଅଧ୍ୟକ୍ଷଙ୍କ ସମେତ ଆଇକ୍ୟୁଏସିର ନିର୍ଦେଶକମାନେ ସାମିଲ ‌ହୋଇ ଆବେଦନ କରିବା ପୂର୍ବରୁ କିଭଳି ପ୍ରସ୍ତୁତ ହେବେ, ସେନେଇ ତାଲିମ ଦିଆଯାଇଛି। ନାକ୍‌ ମାନ୍ୟତା ପାଇଁ କିଭଳି ପ୍ରସ୍ତୁତ ହେଲେ, ସେ ବିଷୟରେ ଜାଣିବା ପାଇଁ ମାର୍ଚ୍ଚ ଭିତରେ ପୁଣି ଥରେ ବୈଠକ ଡକାଯିବ। ଆଜିର ଏହି ବୈଠକରେ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାଶ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିହିର ଦାସ, ବିଶ୍ବବ୍ୟାଙ୍କ ପକ୍ଷରୁ ସରିତା ରାଉତ, ମେଣ୍ଟରମାନଙ୍କ ମଧ୍ୟରେ ପ୍ରଫେସର ଅପରାଜିତା ଚୌଧୁରୀ, ପ୍ରଫେସର ରଞ୍ଜନ କୁମାର ବଳ, ପ୍ରଫେସର ସୁସ୍ମିତ୍‌ ପାଣି, ପ୍ରଫେସର ଶିବପ୍ରସାଦ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ବିଶ୍ବବ୍ୟାଙ୍କ ସଂ‌ଯୋଜକ ନିଗମାନନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌ‌ମେନ୍ଦ୍ର ମୋହନ ପଟ୍ଟନାୟକ, ଆଇକ୍ୟୁଏସି ନିର୍ଦେଶିକା ପ୍ରଭାତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର