ପରୀକ୍ଷାର୍ଥୀଙ୍କ ସହ ଖେଳୁଛି ଉତ୍କଳ ବିଶ୍ବବିଦ୍ୟାଳୟ, ଫଳ ପ୍ରକାଶ ପରେ ବି ମିଳୁନି ସାର୍ଟିଫିକେଟ୍‌

ଦିଲ୍ଲୀ ସଂସ୍ଥା ପ୍ରୀତିରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ, ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଯୁକ୍ତ୩ କଲେଜର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶକୁ ଦୁଇ ମାସ ବିତିଲାଣି। ପର୍ଯ୍ୟାୟକ୍ରମେ ବ୍ୟାକ୍‌ ପେପର ଫଳ ବାହାରି ସାରିଲାଣି। ତଥାପି ଛାତ୍ରଛାତ୍ରୀଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରୁନି ପ୍ରୋଭିଜନାଲ ସାର୍ଟିଫିକେଟ୍‌। ବିଶ୍ବବିଦ୍ୟାଳୟ ପକ୍ଷରୁ ମାର୍କସିଟ୍‌ ବି ପ୍ରଦାନ କରାଯାଇ ନାହିଁ। ଯେଉଁଥିପାଇଁ ସ୍ନାତକ ଡିଗ୍ରି ହାସଲ କରିବା ପରେ ଛାତ୍ରଛାତ୍ରୀ ଏବେ ବାଉଳା ହେଉଛନ୍ତି। କ’ଣ କରିବେ? କେମିତି ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇବେ? ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ପ୍ରତିଦିନ କଲେଜ କର୍ତୃପକ୍ଷଙ୍କ ନିକଟକୁ ଧାଉଁଛନ୍ତି। ତଥାପି କିଛି ସୁଫଳ ମିଳୁନି। ଆଜି ମିଳିବ, କାଲି ମିଳିବ କହି କଲେଜ କର୍ତୃପକ୍ଷ ଦିନ ଗଡ଼ାଇ ଚାଲୁଛନ୍ତି ସିନା ହେଲେ ସାର୍ଟିଫିକେଟ୍‌ ମିଳିପାରୁନି। ପ୍ରକୃତ କଥା ହେଉଛି ଯେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ ସାର୍ଟିଫିକେଟ୍‌ ଛପା ବି ହୋଇନି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଓ ଦିଲ୍ଲୀର ଏକ ସଂସ୍ଥାକୁ ଅନୁକମ୍ପା ଦେଖାଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି।

ପ୍ରୋଭିଜନାଲ ସାର୍ଟିଫିକେଟ୍‌ ମିଳିବାରେ ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। କଲେଜ ଅଧ୍ୟକ୍ଷଙ୍କୁ ଘେରିଥିଲେ। ଆନ୍ଦୋଳନ ବ୍ୟାପକ ରୂପ ଧରୁଥିବା ‌ଦେଖି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କେତେକ କଲେଜ କର୍ତୃପକ୍ଷଙ୍କୁ କହିଛନ୍ତି ଯେ ଆମେ ୱେବସାଇଟ୍‌ରେ କଲେଜକୁ ସାର୍ଟିଫିକେଟ୍‌ ପଠାଇ ଦେଉଛୁ। ପ୍ରୋଭିଜନାଲ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଡାଉନ୍‌ଲୋଡ କରି ଅଧ୍ୟକ୍ଷଙ୍କ ଦସ୍ତଖତ କରି ପିଲାଙ୍କୁ ଦେଇ‌ଦିଅନ୍ତୁ। କୌଣସି ଅସୁବିଧା‌ ହେବନି। ସବୁଠି ଚଳିବ। ତେବେ କର୍ତୃପକ୍ଷଙ୍କ ଏଭଳି ସଂକ୍ଷିପ୍ତ ବ୍ୟବସ୍ଥାକୁ ରାଜ୍ୟ ତଥା ଦେଶରେ ଥିବା କେତେକ ଉଚ୍ଚ ଶିକ୍ଷାନୁଷ୍ଠାନ ଗ୍ରହଣ କରିବାକୁ ରୋକଠୋକ୍‌ ମନା କରି ଦେଇଛନ୍ତି। ସେମାନେ ପ୍ରିଣ୍ଟ ବାହାରିଥିବା ତଥା କଲେଜ ଅଧ୍ୟକ୍ଷଙ୍କ ଦସ୍ତଖତ ଥିବା ସାର୍ଟିଫିକେଟ୍‌କୁ ଗ୍ରହଣ କରୁ ନଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀ କହିଛନ୍ତି ‌ଯେ ଫର୍ମ ପୂରଣ ବେଳେ ପ୍ରୋଭିଜନାଲ ଓ ମାର୍କସିଟ୍‌ ବାବଦରେ ୫୦ ଟଙ୍କା ଲେଖାଏ ନିଆଯାଉଛି। ସାର୍ଟିଫିକେଟ୍‌ ଲାଗି ୨୦୦ ଟଙ୍କା ନେଉଛନ୍ତି। ତା’ପରେ ବି ଜେରକ୍ସ କପି ଦେଉଛନ୍ତି। ଆମେ କାହିଁକି ଜେରକ୍ସ କପି ନେବୁ। ତା’ପୁଣି କଲେଜ ଅଧ୍ୟକ୍ଷଙ୍କ ଦସ୍ତଖତରେ। ଛାତ୍ରଛାତ୍ରୀଙ୍କୁ ଭଣ୍ଡେଇ ଅର୍ଥ ହଡ଼ପ କରିବାକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏଭଳି କରୁଛନ୍ତି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂପୁର ଜିଲ୍ଲାର ଅଧିକାଂଶ କଲେଜ କର୍ତୃପକ୍ଷ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ସଂକ୍ଷିପ୍ତ ବ୍ୟବସ୍ଥା ବିଷୟରେ ଟେର୍‌ ପାଇପାରି ନାହାନ୍ତି।

ଭୁବନେଶ୍ବର ଏକ କଲେଜ ଅଧ୍ୟକ୍ଷ କହିଛନ୍ତି ଯେ ଆଗରୁ ବିଶ୍ବବିଦ୍ୟାଳୟରେ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ତିଆରି ହେଉଥିଲା। ଏବେକାର କୁଳପତି ମହୋଦୟଙ୍କର ଦିଲ୍ଲୀ ପ୍ରୀତି ରହିଛି। ତେଣୁ ସେ ପ୍ରତି କଥାରେ ଦିଲ୍ଲୀର ବିଭିନ୍ନ ସଂସ୍ଥାକୁ ଦାୟିତ୍ବ ଦେଉଛନ୍ତି। ଏହିକ୍ରମରେ ପ୍ରୋଭିଜନାଲ ସାର୍ଟିଫିକେଟ୍‌ ପ୍ରସ୍ତୁତ ଲାଗି ଦିଲ୍ଲୀର ଏକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଉକ୍ତ ସଂସ୍ଥା ନିର୍ଦ୍ଧାରିତ ସମୟରେ ସାର୍ଟିଫିକେଟ୍‌ ଦେଇପାରୁ ନଥିବାରୁ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ମାଝି କହିଛନ୍ତି ଯେ ପ୍ରିଣ୍ଟ ଲାଗି ସାର୍ଟିଫିକେଟ୍‌ ପଠାଯାଇଛି। ପ୍ରେସ୍‌ ସହ ଯୋଗାଯୋଗ ହୋଇଛି। ୩ ଦିନ ମଧ୍ୟରେ ସାର୍ଟିଫିକେଟ୍‌ ପ୍ରସ୍ତୁତ ହୋଇଯିବ। ତେବେ ପରୀକ୍ଷାର୍ଥୀ ଚାହିଁଲେ ମାର୍କସିଟ୍‌ରେ ଥିବା କ୍ୟୁଆର କୋଡ୍‌କୁ ବ୍ୟବହାର କରି ଅନ୍‌ଲାଇନ୍‌ରେ ପ୍ରେଭିଜନାଲ ସାର୍ଟିଫିକେଟ୍‌ ପାଇପାରିବେ।

ସମ୍ବନ୍ଧିତ ଖବର