ଉତ୍ତରାଖଣ୍ଡରେ ୧ଲକ୍ଷ ନକଲି କୋଭିଡ ପରୀକ୍ଷାର ତଦନ୍ତ ଆରମ୍ଭ; ଓଡ଼ିଶାରେ ବି ନକଲି କୋଭିଡ ପରୀକ୍ଷା!

ଭୁବନେଶ୍ବର : ଉତ୍ତରାଖଣ୍ଡରେ କୁମ୍ଭମେଳା ସମୟରେ ହୋଇଥିବା ୧ଲକ୍ଷ ନକଲି କୋଭିଡ ପରୀକ୍ଷାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚା। ଜଣେ ଏଲଆଇସି ଏଜେଣ୍ଟ ନିଜର କୋଭିଡ ପରୀକ୍ଷା କରାଇ ନ ଥିଲେ ହେଁ, ତାଙ୍କର ସ୍ବାବ୍ ସଂଗ୍ରହ କରାଯାଇଥିବା ନେଇ ମେସେଜ୍ ଆସିବାକୁ ନେଇ ନକଲି କୋଭିଡ ପରୀକ୍ଷାର ସ୍କାମ୍ ପଦାକୁ ଆସିଥିଲା। ହେଲେ କେବଳ ଉତ୍ତରଖଣ୍ଡରେ ନୁହେଁ, ଓଡ଼ିଶାରେ ମଧ୍ୟ ଏଭଳି ନକଲି କୋଭିଡ ପରୀକ୍ଷା ହୋଇଥିବା ନେଇ ସମାଜ ଅଭିଯୋଗ ଆସିଛି। ପରୀକ୍ଷା ନ କରି ମଧ୍ୟ ଲୋକଙ୍କ ପାଖକୁ ନମୁନା ସଂଗ୍ରହର ମେସେଜ୍ ଯାଇଛି। କିଛି ଲୋକ ତ ସିଧାସଳଖ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଟ୍ବିଟରକୁ ଟ୍ୟାଗ୍ କରି ଏଭଳି ନକଲି କୋଭିଡ ପରୀକ୍ଷା ସଂପର୍କରେ ସୂଚନା ମଧ୍ୟ ଦେଇଛନ୍ତି। ମାତ୍ର ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି କାହାକୁ ଜଣାନାହିଁ। ଏ ଦୃଷ୍ଟିରୁ ରାଜ୍ୟରେ ପ୍ରକୃତରେ ନକଲି କୋଭିଡ ପରୀକ୍ଷା କେତେ ? ଅନ୍ୟପଟରେ ‌କୋଭିଡ ତାଲିକାରେ ଷ୍ଟେଟ୍‌ ପୁଲ୍‌ରେ ପ୍ରତ୍ୟେକ ଦିନ ସଂଖ୍ୟା ବଢ଼ି ଚାଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକାଧିକ ଥର ପରୀକ୍ଷା, ଠିକଣା ନ ଥିବା, ବାହାର ରାଜ୍ୟରୁ ଆସିଥିବା ଲୋକ କିମ୍ବା ଅନ୍ୟ କେଉଁମାନେ ଏଥିରେ ସାମିଲ ରହିଛନ୍ତି ତାହା ଏକ ପ୍ରକାର ରହସ୍ୟ ହୋଇ ରହିଛି। ଏପରିକି‌ ପ୍ରତ୍ୟେକ ଦିନ ଷ୍ଟେଟ୍‌ ପୁଲ୍‌ରୁ ମଧ୍ୟ ରୋଗୀମାନେ ସୁସ୍ଥ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି।

ବରଗଡ଼ ଅଞ୍ଚଳର ପଙ୍କଜ ପଣ୍ଡା ଆମେରିକାର ରୋଡ୍‌ ଆଇଲାଣ୍ଡରେ ରହୁଛନ୍ତି। ଗତମାସ ୨୮ତାରିଖରେ ତାଙ୍କ ପାଖକୁ ସ୍ବାବ୍ ନମୁନା ସଂଗ୍ରହ କରାଯାଇଥିବା ନେଇ ଏକ ମେସେଜ୍ ଯାଇଥିଲା। ଆମେରିକାରେ ରହୁଥିବା ହେଁ ଓଡ଼ିଶାରେ ତାଙ୍କର କୋଭିଡ ନମୁନା ସଂଗ୍ରହ କରାଯାଇଥିବା ମେସେଜ୍‌ରେ କୁହାଯାଇଥିଲା। ଯାହାକୁ ନେଇ ସେ ମୁଖ୍ୟମନ୍ତ୍ରୀ ଓ ବରଗଡ଼ ଜିଲ୍ଲାପାଳଙ୍କୁ ଟ୍ୟାଗ୍ କରି ଟ୍ବିଟ୍‌ କରିଥିଲେ। ସେହିପରି ରାଜଧାନୀରେ ଏକ କ୍ଲିନିକ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ ଏକାଧିକ ଥର ଏଭଳି ମେସେଜ୍ ଆସିଥିବା ଜଣାପଡ଼ିଛି। ଏପରିକି ସ୍ବାବ୍ ନ ଦେଇ ମଧ୍ୟ ସେ ପଜିଟିଭ୍ ଥିବା ବିଏମ୍‌ସି ପକ୍ଷରୁ ଫୋନ୍ ଜରିଆରେ କୁହାଯାଇଥିଲା। ତେଣୁ ଏ ଦୁଇଟି ଉଦାହାରଣ ରାଜ୍ୟରେ ଯେ ନକଲି କୋଭିଡ ପରୀକ୍ଷା ହେଉଛି ତାହାକୁ ସ୍ପଷ୍ଟ କରି ଦେଇଛି। ଏହାଦ୍ବାରା ଯଦି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥାନ୍ତି ତାହାଲେ ତାଙ୍କୁ ଚିହ୍ନଟ କରିବା କଷ୍ଟକର। ତେଣୁ କେଉଁ କେଉଁ ହସ୍ପିଟାଲରେ ଏଭଳି ନକଲି କୋଭିଡ ପରୀକ୍ଷା ପାଇଁ ସ୍ବାବ୍ ସଂଗ୍ରହ ହୋଇଛି ତାହାର ଉପଯୁକ୍ତ ତଦନ୍ତ କରାଗଲେ ସବୁକିଛି ସାମ୍ନାକୁ ଆସିପାରିବ। ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ରାଜ୍ୟରେ ଏଭଳି ନକଲି କୋଭିଡ ପରୀକ୍ଷା ରିପୋର୍ଟ ସଂପର୍କରେ ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ ଏହାର ତଦନ୍ତ କରାଯିବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।

ସମ୍ବନ୍ଧିତ ଖବର