ଚର୍ଚ୍ଚାରେ ମହିଳାଙ୍କ ଆଳୁ ମିସନ: ଘରେଘରେ ଥାକ ମରାହୋଇଛି ଆଳୁ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବି ପ୍ରଶଂସାରେ ଶତମୁଖ

ଠାକୁରମୁଣ୍ଡା: ଆଳୁର ବଜାର ଦର ୨୦-୨୨ ଟଙ୍କାରୁ ଆଉ ତଳକୁ ଖସୁନି। ଏମିତି ଏକ ସମୟରେ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀବହୁଳ ଠାକୁରମୁଣ୍ଡା ବ୍ଲକ୍‌ରେ ଆଳୁଚାଷ ପାଇଁ ମହିଳାମାନେ ଆଗଭର ହେବା ଓ ସ୍ବଳ୍ପ ଜମିରୁ ଜଣେ ଲେଖା ଚାଷୀ ୧୨ରୁ ୧୪ କ୍ବିଣ୍ଟାଲ ପର୍ଯ୍ୟନ୍ତ ଆଳୁ ଅମଳ କରିବା ସମସ୍ତଙ୍କୁ ଚମକୃତ କରିଛି। ସବୁଠୁ ବଡ଼ କଥା ହେଉଛି, ଏହି ବ୍ଲକ୍‌ର ମହୁଲଡିହା ପଞ୍ଚାୟତ ଜାମୁନାଳିଆ ଗାଁର ସଫଳ ଆଳୁଚାଷ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‌ କରିବା ପରେ ଗାଁଟି ଏବେ ଚର୍ଚ୍ଚାରେ। ମହିଳା ଚାଷୀ ମଧ୍ୟ ଉତ୍‌ଫୁଲ୍ଲିତ ହୋଇ ଆଳୁଚାଷକୁ ଆଗକୁ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ଆଇଟିଡିଏ ସହାୟତାରେ ବିହନ ଓ କୃଷି ପରାମର୍ଶ ସମ୍ବନ୍ଧୀୟ ସହଯୋଗ ପାଇ ଜାମୁନାଳିଆ ଗାଁର ୪୨ ଜଣ ମହିଳା ଆଳୁଚାଷ କରିଥିଲେ। ୧.୫ କୁଇଣ୍ଟାଲ ବିହନ ରୋପଣ କରି ଜମି ପିଛା ୧୨ରୁ ୧୪ କ୍ୱିଣ୍ଟାଲ ଆଳୁ ଅମଳ କରିଛନ୍ତି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏଥିପାଇଁ ସବୁପ୍ରକାର ସାହାଯ୍ୟ, ସହଯୋଗ ଯୋଗାଇ ଦିଆଯାଇଛି। ଗାଁରେ ଆଳୁଚାଷ କରିଥିବା ୪୨ ଜଣ ମହିଳାଙ୍କୁ ଏହି ପ୍ରତିନିଧି ଭେଟିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସମସ୍ତଙ୍କ ଘରେ ବସ୍ତା ବସ୍ତା ଆଳୁ। କେତେକ ଚାଷୀ ଅଧିକ ଜମିରେ ଚାଷ କରିଥିବାରୁ ୨୦ କ୍ବିଣ୍ଟାଲ ପର୍ଯ୍ୟନ୍ତ ଅମଳ ପାଇଛନ୍ତି।

ଚାଷୀ ଫୁଲମଣି ଟଙ୍ଗଣିଆଙ୍କ କହିବା‌ ଅନୁସାରେ, କଠିନ ପରିଶ୍ରମର ବିକଳ୍ପ ନାହିଁ। ଏ କଥା ଆମେ ଆଳୁଚାଷରୁ ଅନୁଭବ କରିସାରିଲୁଣି। ତେବେ ଠାକୁରମୁଣ୍ଡା ଭଳି ଅଗମ୍ୟ ଅଞ୍ଚଳରେ ଆଳୁ ଭଳି ଖାଉଟି ଜିନିଷକୁ ଅଧିକ ଦିନ ଯାଏ ସଂରକ୍ଷିତ ରଖିବା ପାଇଁ କିଛି ସାଧନ ବ୍ୟବସ୍ଥା ନାହିଁ। ଯଦି ଶୀତଳଭଣ୍ଡାର ଥାଆନ୍ତା, ତେବେ ଅମଳ ଆଳୁକୁ ଆମେ ସଙ୍ଗେ ସଙ୍ଗେ ନ ବିକି ସାଇତି ରଖି ପରେ ବିକିଥାନ୍ତୁ। ଦୁଇ ପଇସା ଲାଭ ସହିତ ବିହନ ମଧ୍ୟ ସାଇତି ରଖିପାରିଥାନ୍ତୁ ବୋଲି ସେ କହିଛନ୍ତି।

 

ସମ୍ବନ୍ଧିତ ଖବର