ନବୀନଙ୍କ ଆଉ ଏକ ଥୋପ

ମୌସୁମୀ ଅଧିବେଶନରେ ବିଧାନ ପରିଷଦ ବିଲ୍‌, ତେଲେଙ୍ଗାନା ଢାଞ୍ଚାରେ ପରିଷଦ ଗଠନ ସୁପାରିସ, ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲା କମିଟି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରେ ଦେଖାଦେଇଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଥୋପ ପକାଇଛନ୍ତି। ଯେଉଁମାନେ ଆସନ୍ତା ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟ୍‌ରୁ ବଞ୍ଚିତ ହେବେ ଅଥବା ଯେଉଁ ସବୁ ନେତାଙ୍କୁ ଟିକେଟ୍‌ ଦିଆଯାଇପାରିବ ନାହିଁ, ସେମାନଙ୍କ ମଧ୍ୟରୁ କିଛି ପ୍ରଭାବୀ ନେତାଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ପରିସ୍ଥିତିରେ ବିଧାନ ପରିଷଦରେ ଥଇଥାନ କରିପାରନ୍ତି। ଆଜି ରାଜନୈତିକ ମହଲରେ ଏମିତି ଆଲୋଚନା ଆରମ୍ଭ ହୋଇଛି। ଏଭଳି ଚର୍ଚ୍ଚାର କାରଣ ହେଉଛି, ଆସନ୍ତାମାସ ପ୍ରଥମ ସପ୍ତାହରେ ବସିବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନରେ ବିଧାନ ପରିଷଦ ଗଠନ ଲାଗି ଚିଠା ବିଲ୍‌ ଗୃହରେ ଆଗତ କରାଯିବ। କେବଳ ସେତିକି ନୁହେଁ, ଏହି ବିଲ୍‌କୁ ପାରିତ କରି ସାଧାରଣ ନିର୍ବାଚନ ପୂର୍ବରୁ ଆନୁସଙ୍ଗିକ ଅନୁମୋଦନ ହାସଲ ଲାଗି ଆଜି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଏମିତି ଏକ ସୂଚନା ମିଳିଛି।

ବିଧାନ ପରିଷଦର ସ୍ୱରୂପ କିଭଳି ହେବ, ସେ ସଂକ୍ରାନ୍ତରେ ସରକାର ଗଠନ କରିଥିବା କମିଟି ତାଙ୍କ ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି। କମିଟିର ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ ଓ ଅନ୍ୟ ସଦସ୍ୟମାନେ ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ଲାଗି ସୁପାରିସ କରିଥିବା ସୂଚନା ମିଳିଛି। କମିଟିର ସୁପାରିସ ଉପରେ ସରକାର ତତ୍କାଳ ଅନୁଧ୍ୟାନ କରିବା ସହିତ ତୁରନ୍ତ ଏ ସଂକ୍ରାନ୍ତ ଚିଠା ବିଲ୍‌ ପ୍ରସ୍ତୁତ କରିବା ଲାଗି ଆଜି ନିର୍ଦେଶ ଦେଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଗଠନ କରିବା ଲାଗି ଆପାତତଃ ସ୍ଥିର ହୋଇଛି।

ନିୟମ ଅନୁଯାୟୀ ବିଧାନସଭା ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶ ଆସନ ବିଧାନ ପରିଷଦରେ ରହିବ। ଏଣୁ ଓଡ଼ିଶା ବିଧାନ ପରିଷଦ ଗଠନ ହେଲେ ଏହାର ସଦସ୍ୟ ସଂଖ୍ୟା ୪୯ରେ ସୀମିତ ରହିବ। ପରୋକ୍ଷ ନିର୍ବାଚନ ଓ ମନୋନୟନ ପଦ୍ଧତିରେ ଏହି ଆସନଗୁଡ଼ିକ ପୂରଣ ହେବ। ପରିଷଦ ଏକ ସ୍ଥାୟୀ ବ୍ୟବସ୍ଥାପକ ସଭା ଓ ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରିବାର ବ୍ୟବସ୍ଥା ରହିଛି।

ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବିଧାନ ପରିଷଦ ଗଠନର ବ୍ୟବସ୍ଥା ରଖାଯାଇଛି। ବର୍ତ୍ତମାନ ୭ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ବିହାର, ଜାମ୍ମୁ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ବିଧାନ ପରିଷଦ ରହିଛି। ଆସାମରେ ବିଧାନ ପରିଷଦ ଗଠନ ପାଇଁ ପ୍ରକ୍ରିୟା ଚାଲିଛି। ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରେ ବିଧାନ ପରିଷଦ ଗଠନ ନେଇ ସରକାର ପକ୍ରିୟା ଆରମ୍ଭ କରିଥିଲେ। ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଜେଡିରୁ ପ୍ରମିଳା ମଲ୍ଲିକ ଓ ମନୋହର ରାନ୍ଧାରୀ, କଂଗ୍ରେସରୁ ଭୁଜବଳ ମାଝୀ ଓ ବିଜେପିରୁ ନୀତିଶ ଗଙ୍ଗଦେବ ସଦସ୍ୟ ରହିଥିଲେ। ତେବେ କମିଟି ଗଠନ ପୂର୍ବରୁ ସବୁ ଦଳ ସହ ପରାମର୍ଶ କରାଯାଇ ନ ଥିବା ପରିପ୍ରେକ୍ଷୀରେ କଂଗ୍ରେସ ଓ ବିଜେପି ବିଧାୟକ ଏଥିରୁ ଓହରିଯାଇଥିଲେ। ବିଜେଡିର ତିନି ସଦସ୍ୟଙ୍କୁ ନେଇ କମିଟି ୨୦୧୫ ମସିହା ଫେବ୍ରୁଆରି ମାସ ପ୍ରଥମ ସପ୍ତାହରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯାଇଥିଲେ। ତେବେ ଏହି ଗସ୍ତ ଫଳପ୍ରଦ ହୋଇନଥିଲା।

ପାଖାପାଖି ସାଢ଼େ ୩ ବର୍ଷ ଧରି ସରକାର ଚୁପ୍‌ ବସିଥିଲେ। ଗତ ମାସରେ ଆଉ ଦୁଇ ରାଜ୍ୟ ବିହାର ଓ ତେଲେଙ୍ଗାନା ଯାଇ ବିଧାନ ପରିଷଦର ଗଠନ ପ୍ରଣାଳୀ ଓ କାର୍ଯ୍ୟଧାରା ଅନୁଧ୍ୟାନ କରିବାକୁ କମିଟିକୁ ପୁଣି ନିର୍ଦେଶ ଆସିଥିଲା। ବିରୋଧୀ ସଦସ୍ୟଙ୍କ ବିନା ଶ୍ରୀ ସାହୁଙ୍କ ନେତୃତ୍ୱରେ ଶାସକ ଦଳର ଅନ୍ୟ ଦୁଇ ସଭ୍ୟ ଓ ଅଧିକାରୀମାନେ ଦୁଇ ରାଜ୍ୟ ଯାଇ ସେଠାକାର ବିଧାନ ପରିଷଦର ଅଧ୍ୟକ୍ଷ, ଅଧିକାରୀ ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରି ଫେରିଥିଲେ।

କମିଟି ଆଜି ସରକାରଙ୍କୁ ଦେଇଥିବା ତାର ରିପୋର୍ଟରେ ଦର୍ଶାଇଛି ଯେ ତେଲେଙ୍ଗାନାରେ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ଯେପରି ରିଜୋଲ୍ୟୁସନ୍‌ ଆସିଥିଲା ଓ ଯେପରି ଗୃହୀତ ହୋଇଥିଲା, ଠିକ୍‌ ସେହିପରି ଭାବେ ଓଡ଼ିଶାରେ ରିଜୋଲ୍ୟୁସନ୍‌ ଅଣାଯାଇପାରିବ।

ସମ୍ବନ୍ଧିତ ଖବର