ଭିଜିଲାନସ୍‌ ଜାଲରେ ଭିଜିଲାନସ୍‌ ଅଧିକାରୀ

ସମ୍ବଲପୁର: କିଛି ବର୍ଷ ବ୍ୟବଧାନରେ ପୁଣି ସମ୍ବଲପୁର ଭିଜିଲାନସ୍ ଡିଭିଜନ ଦୁର୍ନାମ ମୁଣ୍ଡାଇଛି। ଜମି ଦୁର୍ନୀତି ମାମଲାରେ ଜଣେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଭିଜିଲାନସ୍‌ ଇନ୍‌ସପେକ୍ଟର ପ୍ରବୀରକେଶରୀ ତ୍ରିପାଠୀ ଚାକିରିରୁ ନିଲମ୍ବିତ ହୋଇଥିବା ବେଳେ ଏଥର ସିଧାସଳଖ ଭିଜିଲାନସ୍ ଜାଲରେ ପଡ଼ିଛନ୍ତି ଭିଜିଲାନସ୍‌ ଇନ୍‌ସପେକ୍ଟର ମାନସୀ ଜେନା। ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିଦେବା ପାଇଁ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି।

ସହଯୋଗୀ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ

ପୁଣି ଦୁର୍ନାମ ମୁଣ୍ଡଇଲା ସମ୍ବଲପୁର ଭିଜିଲାନ୍‌ସ୍‌ ଡିଭିଜନ

ଭିଜିଲାନସ୍ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଆଗରୁ ଭିଜିଲାନସ୍‌ ଜାଲରେ ପଡ଼ିଥିବା ଜଣେ ସରକାରୀ ଅଧିକାରୀଙ୍କ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଭିଜିଲାନସ୍‌ ଇନ୍‌ସପେକ୍ଟର ମାନସୀ ଜେନା। ସଂପୃକ୍ତ ଅଧିକାରୀଙ୍କ ମାମଲା ରଫାଦଫା କରିବା ପାଇଁ ସେ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବେସରକାରୀ ଲୋକଙ୍କ ଜରିଆରେ ମାନସୀ ୧୦ ଲକ୍ଷ ଟଙ୍କା ମାଗି ଥିଲେ। ଆଜି ଅପରାହ୍‌ଣ ୨ଟାରେ ମୁକେଶ ୧୦ ଲକ୍ଷ ଟଙ୍କା ଦେବା ବେଳେ ଓଡ଼ିଶା ଭିଜିଲାନସ୍‌ର ଆଭ୍ୟନ୍ତରୀଣ ଭିଜିଲାସ୍ ୟୁନିଟ୍(ଆଇଭିୟୁ) ହାତରେ ସେ ଧରାପଡ଼ିଥିଲେ। ମାନସୀଙ୍କ ନିର୍ଦ୍ଦେଶ ଅନୁସାରେ ମୁକେଶ ଏହି ଟଙ୍କା ଗ୍ରହଣ କରିଥିଲେ। ମାନସୀଙ୍କୁ ଦେବା ପୂର୍ବରୁ ରାସାୟନିକ ପ୍ରଳେପ ଦିଆ ଏହି ଟଙ୍କା ସବୁକୁ ଆଭ୍ୟନ୍ତରୀଣ ଭିଜିଲାସ୍ ୟୁନିଟ୍‌ର ଅଧିକାରୀମାନେ ଜବତ କରିଥିଲେ।

ଏହା ପରେ ମାନସୀଙ୍କ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଭୁବନେଶ୍ବରରେ ଥିବା ଘରେ ଚଢ଼ଉ କରାଯାଉଛି। ଏଥି ସହିତ ମୁକେଶଙ୍କ ବରଗଡ଼ ବାସଭବନରେ ମଧ୍ୟ ଭିଜିଲାନସ୍‌ ଚଢ଼ଉ ଜାରି ରହିଛି। ଗତକାଲି ଅଭିଯୋଗକାରୀଙ୍କ ଏତଲା ଆଧାରରେ ଭିଜିଲାନସ୍‌ ସେଲ୍‌ ପକ୍ଷରୁ ଧାରା ୭/୧୨ ପିସି ଆକ୍ଟ, ୧୯୮୮ ଅନୁସାରେ କେସ୍‌ ୫/୧୨.୫.୨୦୨୨ ରୁଜୁ କରାଯାଇଛି। ମାନସୀ ଏବଂ ମୁକେଶଙ୍କ ଜରିଆରେ ଅଧିକ ତଦନ୍ତ ଜାରି ରହିଛି। ଭିଜିଲାନସ୍‌ ନିର୍ଦ୍ଦେଶକ ୱାଇ.କେ ଜେଠୱା କହିଛନ୍ତି ଯେ, ଭିଜିଲାନସ୍‌ ଅଧିକାରୀମାନଙ୍କ ଉପରେ ଏବ‌େ ନଜର ରଖାଯାଇଛି। ଏଥିପାଇଁ ଭିଜିଲାନସ ନିର୍ଦ୍ଦେଶାଳୟରେ ଭିଜିଲାନସ୍‌ ସେଲ୍ ଡିଭିଜନରେ ଏକ ଆଭ୍ୟନ୍ତରୀଣ ଭିଜିଲାନସ୍ ୟୁନିଟ୍ ଖୋଲାଯାଇଛି। ଏହି ୟୁନିଟ୍ ଭିଜିଲାନସ୍‌ ଅଧିକାରୀମାନଙ୍କ କାର୍ଯ୍ୟକଳାପ ଉପ‌ରେ ଦୃଷ୍ଟି ରଖୁଛି। ଯିଏ ବି ଦୁର୍ନୀତି କରିବ, ତାଙ୍କ ବିରୋଧରେ ନିଶ୍ଚିତ ଭାବ‌େ କାର୍ଯ୍ୟାନୁ୍ଷ୍ଠାନ ନିଆଯିବ ବୋଲି  ଭିଜିଲାନସ୍‌ ନିର୍ଦ୍ଦେଶକ ଶ୍ରୀ ଜେଠୱା କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭିଜିଲାନସ୍‌ ଇନ୍‌ସପେକ୍ଟର ପ୍ରବୀର କେଶରୀ ତ୍ରିପାଠୀ ମିଥ୍ୟ ସତ୍ୟପାଠ ଜରିଆରେ ନିଜ ପତ୍ନୀ, ଭାଇ, ଶଳା ଓ ଶ୍ବଶୁରଙ୍କ ନାମରେ ୪୦ ଡେସିମିଲ୍ ସରକାରୀ ଜମି ହାତେଇ ନେଇଥିଲେ। ଅବସରପ୍ରାପ୍ତ ଅତିରିକ୍ତ ସଚିବ ଅଶୋକ ପୁରୋହିତଙ୍କ ଅଭିଯୋଗକ୍ରମେ ଏହି ମାମଲାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିଲା। ‌ସେତ‌େବେଳେ ଏ ସଂପର୍କରେ ଲଗାତାର ‘ସମ୍ବାଦ’ରେ ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ୨୦୧୫ ମସିହାରେ ଦୁର୍ନୀତି ଅଭିଯୋଗରେ ପ୍ରବୀରଙ୍କୁ ନିଲମ୍ବନ କରାଯିବା ସଂପର୍କରେ ‌ଘୋଷଣା କରିଥିଲେ। ଏହା ପରେ ପ୍ରବୀରଙ୍କ ସହିତ ଘଟଣାରେ ସଂପୃକ୍ତ କେତେକ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ହେଲେ, ଏଭଳି ସଂଗିନ ମାମଲାକୁ ନାଲିଫିତା ତ‌ଳେ ଚାପି ଦିଆଯାଇଥିବା ଅଭିଯୋଗକାରୀ ଅବସରପ୍ରାପ୍ତ ଅତିରିକ୍ତ ସଚିବ ଶ୍ରୀ ପୁରୋହିତ ଅଭିଯୋଗ ଆଣିଛନ୍ତି।

କିଏ ଏହି ମୁକେଶ ସାହୁ?

ବରଗଡ଼: ଭିଜିଲାନ୍ସ ଜାଲରେ ବରଗଡ଼ର ମୁକେଶ ସାହୁ ଛନ୍ଦି ହେବା ପରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। କଥା ଉଠୁଛି, କିଏ ଏହି ମୁକେଶ ସାହୁ? ବରଗଡ଼ ସମଲେଶ୍ବରୀ ମନ୍ଦିର ଜମି ହଡପ୍‌ ଘଟଣାକୁ ନେଇ ବରଗଡ଼ ଅଶାନ୍ତ ହୋଇଥିଲା। ଏହି ମାମଲାରେ ତାହାର ସଂପୃକ୍ତି ଥିବା ଚର୍ଚ୍ଚା ହେଉଛି। କିନ୍ତୁ କେଉଁ ଅଧିକାରୀଙ୍କୁ ସେହି ମାମଲାରୁ ଖସାଇବାକୁ ମୁକେଶ ଉଦ୍ୟମ କରୁଥିଲା, ତାହା ଉପରେ ଭିଜିଲାନ୍ସ ଖୋଳତାଡ଼ କରୁଛି। ମୁକେଶର ଘର ଅତାବିରା ବ୍ଲକ୍‌ ଲସ୍ତଲା ଅଂଚଳର ବୋଲି ଜଣାପଡ଼ିଛି। ସେ ଦୀର୍ଘ ବର୍ଷ ହେଲା ବରଗଡ଼ ସହରର ମାଷ୍ଟରଟିକ୍ରା ଅଂଚଳରେ ରହୁଥିଲା। ଗୁଡ଼ାଏ ଜମି କାରବାରରେ ସେ ସଂପୃକ୍ତ ଥିଲା। ଏପରିକି ବହୁ ବରିଷ୍ଠ ଅଧିକାରୀଙ୍କ ସହ ତା’ର ବସିବା ଉଠିବା ଥିଲା। କିଛି କାର୍ଯ୍ୟକ୍ରମରେ ସେ ଏହି ଅଧିକାରୀମାନଙ୍କ ସହ ପାଖାପାଖି ଚୌକିରେ ବି ବସୁଥିବା ନଜରକୁ ଆସିଛି।

ସମ୍ବନ୍ଧିତ ଖବର