କୋଟିପତି ଏଏସଆଇଙ୍କ ଘରେ ଚଢ଼ାଉ

ଜଗତସିଂହପୁର ଟାଉନ୍ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପୁଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ କଟକ ଭିଜିଲାନସ ଟିମ ପକ୍ଷରୁ ଚଢାଉ କରାଯାଇଛି। ସକାଳ ପ୍ରାୟ ୭ଟାରେ କଟକ ଭିଜିଲାନସର ୩ଟି ଟିମରେ ୨୫ ଜଣ କର୍ମଚାରୀ ଏକକାଳୀନ ଚଢାଉ କରିଥିଲେ। ଏଏସଆଇ ରବୀନ୍ଦ୍ରଙ୍କ ଏରସମା ବ୍ଲକ୍‌ ଗଡବିଷନପୁର ପଞ୍ଚାୟତ ଆନନ୍ଦପୁର ଗ୍ରାମରେ ଥିବା ପୈତୃକ ଘର, ମକୁନ୍ଦପୁର(ପଣ୍ତା ସାହି)ଠାରେ ଥିବା ଦୁଇ ମହଲା ଘର, ଭୁବନେଶ୍ବର ହଂସପାଳ ଠାରେ ସୁରେଖା ବାଟିକା ଆପାର୍ଟମେଣ୍ଟ୍‌ର ଫ୍ଲାଟ ଉପରେ ଚଢାଉ କରାଯାଇଥିଲା।

ତିନୋଟି ସ୍ଥାନରେ ଥିବା ଘରର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଘରୁ ୧୦ରୁ ଊର୍ଦ୍ଧ୍ବ ଏଟିଏମ କାର୍ଡ, ଜମିବାଡି କାଗଜପତ୍ର, ପ୍ରାୟ ୩ ଶହ ଗ୍ରାମର ସୁନା ଅଳଙ୍କାର ଘରେ ଥିବା ଲକରରୁ ଜବତ କରାଯାଇଥିଲା। ତିର୍ତୋଲ କୋର୍ଟରେ ରବୀନ୍ଦ୍ର ଏବେ କାର୍ଯ୍ୟ କରୁଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ପରିଣାମ ୧କୋଟି ୧୭ ଲକ୍ଷ ଟଙ୍କା ଆକଳନ କରାଯାଇଥିବା ବେଳେ ସମ୍ପତ୍ତିର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି। ବିଭିନ୍ନ କାରଣରୁ ପୂର୍ବରୁ ବିବାଦୀୟ ହୋଇ ପଡ଼ିଥିଲେ ଶ୍ରୀ ସେନାପତି। ଜଗତସିଂହପୁର ଟାଉନ୍ ଥାନାରେ ଥିବା ସମୟରେ ତାଙ୍କ ନାମରେ ଲାଞ୍ଚ‌ ମାଗୁଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ତାଙ୍କୁ ବନ୍ଦର ସାମୁଦ୍ରିକ ଥାନାକୁ ବଦଳି କରାଯାଇଥିଲା। ସେଠାରେ ଜଣେ ବ୍ୟକ୍ତିଙ୍କୁ ବିନାକାରଣରେ ମାଡ଼ ମାରିବାରୁ ତାଙ୍କୁ ସେଠାରୁ ଏସ୍‌ପି ବଦଳି କରିଥିଲେ। କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁ, କଟକ ଇନସପେକ୍ଟର ଅନୁପମା ସାହୁ, ପ୍ରସନ୍ନ ସାହୁ ଓ ଜ୍ୟୋତି ଶଙ୍କର ସାହୁ ପ୍ରମୁଖ ଆଜିର ଚଢାଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର