ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ବଡ଼ ମାଛ

ବୌଦ୍ଧ ଜିଲ୍ଲା କଣ୍ଟମାଳ ବ୍ଲକ୍‌ ଉମା ସେବା ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଚଢଉ

ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବୌଦ୍ଧ ଜିଲ୍ଲା କଣ୍ଟମାଳ ବ୍ଲକ୍‌ ଉମା ସେବା ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଚଢଉ କରିଛି। ତାଙ୍କର ୧କୋଟି ୯ଲକ୍ଷ ୪୭ହଜାର ୪୩୩ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି, ଅଧିକ ତଦନ୍ତ ଜାରି ରହିଛି। ତନଖି ଶେଷ ପରେ ପ୍ରକୃତ ସମ୍ପତ୍ତି ପରିମାଣ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଏସ୍‌.ପି ଅନୀଲ କୁମାର ପାତ୍ର ସୂଚନା ଦେଇଛନ୍ତି।

ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ର ଅତିରିକ୍ତ ଏସ୍‌ପି ଶାନ୍ତନୁ କୁମାର ପାଢୀଙ୍କ ନେତୃତ୍ବରେ ଏକକାଳୀନ ୩ଟି ସ୍ଥାନରେ ଚଢଉ ହୋଇଥିଲା। ସୋସାଇଟି ସମ୍ପାଦକ ଶ୍ରୀ ରାଉତ ୧୯୮୪ରେ ସୋସାଇଟି ସେଲସ୍‌ ମ୍ୟାନ୍‌ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ ସମ୍ପାଦକ। ତାଙ୍କ ଉମା‌ ସ୍ଥିତ ଦୁଇ ମହଲା ବାସଭବନର ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ସେହିପରି ଉମାରେ ଥିବା ୧୨ଶହ ବର୍ଗଫୁଟ ଗୃହର ମୂଲ୍ୟ ୨୦ଲକ୍ଷ ୧୦ହଜାର, ଉମା ମୌଜାରେ ଥିବା ୪ଟି ପ୍ଲଟ୍‌ର ମୂଲ୍ୟ ୮୬ହଜାର ୬୩୩ଟଙ୍କା ଆକଳନ ହୋଇଛି। ତାଙ୍କ ଘରୁ ୨ଲକ୍ଷ ୮୮ହଜାର ୯୬୯ ଟଙ୍କା ମୂଲ୍ୟର ଆସବାବ ପତ୍ର ଓ ୫ଲକ୍ଷ ୪୧ହଜାର ୩୧୬ଟଙ୍କା ମୂଲ୍ୟର ମାରୁତି କାର୍‌ ମଧ୍ୟ ଠାବ ହୋଇଛି। ୬ଲକ୍ଷ ୨୬ହଜାର ଟଙ୍କା ମୂଲ୍ୟର ବୋଲେରୋ, ୧ଲକ୍ଷ ୬୬ହଜାର ୮୬୨ଟଙ୍କା ମୂଲ୍ୟର ବୁଲେଟ୍‌ ମୋଟର ସାଇକେଲ୍‌ ଥିବା ଚଢଉ ବେଳେ ଧରାପଡ଼ିଛି। ଏଥିସହ ତାଙ୍କର ୫ଟି ବାଇକ୍‌, ୨ଟି ଟ୍ରାକ୍ଟର, ଏକ ଧାନଅମଳ ଯନ୍ତ୍ର ଅଛି। ତାଙ୍କ ଘରୁ ନଗଦ ୭ଲକ୍ଷ ୧୮ହଜାର ୯୯୦ଟଙ୍କା, ୧୯ଲକ୍ଷ ୯୫ହଜାର ଟଙ୍କା ମୂଲ୍ୟର ୪ଶହ ଗ୍ରାମ ସୁନା ଅଳଙ୍କାର ଓ ୩ଲକ୍ଷ ୫୫ହଜାର ଟଙ୍କା ମୂଲ୍ୟର ବ୍ୟାଙ୍କ ଜମା ଦସ୍ତାବିଜ ଠାବ ହୋଇଛି।

ସମ୍ବନ୍ଧିତ ଖବର