ଜଳସମ୍ପଦ ବିଭାଗ ଉପନିର୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଘଟଣା, ଆକଳନ ହେଲା ୨.୬ କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି

ବାଲେଶ୍ୱର: ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପନିର୍ଦେଶକ ସର୍ବେଶ୍ବର ସେନାପତିଙ୍କ ବିଭିନ୍ନ ଠିକଣାରେ ଗତକାଲି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଆଜି ତାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଇଛି। କଟକ ଭିଜିଲାନ୍ସ ନିଦେର୍ଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଶ୍ରୀ ସେନା‌ପତିଙ୍କ ନାଁରେ ଥିବା ୨ କୋଟି ୬ଲକ୍ଷ ୧୨,୨୫୨ ଟଙ୍କାର ସମ୍ପତ୍ତି ଥିବା ଆକଳନ କରାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ବାଲେଶ୍ବର ଭିଜିଲାନ୍ସ ପକ୍ଷରୁ ଇଂ ଶ୍ରୀ ସେନାପତିଙ୍କର ଭୁବନେଶ୍ବର ଓ ବାଲେଶ୍ବରର ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇ ତାଙ୍କ ନାମରେ ଥିବା ଘର, ଗାଡ଼ି ତଥା ଜମିବାଡ଼ି କାଗଜପତ୍ର, ବ୍ୟାଙ୍କ ବାଲାନ୍‌ସ ଓ ଅଳଙ୍କାର ଠାବ କରାଯାଇଥିଲା। ଭୁବନେଶ୍ବର ଭିପୁଲ ଗାର୍ଡେନ୍ସରେ ଥିବା ଫ୍ଲାଟ୍‌ର ମୂଲ୍ୟ ୩୭ ଲକ୍ଷ ୫୯ ହଜାର ୭୮୭ ଟଙ୍କା ଓ ବାଲେଶ୍ବର ସହର ଭାସ୍କରଗଂଜରେ ଥିବା ତିନିମହଲା କୋଠାର ମୂଲ୍ୟ ୫୭ ଲକ୍ଷ ୪୦ ହଜାର ୬୯୧ ଟଙ୍କାର ଆକଳନ କରାଯାଇଛି। ସେହିପରି ତାଙ୍କ ନାଁରେ ରେମୁଣା ବ୍ଲକ ଅନ୍ତର୍ଗତ ବାହାର୍ଦା‌ରେ ଏକ ଲକ୍ଷ ୩୪ ହଜାର ୪୪ ଟଙ୍କାର ଏକ ମହଲାର ଏକ ଘର, ବାଲେଶ୍ବର ସହରରେ ୧୫ ଲକ୍ଷ ୩୦ ହଜାର ଟଙ୍କାର ୩ଟି ପ୍ଲଟ୍‌, ୪ ଲକ୍ଷ ୧୧ ହଜାର ୩୨୧ ଟଙ୍କାର ଏକ ଆଇ-୧୦ ହ୍ୟୁଣ୍ଡାଇ କାର୍‌, ୨ ଲକ୍ଷ ୧୧ହଜାର ୧୫୬ ଟଙ୍କାର ଦୁଇଟି ଦୁଇଚକିଆ ଗାଡ଼ି, ୧୦ ଲକ୍ଷ ୬୨ ହଜାର ଟଙ୍କାର ସୁନାଗହଣା, ୧୧ ଲକ୍ଷ ୯୬ ହଜାର ୩୦୦ ନଗଦ ଟଙ୍କା, ୮ ଲକ୍ଷ ୪ ହଜାର ୬୮୧ ଟଙ୍କାର ଘରୋଇ ଆସବାବପତ୍ର ଥିବା ଆକଳନ କରାଯାଇଛି। ସେହିପରି ଶ୍ରୀ ସେନାପତିଙ୍କର ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ୫୭ ଲକ୍ଷ ୬୨ ହଜାର ୨୭୨ ଟଙ୍କାର ଜମା ଠାବ କରାଯାଇଛି। ତେବେ ତଦନ୍ତ ଚାଲୁ ରହିଥିବା ବେଳେ ରିପୋର୍ଟ ପ୍ରସ୍ତୁତ ହେବା ସୁଦ୍ଧା ଶ୍ରୀ ସେନାପତି ଗିରଫ ହୋଇନଥିବା ଭିଜିଲାନ୍ସ ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର