ପ୍ରତାପଙ୍କୁ ୨ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ

ଦୁର୍ନୀତିର ଚେର ଖୋଜାହେବ, ଓଲିଉଡ୍ ସିନେମାରେ ଲାଗିଥିବା ଟଙ୍କାର ଲିଙ୍କ୍ ବାହାରିବ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ପୁଲିସ ଗୃହ ଏବଂ ନିଗମର ବହିଷ୍କୃତ ଡେପୁଟି ମ୍ୟାନେଜର୍ ପ୍ରତାପ ସାମଲଙ୍କୁ ବୁଧବାର ଦିନ ଭିଜିଲାନ୍ସ ୨ଦିନିଆ ରିମାଣ୍ଡରେ ନେଇଛି। ୨୮ଟି କୋଠା, ଜମି ଓ ଫ୍ଲାଟ୍ ସମେତ କୋଟି କୋଟି ଟଙ୍କାର ବ୍ୟାଙ୍କ୍ ବାଲାନ୍ସ, ସେୟାର ମାର୍କେଟ୍ ଆଦିରେ କେଉଁ ଟଙ୍କା ଲାଗିଛି ତା’ର ଉତ୍ସ ଖୋଜିବ ଭିଜିଲାନ୍ସ। ଏହା ବ୍ୟତୀତ ପ୍ରତାପଙ୍କ ଭାଇ ଲଣ୍ଡନରେ ଠକେଇ କରିଥିବା ଟଙ୍କାରେ ପ୍ରତାପଙ୍କ ଭାଗରେ କେତେ ପଡ଼ିଛି ତା’ ରହସ୍ୟ ମଧ୍ୟ ଉନ୍ମୋଚନ କରିବ। ଏତିକି ନୁହେଁ, ବେଆଇନ୍ ଭାବେ ଗଚ୍ଛିତ ହୋଇଥିବା ପ୍ରାୟ ୧୫କୋଟି ଟଙ୍କାର ସଂପତ୍ତି କରିବାକୁ ପ୍ରତାପ କେବଳ ଓପିଏଚ୍‌ଡବ୍ଲୁସିରେ ଦୁର୍ନୀତି କରିଥିଲେ ନା ଅନ୍ୟ କେଉଁ ଉପାୟରେ ଏହି ସମ୍ପତି ଅର୍ଜନ ହୋଇଛି, ସେ ସବୁର ଖୋଳତାଡ଼ କରାଯିବ।

୩୩ବର୍ଷର କାର୍ଯ୍ୟକାଳରେ ପ୍ରତାପ ତାଙ୍କ ପତ୍ନୀ ସସ୍ମିତାଙ୍କ ନାଁ’ରେ ୨ଟି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟ କରିଥିଲେ। ତେବେ ଚଳଚ୍ଚିତ୍ର ତିଆରି କରିବା ପାଇଁ ପ୍ରତାପ କେଉଁଠୁ ଟଙ୍କା ଆଣିଲେ। ସାମାନ୍ୟ ଏଷ୍ଟିମେଟର୍‌ରୁ ଚାକିରି ଆରମ୍ଭ କରି ୨୦୨୧ସୁଦ୍ଧା ୧୦୨୨ଗୁଣା ଅଧିକ ସଂପତ୍ତି ଅକ୍ତିଆର୍ ପଛରେ ଆଉ କାହା କାହା ହାତ ଅଛି ଏବଂ ଓପିଏଚ୍‌ଡବ୍ଲୁସିରେ ଦୁର୍ନୀତି କରିବା ପଛରେ ଆଉ କେଉଁ ଧଳାହାତୀ ବା ଗଡ୍‌ଫାଦରଙ୍କ ଛତ୍ରଛାୟା ଥିଲା, ତା’ର ମଧ୍ୟ ଭିଜିଲାନ୍ସ ତର୍ଜମା କରିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର