କୃଷି କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଂଘ ଆନ୍ଦୋଳନ ସ୍ଥଗିତ ରଖିଛି। ରାଜ୍ୟ ଅଣଗେଜେଟେଡ୍‌ କର୍ମଚାରୀ ସମନ୍ବୟ ସଂଘ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଆଜି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିଛି। ଦାବି ପୂରଣ ବାବଦରେ କୃଷି ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ସଭାପତି ଦିଲ୍ଲୀପ ସାମନ୍ତରାୟ ସୂଚନା ଦେଇଛନ୍ତି। ସରକାର ଏହା ଉପରେ ଗୁରୁତ୍ବର ସହ ବିଚାର କରି ଦାବି ପୂରଣ କରିବା ପାଇଁ ସଂଘ ଆଶା ବାନ୍ଧିବା ସହ ରାଜ୍ୟ ଅଣଗେଜେଟେଡ୍‌ କର୍ମଚାରୀ ସମନ୍ବୟ ସଂଘ ସମ୍ପାଦକ ବ୍ରଜ କିଶୋର ନନ୍ଦଙ୍କୁ ବଧେଇ ଜଣାଇଛି। ୧୨ ତାରିଖ ଦିନ ସମୂହ ଛୁଟିରେ ଯିବା ନିଷ୍ପତ୍ତିକୁ ବାତିଲ କରିବା ସହ ସଂଘର ସମସ୍ତ ସଦସ୍ୟ କଳାବ୍ୟାଜ୍‌ ଖୋଲିଛନ୍ତି। ପଦବିର ନାମ ଗ୍ରାମ୍ୟ କୃଷି କର୍ମଚାରୀରୁ ପରିବର୍ତ୍ତନ କରି ପଞ୍ଚାୟତ ଏଗ୍ରିକଲଚର ଅଫିସର କରିବା, କ୍ୟାଡର୍‌ ପୁନର୍ଗଠନ, କୃଷି ଓଭରସିୟର ପଦବିର ପୁନର୍ବିନ୍ୟାସ, ନିଯୁକ୍ତି କ୍ଷେତ୍ରରେ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ ପରିବର୍ତ୍ତେ ସ୍ନାତକ ବା କୃଷି ଶିକ୍ଷାରେ ଡିପ୍ଲୋମା କରିବା ପ୍ରମୁଖ ଦାବି ନେଇ ପାଖାପାଖି ୩ ହଜାର ପୁରୁଷ ଓ ମହିଳା କୃଷି କର୍ମଚାରୀ ୫ ତାରିଖରୁ କଳାବ୍ୟାଜ୍‌ ପରିଧାନ କରି ଆନ୍ଦୋଳନ କରିବା ସହ ଆସନ୍ତାକାଲି ଠାରୁ ସମୂହ ଛୁଟିରେ ଯିବା ପାଇଁ ଆଜି ଆବେଦନ କରିବାକୁ ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର