ସଂଗରୋଧ କେନ୍ଦ୍ରରେ ଆତ୍ମହତ୍ୟାକୁ ନେଇ ତାତିଲେ ଗ୍ରାମବାସୀ : ସରପଞ୍ଚ, ସମିତି ସଭ୍ୟଙ୍କୁ ବାନ୍ଧିଲେ ମହିଳା

ବେତନଟୀ : ସଂଗରୋଧ କେନ୍ଦ୍ରରେ ଆତ୍ମହତ୍ୟା ଘଟଣାକୁ ନେଇ ତାତିଲେ ଗ୍ରାମବାସୀ। ବେତନଟୀ ବ୍ଲକ ଅଁଳା ପଞ୍ଚାୟତ ଡମ୍ବରୁଡହର ସଂଗରୋଧ କେନ୍ଦ୍ରରେ ଏତେବଡ଼ ଘଟଣା ଘଟିଥିଲେ ମଧ୍ୟ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ସ୍ଥାନୀୟ ରାଇକମାର ମହିଳାମାନେ ସରପଞ୍ଚ କୃଷ୍ଣଚନ୍ଦ୍ର ହେମ୍ବ୍ରମ ଓ ସମିତି ସଭ୍ୟ ବସନ୍ତ ସାମଲଙ୍କୁ ଅଟକ ରଖିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ। ଶେଷରେ ଉଭୟଙ୍କୁ ମହିଳାମାନେ ବାନ୍ଧିପକାଇଥିଲେ।

ଏ ସମ୍ପର୍କରେ ଖବର ପାଇ ବୈଶିଙ୍ଗା ଥାନା ଏସଆଇ ସୁଶାନ୍ତ ମହାକୁଡ଼ ଓ ଟିମ୍ ସେଠାରେ ପହଞ୍ଚି ଘଟଣାର ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହାପରେ ସ୍ଥାନୀୟ ବିଧାୟକ ସନାତନ ବିଜୁଳୀ ଓ ବୈଶିଙ୍ଗା ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ବାଇଁ ସେଠାରେ ପହଞ୍ଚିଥିଲେ। ବିଧାୟକ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ସହ ଏ ସମ୍ପର୍କରେ କଥା ହୋଇଥିଲେ। ଜିଲ୍ଲାପାଳ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଛାଡ଼ିଥିଲେ।

ଗତ ୧୦ ତାରିଖରେ ରାଇକମା ଗାଁର ସୁରେନ୍ଦ୍ର ବେହେରା ସଂଗରୋଧ କେନ୍ଦ୍ରରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଆତ୍ମହତ୍ୟା ଘଟଣାକୁ ନେଇ ପ୍ରଶାସନ ତଦନ୍ତରେ ଅବହେଳା କରୁଥିବା ଦର୍ଶାଇ ମହିଳାମାନେ ଦୁଇଜଣ ଜନପ୍ରତିନିଧିଙ୍କୁ ବାନ୍ଧି ପକାଇବା ଭଳି ପଦକ୍ଷେପ ନେଇଥିଲେ।

ସମ୍ବନ୍ଧିତ ଖବର