ଅଡିଓ ପରେ ଭିଡିଓକୁ ନେଇ ବିବାଦରେ କମିସନରେଟ ପୁଲିସ ‘ଫରଵାର୍ଡ କରିଦେଲେ ସବୁ ଥଣ୍ଡା ହୋଇଯିବ’

କଟକରୁ ଆସି ଭୁବନେଶ୍ବରରେ ଘର ତାଲା ପକାଇଲେ ହୋମଗାର୍ଡ ଏସିପି

ଭୁବନେଶ୍ବର: କମିସନରେଟ ପୁଲିସର ବିବାଦ ପିଛା ଛାଡ଼ୁନି। ଗୋଟିଏ ପରେ ଗୋଟିଏ ଘଟଣା ପୁଲିସକୁ ଅଡ଼ୁଆରେ ପକାଉଛି। ପୁଲିସ ଅଧିକାରୀଙ୍କ ଫୋନ୍ ବାର୍ତ୍ତାଳାପ ଅଡିଓ ଭାଇରାଲ୍ ପରେ ଏବେ ଭିଡିଓକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ରାଜଧାନୀ ଭୁବନେଶ୍ବରରେ କଟକ ହୋମଗାର୍ଡ ଏସିପିଙ୍କ ଭିଡିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ପୁଲିସ ବର୍ଦ୍ଦି ପିନ୍ଧି ହାତ ଉଠାଇ ଯୁକ୍ତିତର୍କ କରିବା ସହ ଫରଵାର୍ଡ(କୋର୍ଟ ଚାଲାଣ) କରିଦେଲେ ସବୁ ଥଣ୍ଡା ହୋଇଯିବେ ବୋଲି ହୋମଗାର୍ଡ ଏସିପି ବିଷ୍ଣୁ ପ୍ରସାଦ ମିଶ୍ର କହୁଥିବା ଦେଖିବାକୁ ମିଳୁଛି। ଏ ନେଇ ଖଣ୍ଡଗିରି ଥାନାରେ ଏସିପି ଶ୍ରୀ ମିଶ୍ରଙ୍କ ନାଁରେ ଅଭିଯୋଗ ହୋଇଛି।

ଅଭିଯୋଗରୁ ଜଣାପଡ଼ିଛି, ଖଣ୍ଡଗିରି ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ ଏକ ପୈତୃକ ଘରକୁ ନେଇ ଦୀପକ ତ୍ରିପାଠୀ ଓ ତାଙ୍କ ଭାଇଙ୍କ ମଧ୍ୟରେ ବିବାଦ ରହିଛି। ଏ ନେଇ ଖଣ୍ଡଗିରି ଥାନାରେ ପୂର୍ବରୁ ଅଭିଯୋଗ ମଧ୍ୟ ହୋଇଛି। କିନ୍ତୁ ଗତକାଲି ପୂର୍ବାହ୍ନ ୯ଟାରେ ହଠାତ୍ କଟକ ହୋମଗାର୍ଡ ଏସିପି ପୁଲିସ ପୋଷାକରେ (ଓଆର୦୫ଏଇ-୬୧୨୮) ଟାଟାସୁମୋ ଗାଡ଼ିରେ ସେହି ଘର ନିକଟରେ ପହଞ୍ଚିଥିଲେ। ସାଥୀରେ ୩ ଜଣ କନଷ୍ଟେବଳ ମଧ୍ୟ ଯାଇଥିଲେ। ତାଙ୍କ ଉପସ୍ଥିତିରେ ଜଣେ ବ୍ୟକ୍ତି ଘରର ତାଲା କାଟିବା ସହ ଆଉ ଏକ ନୂଆ ତାଲା ପକାଇଥିଲେ। ଏହି ଘଟଣାକୁ ଦୀପକଙ୍କ ପତ୍ନୀ ଓ ପରିବାର ଲୋକ ବିରୋଧ କରିଥିଲେ। ‘ଫରଵାର୍ଡ କରିଦେଲେ ଥଣ୍ଡା ହୋଇଯିବ’ ହୋଇଯିବ ବୋଲି ଏସିପି ବିଷ୍ଣୁପ୍ରସାଦ ମିଶ୍ର କହୁଥିବା ମଧ୍ୟ ଭିଡିଓରୁ ଜଣାପଡ଼ିଛି। ଏହି ଭିଡିଓ ସହ ଦୀପକଙ୍କ ପତ୍ନୀ ପୁଷ୍ପାଞ୍ଜଳି ମହାପାତ୍ର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। କୌଣସି ସମ୍ପର୍କୀୟଙ୍କ ସପକ୍ଷରେ ଯାଇ କାମ କରିବା ହୁଏତ ଭୁଲ୍ ନୁହେଁ। କିନ୍ତୁ ପୁଲିସ ପୋଷାକ ପିନ୍ଧି, ଅନ୍ୟ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯାଇ, ସାଙ୍ଗରେ କନଷ୍ଟେବଳଙ୍କୁ ଧରି, କୋର୍ଟ ଫରଵାର୍ଡ ଭଳି ଧମକ ଦେବା ଆଇନ ସମ୍ମତ ନୁହେଁ ବୋଲି କହିଛନ୍ତି ଆଇନଜୀବୀ ସିଦ୍ଧାର୍ଥ ଦାସ। ସ୍ଥାନୀୟ ପୁଲିସକୁ ଏ ବିଷୟରେ ନ ଜଣାଇ ଏଭଳି କାର୍ଯ୍ୟ କରିବା ଆଇନତଃ ଅପରାଧ। ତେଣୁ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍।

ଏଠାରେ ପ୍ରଶ୍ନ ଉଠୁଛି ପୁଲିସ ପୋଷାକ ପିନ୍ଧି ଏହାର ଫାଇଦା ନେବାକୁ ଚାହିଁଥିଲେ କି ଏସିପି ବିଷ୍ଣୁପ୍ରସାଦ ମିଶ୍ର? ଘର ଦଖଲକୁ ନେବା ପାଇଁ ପୁଲିସ ଗାଡ଼ିରେ କନଷ୍ଟେବଳଙ୍କୁ ଧରି ଭୟଭୀତ କରିବାକୁ ବିଷ୍ଣୁପ୍ରସାଦ ମିଶ୍ରଙ୍କର ଉଦ୍ଦେଶ୍ୟ ଥିଲା କି? ଲକଡାଉନ୍ ସମୟରେ ଡ୍ୟୁଟି ଛାଡ଼ି ସରକାରୀ ଗାଡ଼ିରେ କଟକରୁ ଭୁବନେଶ୍ବର ଆସିବା ଲାଗି କିଏ ଅନୁମତି ଦେଇଥିଲା? ବିଷ୍ଣୁପ୍ରସାଦ ନିଜ ପଦବିର ଅପବ୍ୟବହାର କରି ନାହାନ୍ତି କି? ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ?

ଏ ସମ୍ପର୍କରେ ଆମେ ଏସିପି ବିଷ୍ଣୁପ୍ରସାଦ ମିଶ୍ରଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରିଥିଲେ ମଧ୍ୟ କିଛି ଉତ୍ତର ମିଳି ନ ଥିଲା। ଅନ୍ୟପକ୍ଷରେ ଖଣ୍ଡଗିରି ଥାନାଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି ଦୁଇ ଭାଇଙ୍କ ମଧ୍ୟରେ ବିବାଦର ଆପୋଷ ସମାଧାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଲକଡାଉନ୍ ଆଇନ ଉଲ୍ଲଂଘନ କରି ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ତତ୍କାଳୀନ ଥାନାଧିକାରୀ ଦୀପକ କୁମାର ଜେନା ସପରିବାର ପୁରୀ ଶ୍ରୀମନ୍ଦିର ଯିବା ଘଟଣାରେ ମାମଲା ରୁଜୁ ହେବା ସହ ତାଙ୍କୁ ଚାକିରିରୁ ନିଲମ୍ବିତ କରା ଯାଇଥିଲା।

ସମ୍ବନ୍ଧିତ ଖବର