ନିର୍ଦ୍ଧାରିତ ସମୟରେ ଅସମ୍ପୂର୍ଣ୍ଣ ରାସ୍ତା ଓ ଡ୍ରେନ କାମ ନକରିବାରୁ ଠିକା ସଂସ୍ଥାର ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

 

ଦାରିଙ୍ଗବାଡ଼ି : ବାରମ୍ବାର ଅଭିଯୋଗ ପରେ ବି ସମ୍ପୃକ୍ତ ଠିକାସଂସ୍ଥା ଅସମ୍ପୂର୍ଣ୍ଣ ରାସ୍ତା ଓ ଡ୍ରେନ କାମ ନକରିବାରୁ ଆଜି  ଠିକାସଂସ୍ଥାର ଗାଡ଼ିକୁ ପୁଣି ସିମନବାଡ଼ି ଗ୍ରାମବାସୀ ଅଟକ ରଖିଥିଲେ। ସମ୍ପୃକ୍ତ ଠିକା ସଂସ୍ଥା କାମ ଆରମ୍ଭ କରିବାକୁ ଲୋକଙ୍କୁ କହି ଅଧପନ୍ତରିଆ ଅବସ୍ଥାରେ ଛାଡ଼ି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସିମନବାଡ଼ି  ଗ୍ରାମ ଦେଇ ୫୯ ନଂ ଜାତୀୟ ରାଜପଥ ଯାଇଥିବା ବେଳେ ବର୍ତ୍ତମାନ ସମ୍ପ୍ରସାରଣ କାମ ଆରମ୍ଭ ହୋଇଛି। ଏହି କାମ ଆଜକୁ ୭ ମାସ ହେବ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ । ଯ’ଦ୍ୱାର ରାସ୍ତା କଡ଼ରେ ରହିଥିବା ଦୋକାନ ଗୁଡ଼ିକ ମଧ୍ୟ ବନ୍ଦ ହୋଇ ପଡ଼ିରହିଛି । ମାର୍କେଟରେ ଧୂଳି ଉଡୁଛି । ଡ୍ରେନ୍‌ ଓ ରାସ୍ତା ଗୁଡ଼ିକ ଭଙ୍ଗାଭଙ୍ଗି ହୋଇରହିଛି । ଏଭଳି ହେବା ଦ୍ୱାରା ସ୍ଥାନୀୟ ବ୍ୟବସାୟୀ ଓ ଅଂଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଠାଦୋକାନୀଙ୍କ ଜୀବିକା ବନ୍ଦ ହୋଇଯାଇଛି। କାମ ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପୃକ୍ତ ଠିକାସଂସ୍ଥାକୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ବି କାମ ନକରିବା ଯୋଗୁଁ  ଗତ ମାର୍ଚ୍ଚ ମାସ ୩୦ ତାରିଖ ଦିନ ଗ୍ରାମବାସୀ ବାଧ୍ୟ ହୋଇ ଠିକାସଂସ୍ଥାର ଗାଡ଼ି ଗୁଡିକୁ ସିମନବାଡ଼ି ବଜାରରେ ଅଟକ ରଖିଥିଲେ। କିନ୍ତୁ ଅତିଶୀଘ୍ର କାମ ଆରମ୍ଭ କରିବା ନେଇ ଠିକାସଂସ୍ଥା ପ୍ରତିଶ୍ରୁତି ଦେଇଥିଲା। ଏହା ଭିତରେ ୧୭ ଦିନ ବିତି ଯାଇଥିଲେ ସୁଦ୍ଧା ଠିକାସଂସ୍ଥା କାମ ଆରମ୍ଭ ନକରିବା ଯୋଗୁଁ ସିମନବାଡ଼ି ଗ୍ରାମବାସୀ ଆଜି ପୁଣି କମ୍ପାନି ଗାଡ଼ି ଗୁଡ଼ିକୁ ଅଟକ ରଖିଥିଲେ।
ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ଅଟକ ଗାଡ଼ିକୁ ଛାଡ଼ି ଦେଇଥିଲେ। ଏହାପରେ ସଂସ୍ଥାର ମ୍ୟାନେଜର୍‌ ପଞ୍ଚାନନ ଦାସ  ସିମନବାଡ଼ିରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରବିବାର ଦିନ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସିମନବାଡ଼ି ଆସି  ମାର୍କେଟ କାମ ଉପରେ ଆଲୋଚନା କରିବେ ବୋଲି  ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।  ଯଦି ଏହି ପ୍ରତିଶ୍ରୁତି ପାଳନ ନହୁଏ ତାହାହେଲେ ଗ୍ରାମବାସୀ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି କମ୍ପାନି ମ୍ୟାନେଜରଙ୍କୁ ରୋକ୍‌ଠୋକ୍‌ ଜଣାଇଛନ୍ତି।
ସମ୍ବନ୍ଧିତ ଖବର