ଭିନିଲ୍ କ୍ରିଷ୍ଣା ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ

ନୂଆବର୍ଷରେ ୪ ଜିଲ୍ଲାପାଳ ବଦଳିଲେ

ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ରାୟଗଡ଼ାର ଜିଲ୍ଲାପାଳ ବଦଳିଲେ
ସମର୍ଥ ବର୍ମା ପୁରୀ ଜିଲ୍ଲାପାଳ

ଭୁବନେଶ୍ବର : ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଟିମ୍‌ରେ ଆଉ ଜଣେ ବରିଷ୍ଠ ଅଧିକାରୀଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ଦେଇଛନ୍ତି। ୨୦୦୫ ବ୍ୟାଚ୍ ଆଇଏଏସ୍ ଆର୍ ଭିନିଲ୍ କ୍ରିଷ୍ଣା ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିବେ। ସେ କ୍ରୀଡ଼ା ଓ ଯୁବସେବା ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ। ପୂର୍ବରୁ ସେ ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦେଶକ ଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। ଏଥିସହିତ ନୂଆବର୍ଷରେ ଆଜି ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ପୁରୀ ସମେତ ଚାରିଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ପୁରୀ ଜିଲ୍ଲାପାଳ ବଲଵନ୍ତ ସିଂହ ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରିବେ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀ ସିଂଙ୍କ ସ୍ଥାନରେ ପୁରୀେର ନିଯୁକ୍ତି ଦିଆଯାଇଛି। ରାୟଗଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ ଶ୍ରୀ ବର୍ମାଙ୍କ ସ୍ଥାନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବେ। ଜଗତସିଂହପୁର ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସେଠାରେ ଥିବା ପ୍ରମୋଦ କୁମାର ବେହେରାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ତେବେ ଜଗତସିଂହପୁର ଜିଲ୍ଲାପାଳ ଭାବେ କାହାକୁ ନିଯୁକ୍ତି ଦିଆଯାଇନାହିଁ।

ସରକାରୀ ପଦକ୍ଷେପ ଆଧୁନିକୀକରଣ କେନ୍ଦ୍ର ବା ସିଏମ୍‌ଜିଆଇର କାର୍ଯ୍ୟନିର୍ବାହୀ ନିର୍ଦେଶକ ୨୦୧୦ ବ୍ୟାଚ୍ ଆଇଏଏସ୍ ସିଦ୍ଦିକ୍ ଆଲମ୍‌ଙ୍କୁ ତାଙ୍କ ମୂଳ ଦାୟିତ୍ବ ସହିତ ଶିଳ୍ପ ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଜି ରେଘୁ ଶିଳ୍ପ ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। କୋଭିଡ୍ ପରିଚାଳନା ପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଓ ବିଏମ୍‌ସି ଅତିରିକ୍ତ କମିସନର ଭାବେ ନିଯୁକ୍ତି ପାଇଥିବା ୨୦୧୫ ବ୍ୟାଚ୍ ଆଇଏଏସ୍ ପାରୁଲ୍ ପଟ୍ଟଵାରି ପୂର୍ତ ବିଭାଗରେ ଉପସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି। ୨୦୧୬ ବ୍ୟାଚ୍ ଆଇଏଏସ୍ ତଥା କୋଭିଡ୍‌ ପରିଚାଳନା ପାଇଁ ଖୋର୍ଧାର ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ବିଶାଳ ସିଂହ ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଭାବେ କାର୍ଯ୍ୟ କରିବେ।

ଏସବୁ ଅଦଳବଦଳ ନିର୍ବାଚନ କମିସନଙ୍କ ଅନୁମତି ପରେ ହିଁ ଯାଇ କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର