ବସ୍ତୁବାଦୀ ଦୁନିଆରେ ସତ୍‌ସଙ୍ଗ ମାନବ ଜୀବନ ପାଇଁ ଟିକା ସଦୃଶ: ଧର୍ମେନ୍ଦ୍ର

ଭର୍ଚୁଆଲ ସତ୍‌ସଙ୍ଗ

ଭୁବନେଶ୍ବର : ସମ୍ପ୍ରତି କରୋନା ମହାମାରୀର ସମାଧାନ ଭାବେ ଟିକା ଉପଯୋଗୀ ହେବା ଭଳି ବସ୍ତୁବାଦୀ ଦୁନିଆରେ ମାନବ ଜୀବନକୁ ଆଧ୍ୟାତ୍ମିକ ଚେତନାରେ ଯୋଡ଼ିବା ପାଇଁ ସତ୍‌ସଙ୍ଗ ହିଁ ଆଜିର ଦିନରେ ଟିକା ସଦୃଶ ହୋଇଛି। ଭାରତବର୍ଷ ହେଉଛି ଆଧ୍ୟାତ୍ମିକ ଚେତନାର ପୁଣ୍ୟଭୂମି। ଯୁଗେଯୁଗେ ଏହି ମାଟିରେ ସନ୍ଥ ମହାତ୍ମାଙ୍କ ଆବିର୍ଭାବ ହୋଇଛି। ସେମାନଙ୍କ ଚେତନା ବିଶ୍ୱବାସୀଙ୍କୁ ଆଧ୍ୟାତ୍ମିକ ଦିଗଦର୍ଶନ ଦେଇ ସମସ୍ତଙ୍କ ଜୀବନଧାରାକୁ ମଙ୍ଗଳମୟ କରିଛି। ମନୁଷ୍ୟ ଜୀବନରେ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯେପରି ମୌଳିକ ଆବଶ୍ୟକତା; ସେପରି ମଣିଷ ଜୀବନକୁ ମଙ୍ଗଳମୟ କରିବା ପାଇଁ ସତସଙ୍ଗ ଆଜିର ସମାଜରେ ଖୁବ୍ ପ୍ରାସଙ୍ଗିକ। ଠାକୁର ଶ୍ରୀଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୩ତମ ଜନ୍ମୋତ୍ସବ ଅବସରରେ ଆଜି କିଷାନନଗର, ନରସିଂହପୁର, ଭୁବନେଶ୍ୱର ନିମାପଡ଼ା ଓ ୪୨ ମୌଜା ‘ସ୍ବସ୍ତିବନ’ ଏବଂ ଗୋବିନ୍ଦପୁର ଓ ସାରକଣା ସତ୍‌ସଙ୍ଗ କେନ୍ଦ୍ର ଆନୁକୂଲ୍ୟ‌‌‌ରେ ଆୟୋଜିତ ‘ଭର୍ଚୁଆଲ ସତସଙ୍ଗ କାର୍ଯ୍ୟକ୍ରମ’ରେ ନୂଆଦିଲ୍ଲୀରୁ ସାମିଲ ହୋଇ ଏ ଭଳି ମତ‌ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଲେ, ଆମ ଭିତରେ ଅନେକଗୁଡ଼ିଏ ଦ୍ବନ୍ଦ୍ବ ଓ ବିରୋଧାଭାସ ରହିଛି। କରୋନା ମହାମାରୀ ସେହି ଦ୍ବନ୍ଦ୍ବକୁ ଅଧିକ ପ୍ରାଞ୍ଜଳ କରିଦେଇଛି। ଏହି ବିରୋଧାଭାସକୁ ଆମେ ଯଦି ଅତିକ୍ରମ କରି ନପାରିବା, ତେବେ ନିଜ ଜୀବନକୁ ଉପଭୋଗ କରିପାରିବା ନାହିଁ। ପ୍ରକୃତି ସହ ଏକ ବିରାଟ ବିରୋଧାଭାସରେ ମଣିଷ ଅବତୀର୍ଣ୍ଣ ହୋଇଛି। ଆମ ଭିତରେ ଥିବା ବିରୋଧାଭାସକୁ ଆମେ ଅନେକ ସମୟରେ ବୁଝି ମଧ୍ୟ ବୁଝିପାରୁନୁ। ଗୋଟିଏ ପଟେ ବିଜ୍ଞାନ ଓ କାରିଗରୀ କୌଶଳର ଅପୂର୍ବ ସମ୍ଭାବନା। ଅନ୍ୟପଟରେ ମଣିଷର ଅସହାୟବୋଧ। ଏହା ଭିତରେ ସମନ୍ବୟ ନ ଆ‌ଣିଲେ ଆମେ ତିଷ୍ଠି ପାରିବା ନାହିଁ। ବିକାଶ ପାଇଁ ଆଜି ଆମକୁ ପ୍ରକୃତି ସହ ଲଢ଼େଇ କରିବାକୁ ପଡ଼ୁଛି, ବିପର୍ଯ୍ୟସ୍ତ କରିବାକୁ ପଡ଼ୁଛି ଓ ସେହି ପ୍ରକୃତି ଏବେ ଆମର ସର୍ବନାଶର କାରଣ ହେଉଛି। ଆମେ ଧୀରେଧୀରେ ଆତ୍ମକୈନ୍ଦ୍ରିକ ହେବାରେ ଲାଗିଛୁ। ପ୍ରତ୍ୟେକ ମଣିଷ ନିଜକୁ ‘ମୁଁ’ରୁ ‘ଆମେ’କୁ ରୂପାନ୍ତରିତ କରି ୨୪ ଘଣ୍ଟାରୁ ଅନ୍ତତଃ ଘଣ୍ଟେ ଦୁଇଘଣ୍ଟା ଅନ୍ୟ ପାଇଁ ଦେବା ନିମନ୍ତେ ପିଲାଙ୍କୁ ମୂଳରୁ ଶିଖାଇବାକୁ ହେବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।

କାର୍ଯ୍ୟକ୍ରମରେ ସତ୍‌ସଙ୍ଗ ବିହାର ଲଙ୍ଗଳେଶ୍ବରର ସମ୍ପାଦକ ସଞ୍ଜୟ କୁମାର ପାତ୍ର ଯୋଗଦେଇ ‘ବ୍ୟବସ୍ଥା ସୁଧୁରୁଥିଲେ ହେଁ ମଣିଷର ଅବସ୍ଥା ସୁଧୁରୁନାହିଁ। କରୋନା ବହୁଦୃଷ୍ଟିରୁ ବିପର୍ଯ୍ୟୟ ଆଣିଥିଲେ ହେଁ ସତ୍‌ସଙ୍ଗକୁ ଭିନ୍ନ ଢଙ୍ଗରେ ପୂର୍ବାପେକ୍ଷା ମଧ୍ୟ ଅଧିକ ଉପଭୋଗ କରିବାର ସୁଯୋଗ ଆଣିଦେଇଛି’ ବୋଲି କହିଥିଲେ। ଓ ବାଂଲାଦେଶର ସାମାଜିକ ସୁରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଞ୍ଜନ କୁମାର ଦେବ ମଧ୍ୟ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଫେସର ବିଜୟ କୁମାର ପରିଡ଼ା ପ୍ରାତଃପ୍ରାର୍ଥନା ଗାନ କରିଥିଲେ। ଏହାପରେ ପୁଲିନ କୁମାର ପରିଡ଼ା ସତ୍ୟାନୁସରଣ ପଥ ଓ କାର୍ତିକ ଚନ୍ଦ୍ର ବାରିକ ସ୍ବାସ୍ଥ୍ୟ ଓ ସଦାଚାର ପଥ ସମ୍ପର୍କରେ ଆଲୋଚନା କରିଥିଲେ। ବିଶ୍ବେଶ୍ବର ରାୟ, ମନସ୍ବିତା ମଣ୍ଡଳ, ଶ୍ରୀଲା ଘୋଷାଲ ଓ ଦେବୋଦ୍ୟୁତି ଧର ପ୍ରମୁଖ ଭକ୍ତିଗୀତି ଗାନ କରିଥିଲେ।

କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଣିଷର ମାର୍ଗ କ’ଣ ହେବା ଉଚିତ, କେଉଁ ମାର୍ଗରେ ଗଲେ ଈଶ୍ବରପ୍ରାପ୍ତି ହୋଇପାରିବ ଏବଂ ପୃଥିବୀରେ କିପରି ଶାନ୍ତି ପ୍ରତିଷ୍ଠା ହୋଇପାରିବ ଆଦିର ଗୁଢ଼ ଜ୍ଞାନ ଏହି ସତ୍‌ସଙ୍ଗରୁ ହିଁ ମିଳିଥାଏ। ଅଧିବେଶନରେ ଶ୍ରୀଧର ସୁନ୍ଦର ମିଶ୍ର ମୁଖ୍ୟବକ୍ତା, ହେମନ୍ତ କୁମାର ନାୟକ ଓ ପୁଲିନ୍‌ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଡମ୍ବରୁଧର ଦାସ ଏହି ଅଧିବେଶନକୁ ପରିଚାଳନା କରିଥିଲେ। ସେହିପରି ଅପରାହ୍‌ଣ ୩ଟାରେ ଅନୁଷ୍ଠିତ ମାତୃ ସମ୍ମିଳନୀରେ ଆଇନଜୀବୀ ଶୁଭଶ୍ରୀ ଦାସ ମୁଖ୍ୟ ବକ୍ତା ଓ ନୀଳିକା ସାହୁ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ମତ ରଖିଥିଲେ। ଚପଳା ସେନାପତି ପରିଚାଳନା କରିଥିଲେ। ସଂଧ୍ୟାରେ ଆୟୋଜିତ ସଂଗୀତାଞ୍ଜଳି କାର୍ଯ୍ୟକ୍ରମରେ ସୋମନାଥ ଭୋୱାଲ, ସଂଦୀପ ମହାନ୍ତି, ପାର୍ଥ ସାରଥି, ନାରାୟଣୀ ଭଟ୍ଟାଚାର୍ଯ୍ୟ, ଇନ୍ଦ୍ରାଣୀ ମୁଖାର୍ଜୀ, ସରୋଜ ମହାନ୍ତି ପ୍ରମୁଖ ଠାକୁରଙ୍କ ସଂଗୀତ ଗାନ କରିଥିଲେ। ଶେଷ ଅଧିବେଶନ ‘ସଂଗୀତ ଓ ସଦାଲୋଚନା’ରେ ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି, ଦେଓଗଡ଼ ସତ୍‌ସଙ୍ଗ କେନ୍ଦ୍ରର ବିନାୟକ ମହାପାତ୍ର ମୁଖ୍ୟବକ୍ତା, ଦୀପକ ଦାସ ଓ ଧନୁର୍ଧର ଦାସ ପ୍ରମୁଖ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ମତ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କିଷାନ ନଗର ସତ୍‌ସଙ୍ଗ କେନ୍ଦ୍ରର ସୁକାନ୍ତ କୁମାର ନାୟକ, ନରସିଂହପୁର ସତ୍‌ସଙ୍ଗ କେନ୍ଦ୍ରର ଶ୍ରୀଧର କେତନ ସାହୁ, ମେଘନାଦ ସାହୁଙ୍କ ସମେତ ଦେବେନ୍ଦ୍ର ରାଉତ, ଅକ୍ଷୟ କୁମାର ସ୍ବାଇଁ, ଅଜୟ କୁମାର ସ୍ବାଇଁ, ଡ. ପ୍ରଫୁଲ୍ଲ ଚନ୍ଦ୍ର ଦାସ, ବିଚିତ୍ରା ସ୍ବାଇଁ, ନାରାୟଣ ସ୍ବାଇଁ, ଜୟନ୍ତ ସ୍ବାଇଁ, ସନାତନ ସ୍ବାଇଁ, ମଳୟ ସ୍ବାଇଁ, କିଶୋର ରାଉତ, କେଶବ ପରିଡ଼ା, ପ୍ରଶାନ୍ତ କୁମାର ମହାନ୍ତି, ଡ. ମଳୟସୁନ୍ଦର ଦାସ, ପ୍ରକାଶ ପତି, ଅଶୋକ କୁମାର ନାୟକ, ମନୋଜ କୁମାର ଲେଙ୍କା, ତପନ କୁମାର ପାହାଡ଼ସିଂହ, ନବକିଶୋର ସାହୁ, ଆନନ୍ଦ ସାହୁ, ଅନନ୍ତ ସାହୁ, ଅମୂଲ୍ୟ ହରିଚନ୍ଦନ, ବେଣୁଧର ପରିଡ଼ା ପ୍ରମୁଖ ଏହି ଦିବସବ୍ୟାପୀ ସତ୍‌ସଙ୍ଗ ପରିଚାଳନାରେ ସହଯୋଗ କରିଥିଲେ। ପୁରୀରୁ ସୁରତ ରଂଜନ ସାହୁ, ଗୁଡ୍‌ଗାଁଓରୁ ମାନସ ସୁନ୍ଦର ଦାସ, ବାଂଲାଦେଶରୁ ବିପ୍ଳବ ରାୟ, ନରସିଂହପୁରରୁ ସବିତା ପରିଡ଼ା ପ୍ରମୁଖ ବୈଷୟିକ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର