ପ୍ରେରଣାର ପୂର୍ଣ୍ଣାଙ୍ଗ ପ୍ରତିଷ୍ଠାନ, ବ୍ୟାସକବି ଫକୀରମୋହନ

ଶ୍ରାଦ୍ଧବାର୍ଷିକୀ ଅବସରରେ...

ବାଲେଶ୍ବର : ସାହିତ୍ୟ ଆଲୋଚନା ପାଇଁ ନା କେଉଁଠି ଆସର ଜମୁଥିଲା, ନା କୌଣସି ସାହିତ୍ୟିକ ଗୋଷ୍ଠୀ ଥିଲେ। ପାଠାଗାର, ଟିଭି, ରେଡିଓ ତ ସାତସପନ ଥିଲା। ସାହ୍ୟିତିକ କହିଲେ ସାରା ଓଡ଼ିଶାରେ ଜଣେ କି ଦି’ଜଣ ବ୍ୟକ୍ତିଙ୍କୁ ନେଇ ଚାଲୁଥିଲା। ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ଫକୀରମୋହନ ଯେଉଁସବୁ ଉପନ୍ୟାସ, ଗଳ୍ପ ଓ କବିତା ଓଡ଼ିଆ ସାହିତ୍ୟକୁ ଦେଇଯାଇଛନ୍ତି ତାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ। ତେବେ ଜୁନ୍‌ ମାସ ୧୫ ତାରିଖ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପୂର୍ଣ୍ଣ୍ୟତିଥି। ଏହି ମହାନ ଆତ୍ମା ମକର ସଂକ୍ରାନ୍ତିରେ ଜନ୍ମଲାଭ କରି ପ୍ରାୟ ୭୫ ବର୍ଷରେ ରଜ ସଂକ୍ରାନ୍ତି ଦିନ ଦେହତ୍ୟାଗ କରିଥିଲେ। ଏହି ପବିତ୍ର ଅବସରରେ ଫକୀରମୋହନଙ୍କ ଜୀବନୀ ସହ ଜଡ଼ିତ କିଛି ସ୍ମୃତିକୁ ମନେ ପକାଇବାର ପ୍ରୟାସ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନ‌ା

facebook.com

ବାଲେଶ୍ବର ପୌରାପାଳିକା ଅନ୍ତର୍ଗତ ୧୫ନଂ ୱାର୍ଡ଼ ମଲିକାଶପୁରରେ ରହିଛି ଫକୀରମୋହନଙ୍କ ଜନ୍ମପୀଠ। ଏହାକୁ ଶାନ୍ତିକାନନ ନାମରେ ପରିଚିତ। ଫକୀରମୋହନଙ୍କ ସାହିତ୍ୟ ସାଧନାର ଅନେକ ସ୍ମୃତି ଏହି ଜନ୍ମପୀଠ ସହ ଜଡ଼ିତ। ପ୍ରତିଦିନ ‘ଫକୀରମୋହନ ସାହିତ୍ୟ ପରିଷଦ’ ପକ୍ଷରୁ ଏଠାରେ ସାହିତ୍ୟ ଚର୍ଚ୍ଚା କରାଯାଇଥା‌ଏ। ଏହାଛଡ଼ା ପ୍ରତିବର୍ଷ ଫକୀରମୋହନଙ୍କ ଜୟନ୍ତୀ ଉତ୍ସବରେ ଏଠାରେ ତିନିଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରସିଦ୍ଧ ସାହିତ୍ୟିକ, ଶିକ୍ଷାବିଦ୍‌, ଗବେଷକ, କବି ଓ ଲେଖକମାନେ ଏଥିରେ ଯୋଗନେଇ ଫକୀରମୋହନଙ୍କ ସ୍ମୃତିଚାରଣ କରିଥାନ୍ତି। ସ୍ଥାନୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ନେଇ ଫକୀରମୋହନ ସମ୍ବନ୍ଧିତ ବିଭିନ୍ନ ବିଷୟବସ୍ତୁ ଉପରେ ପ୍ରତିଯୋଗିତା ବି ହୋଇଥାଏ। ଶାନ୍ତିକାନନର ସୁରକ୍ଷା ସହ ଏହାକୁ ଅଧିକ ଆକର୍ଷଣୀୟ କରିବା ଲାଗି ଏବେ ପୌରପାଳିକା ପକ୍ଷରୁ ଏଠାରେ ଏକ ପାର୍କ ନିର୍ମାଣ କରାଯାଇଛି। ଏହି ପାର୍କରେ ଫକୀରମୋହନ ଜୀବିତ ଅବସ୍ଥାରେ ତିଆରି କରାଇଥିବା ତାଙ୍କର ନିଜ ପ୍ରତିମୂର୍ତ୍ତି, ସର୍ବଧର୍ମ ମନ୍ଦିର ଓ ପୋଖରୀକୁ ଉନ୍ନତିକରଣ କରାଯାଇଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ସୁଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏଥିସହ ଏକ କୁନି କୁନି ପିଲାମାନେ ଖେଳିବା, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଜିମ୍‌, ଭ୍ରମଣ ଓ ଅବସର ବିନୋଦନ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ପୌରପାଳିକା ଉପରେ ନ୍ୟସ୍ତ ରହିଛି।

facebook.com

ଏହା ନିକଟରେ ରହିଛି ଫକୀରମୋହନଙ୍କ ବାସଗୃହ ବା ଘର। ଯାହାକୁ ଜିଲ୍ଲା ସଂସ୍କୃତି ଭବନ, ଜିଲ୍ଲା ପାଠାଗାର ଓ ସଂଗ୍ରହାଳୟ ଭାବେ ବ୍ୟବହୃତ ହେଉଛି। ଏହା ସଂସ୍କୃତି ବିଭାଗ ଅଧୀନରେ ରହିଥିବା ବେଳେ ଜିଲ୍ଲା ପାଠାଗାର ଓ ସଂଗ୍ରହାଳୟ ସପ୍ତାହର ସୋମବାରକୁ ବାଦ୍‌ ଦେଲେ ପ୍ରତିଦିନ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିଥାଏ। ଏହି ପାଠାଗାରରେ ଏବେ ପ୍ରାୟ ୨୪ ହଜାର ଦୁର୍ମୂଲ୍ୟ ପୁସ୍ତକ ରହିଛି। ଏହା ମଧ୍ୟ ଠିକ୍‌ ଭାବେ ପରିଚାଳନା କରାଯାଉନଥିବା ଦେଖାଯାଇଛି। ପାଠାଗାରରେ ୩ଟି ପଦବୀ ଥିବା ବେଳେ ଏବେ ଜଣେ କର୍ମଚାରୀଙ୍କ ଦ୍ବାରା ଏହା ଚାଲିଥିବାରୁ ଅବ୍ୟବସ୍ଥା ଦେଖାଯାଉଥିବା କୁହାଯାଇଛି। ଅନ୍ୟପଟେ ସଂଗ୍ରହାଳୟରେ ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସଂଗ୍ରହ ହୋଇଥିବା ୧୮ଟି ବିରଳ ପ୍ରତିମୂର୍ତ୍ତି ରହିଛି। ଜିଲ୍ଲା ସଂସ୍କୃତି ଭବନ ବିଭିନ୍ନ ସମୟରେ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯାଉଛି। ବାଲେଶ୍ବର ସହର ମୋତିଗଂଜ ବଜାର ଦକ୍ଷିଣ ଭାଗରେ ଏକ ପୁଷ୍କରିଣୀ ଯାହା ଗଡ଼ଗଡ଼ିଆ ପୋଖରୀ ନାମରେ ପରିଚିତ। ଏବେ ଏହ‌ା ପୌରପାଳିକା ଅନ୍ତର୍ଗତ ୧୩ ନମ୍ବର ୱାର୍ଡରେ ରହିଛି। ସହରର ଅନ୍ୟ କେତୋଟି ପ୍ରାଚୀନ ପୁଷ୍କରିଣୀ ମଧ୍ୟରେ ଏହି ପୋଖରୀ ଅନ୍ୟତମ ହୋଇଥିଲେ ବି ଫକୀରମୋହନଙ୍କ ଜୀବନୀ ‌ସହ ଏହା ବିଶେଷ ଭାବେ ଜଡ଼ିତ ରହିଛି। ତତ୍କାଳୀନ ସମୟର ସାହିତ୍ୟ ଓ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଚର୍ଚ୍ଚା ଆଲୋଚନା ସହିତ ପୋଖରୀଘାଟ ପବନରେ ସମୟ ବିତେଇବା ପାଇଁ ଫକୀରମୋହନ, ମଧୁସୂଦନ ଦାସ ଓ କବିବର ରାଧାନାଥ ରାୟ ଏଠାରେ ଏକାଠି ହେଉଥିଲେ। ସେ ସମୟରେ ବାଲେଶ୍ବର ଜିଲ୍ଲା ସ୍କୁଲରେ ମଧୁସୂଦନ ଥାର୍ଡମାଷ୍ଟର ଭାବେ ଶିକ୍ଷକତା କରୁଥିବା ବେଳେ ଏହି ଅଞ୍ଚଳରେ ରହୁଥିଲେ। ତେବେ ଓଡ଼ିଆ ସାହିତ୍ୟର ଏହି ତିନି ମହାପୁରୁଷଙ୍କର ପ୍ରତିମୂର୍ତ୍ତି ସେଠାରେ ସ୍ଥାପନ କରି ଅତୀତର ସ୍ମୃତିକୁ ମନେ ରଖିବା ପାଇଁ ଜିଲ୍ଲା ପ୍ରଶାସନ, ପୌରପାଳିକା ଓ ଲୋକପ୍ରତିନିଧିଙ୍କ ପକ୍ଷରୁ ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ଏବେ ଏହା ପାଣିର ଗାର ସଦୃଶ ହୋଇଛି। ସମୟ କ୍ରମେ ଏହି ପୋଖରୀଟି ଏବେ ଅବହେଳିତ ହୋଇ ପଡ଼ିଛି। ପୌରପାଳିକା ପକ୍ଷରୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନାହିଁ। ସ୍ଥାନୀୟ ଲୋକ ଏଥିରେ ଅଳିଆ, ଆବର୍ଜନା ପକାଉଥିବା ବେଳେ ଚାରିପଟେ ଜବରଦଖଲକାରୀ ଏହାକୁ କବ୍‌ଜା କରି ସାରିଲେଣି।

OdishaLIVE

ସେହିପରି ଶାନ୍ତିକାନନ ଠାରୁ ଅଳ୍ପ କିଛି ଦୂରରେ ରହିଛି ଛତୁଆ ପୋଖରୀ। ଏହା ନିକଟରେ ରହିଛି ଫକୀରମୋହନଙ୍କ ସମାଧିପୀଠ। ତାଙ୍କ ଜନ୍ମପୀଠକୁ ଶାନ୍ତିକାନନ କୁହାଯାଉଥିବା ବେଳେ ସମାଧୀପୀଠର ନାମକରଣ କରାଯାଇଛି ଶାନ୍ତି ଘାଟ। ପ୍ରତିବର୍ଷ ଜୁନ୍‌ ୧୫ ତାରିଖ ଫକୀରମୋହନଙ୍କ ଶ୍ରାଦ୍ଧବାର୍ଷିକୀରେ ଏଠାରେ ତିଳତର୍ପଣ କରାଯାଇଥାଏ। ଜିଲ୍ଲା ପ୍ରଶାସନ, ସାହିତ୍ୟିକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀମାନେ ଏଠାରେ ଏକତ୍ରିତ ହୋଇ ଫକୀରମୋହନଙ୍କ ସ୍ମୃତିଚାରଣ କରିଥାନ୍ତି। ଏହି ସ୍ଥାନ ରେମୁଣା ବ୍ଲକ କରଂଜିଆ ପଞ୍ଚାୟତ ଅଧୀନରେ ରହିଛି। ତେବେ ଶାନ୍ତିଘାଟର ଉନ୍ନତିକରଣ ପାଇଁ ସାଂସଦଙ୍କ ପାଣ୍ଠି ଓ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ପ୍ରଚେଷ୍ଟା କରାଯାଇଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର