୧୪ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ମୁକାବିଲା ପ୍ରସ୍ତୁତି: ୨ରୁ ଉପକୂଳ ଲୋକଙ୍କୁ ସ୍ଥାନାନ୍ତର

କେନ୍ଦ୍ରକୁ ୨ଟି ହେଲିକପ୍ଟର, ଅଧିକ ଏନ୍‌ଡିଆରଏଫ୍‌ ଟିମ୍‌ ମଗାଗଲା, ମୁଖ୍ୟ ଦପ୍ତର ନ ଛାଡ଼ିବାକୁ ସରକାରୀ କର୍ମଚାରୀଙ୍କୁ ତାଗିଦ

ଭୁବନେଶ୍ବର: ଭୟଙ୍କର ସାମୁଦ୍ରିକ ବାତ୍ୟା ‘ଫନି’ ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା କ୍ରମଶଃ ବଢୁଛି। ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହିତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ପ୍ରସ୍ତୁତି ନେଇ ଆଲୋଚନା ହେବା ପରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ କରିଥିଲେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଏଥର ଆଗଭଳି ଜିରୋ କାଜୁଆଲିଟି ବା ‘ଶୂନ ମୃତ୍ୟୁ’ ଲକ୍ଷ୍ୟ ଧାର୍ଯ୍ୟ କରିବା ପରିବର୍ତେ ପ୍ରତିଟି ଜୀବନ ଅମୂଲ୍ୟ ମନେ କରି ପ୍ରସ୍ତୁତି ଜାରି ରହିଛି ବୋଲି ସେ କହିଥିଲେ। ତେବେ ଫନିର ଗତପଥ ସିଧାସଳଖ ନୁହେଁ। ଏହାର ଗତପଥ ବଦଳିପାରେ ବୋଲି ସେ କହିଥିଲେ।

ଆଜି ଅପରାହ୍‌ଣରେ ମୁଖ୍ୟ ସଚିବ ଓ ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ପ୍ରମୁଖ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଓଡ଼ିଶା ସହିତ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ ପଣ୍ଡିଚେରୀ ରାଜ୍ୟ ମୁଖ୍ୟ ସଚିବମାନେ ଅଂଶଗ୍ରହଣ କରିଥିଲେ। ଅତି ଭୀଷଣ ବାତ୍ୟା ଫନି ଯୋଗୁଁ ଓଡ଼ିଶା ସର୍ବାଧିକ ପ୍ରଭାବିତ ହେବ। ଆନ୍ଧ୍ର ପ୍ରଦେଶର ୨ଟି ଓ ପଶ୍ଚିମବଙ୍ଗର ୪ଟି ଜିଲ୍ଲା ପ୍ରଭାବିତ ହେବା ନେଇ ଆଲୋଚନା ହୋଇଥିବା ମୁଖ୍ୟ ସଚିବ କହିଥିଲେ। ତେବେ ଏହି କାରଣରୁ ଆଲୋଚନାରେ ଓଡ଼ିଶା ଅଧିକ ଗୁରୁତ୍ବ ବହନ କରିଥିଲା। ଓଡ଼ିଶାର ସମସ୍ତ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକ ସହିତ ଗଜପତି, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଆଦି ୧୪ଟି ଜିଲ୍ଲା ଫନି ବାତ୍ୟା ଯୋଗୁଁ ପ୍ରଭାବିତ ହେବାର ଆଶଙ୍କା ରହିଛି। ଯଦି ଫନି ଗତିପଥ ବଦଳାଏ, ଉପକୂଳ ଜିଲ୍ଲାଗୁଡ଼ିକ ସହିତ ଆଖପାଖ ଜିଲ୍ଲାଗୁଡ଼ିକରେ ମୁକାବିଲା ପାଇଁ ପ୍ରସ୍ତୁତି କରାଯାଉଛି। ଏହି ଅବସରରେ ଆକାଶମାର୍ଗରୁ ଖାଦ୍ୟ ପୁଡ଼ିଆ କ୍ଷତିଗ୍ରସ୍ତ ଅଞ୍ଚଳରେ ପକାଇବା ପାଇଁ ୨ଟି ହେଲିକପ୍ଟର ଏବଂ ଅତିରିକ୍ତ ସଂଖ୍ୟକ ଏନ୍‌ଡିଆରଏଫ୍‌ ଟିମ୍‌ ଅବିଳମ୍ବେ ଯୋଗାଇ ଦେବାକୁ ମୁଖ୍ୟ ସଚିବ କ୍ୟାବିନେଟ୍‌ ସଚିବଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସ୍ଥିର ହୋଇଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତମାନ ୨୦ଟି ଓଡ୍ରାଫ୍‌ ଏବ ୧୮ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଅଛନ୍ତି। ଏହାଛଡ଼ା ସବୁ ଫାୟାର ଷ୍ଟେସନ୍‌କୁ ମଧ୍ୟ ଆବଶ୍ୟକ ଜରୁରୀକାଳୀନ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଅଧିକ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଏହି ଟିମ୍‌ମାନଙ୍କୁ ମୁତୟନ କରାଯାଇଛି। ବାତ୍ୟା ଫନି ନେଇ ମୁକାବିଲା ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଲେ ଯେ ଆସନ୍ତା ୨ ତାରିଖ ସକାଳୁ ଉପକୂଳ ଜିଲ୍ଲାଗୁଡ଼ିକର ବିପଦପୂର୍ଣ୍ଣ ସ୍ଥାନମାନଙ୍କରୁ ‌େଲାକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଆରମ୍ଭ କରାଯିବ। ଏହି କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ସାରିବାକୁ ନିର୍ଦେଶ ଦିଆଯାଇଛି। କେତେସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ସେ ନେଇ ଆସନ୍ତାକାଲି ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସେ କହିଥିଲେ। ତେବେ ସ୍ଥାନାନ୍ତର କରି ଲୋକମାନଙ୍କୁ ବାତ୍ୟାଶ୍ରୟସ୍ଥଳୀ ଓ ପୂର୍ବରୁ ଚିହ୍ନଟ ହୋଇଥିବା ସ୍ଥାନମାନଙ୍କୁ ଅଣାଯିବ। ସେଠାରେ ସେମାନଙ୍କୁ ମାଗଣା ରନ୍ଧାଖାଦ୍ୟ ଦିଆଯିବ। ଆଶ୍ରୟସ୍ଥଳୀରେ ଖାଦ୍ୟ, ଔଷଧ, ଜେନେରଟର ଏବଂ ଆବଶ୍ୟକୀୟ ପଦାର୍ଥର ବ୍ୟବସ୍ଥା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। ପ୍ରତି ବାତ୍ୟା ଆଶ୍ରୟସ୍ଥଳୀ ସହ ୫୦ଜଣ ଲେଖାଏଁ ସ୍ବେଚ୍ଛାସେବୀଙ୍କୁ ସଂଯୁକ୍ତ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ସୂଚନା ଦେଇଥିଲେ। ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା, ଡାକ୍ତରଖାନାରେ ଜରୁରୀକାଳୀନ ଜେନେରେଟର ସେଟ୍‌ ପ୍ରସ୍ତୁତ ରଖିବା ପାଇଁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ବାତ୍ୟା ପରେ ତୁରନ୍ତ ରାସ୍ତାଘାଟ ସଫାକରି ଗମନାଗମନ ସ୍ବାଭାବିକ କରିବା ନିମନ୍ତେ ଓଏଫ୍‌ଡିସି, ଓଡ୍ରାଫ୍‌ ଏବଂ ଫାୟାର ଟିମ୍‌ମାନେ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ପ୍ରତି ପ୍ରଭାବିତ ସ୍ଥାନରେ ଜେସିବି, ପୋକ୍‌ଲେନ୍‌, ଟ୍ରାକ୍‌ଟର ଆଦିକୁ ଠାବ କରି ନିୟୋଜିତ ରଖିବା ପାଇଁ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଲୋକମାନଙ୍କୁ ନିରାପତ୍ତା ଯୋଗାଣ କାର୍ଯ୍ୟ ପାଇଁ ଆବଶ୍ୟକୀୟ ପୁଲିସ୍‌ ଫୋର୍ସ ମୁତୟନ କରାଯାଉଛି ବୋଲି ପୁଲିସ୍‌ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଥିଲେ। ବର୍ତମାନ ସୁଦ୍ଧା ଜିଲ୍ଲାର ବିଭିନ୍ନ ତହସିଲ୍‌ରେ ପଲିଥିନ୍‌ ରୋଲ୍‌ ରଖାଯାଇଛି। ରିଲିଫ୍‌ ଯୋଗାଣ ପାଇଁ ଆବଶ୍ୟକୀୟ ଖାଦ୍ୟସାମଗ୍ରୀର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ବାତ୍ୟା ସମୟରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବା ସହ ଆସନ୍ନପ୍ରସବା ମହିଳାଙ୍କୁ ଆଗୁଆ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯିବା ପାଇଁ ସ୍ୱାସ୍ଥ୍ୟ, ମହିଳା ଓ ଶିଶୁକଲ୍ୟାଣ ବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କୁ କୁହାଯାଇଥିଲା। ବର୍ଷା ଓ ବାତ୍ୟା ସମୟରେ ଶିଶୁ ସୁରକ୍ଷା ଗୃହ, ବୃଦ୍ଧାଶ୍ରମ, ସେଲ୍‌ଟର ହୋମ୍‌ ଗୁଡ଼ିକରେ ଥିବା ଅନ୍ତେବାସୀମାନଙ୍କର ସୁରକ୍ଷା ଏବଂ ସେମାନଙ୍କୁ ରିଲିଫ୍‌ ଯୋଗାଣ ଉପରେ ଧ୍ୟାନ ରଖିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।

ବାତ୍ୟା ପରେ ବିଦ୍ୟୁତ୍‌ ଯୋଗାଣ ତୁରନ୍ତ ପୁନଃ ସ୍ଥାପନ ପାଇଁ ଆଗୁଆ ମାନବ ସମ୍ବଳ ଓ ଯନ୍ତ୍ରପାତି ବିଭିନ୍ନ ସ୍ଥାନରେ ମହଜୁଦ ରଖିବା ପାଇଁ ମୁଖ୍ୟ ସଚିବ ଶକ୍ତି ବିଭାଗ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ସଂପୃକ୍ତ ବିଦ୍ୟୁତ୍‌ ବିତରଣ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ସମୟରେ କେହି ଅଧିକାରୀ, କର୍ମଚାରୀ ନିଜ ନିଜ ମୁଖ୍ୟ ଦପ୍ତର ନ ଛାଡ଼ିବାକୁ ମୁଖ୍ୟ ସଚିବ ତାଗିଦ୍‌ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଉତ୍ପାଦନ କମିସନର ଗଗନ ଧଳଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, କମିସନର ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର