୨୬ରୁ ଧାରଣା ଦେବେ ଜଳସମ୍ପଦ ବିଭାଗ ଛଟେଇ କର୍ମଚାରୀ

ଭୁବନେଶ୍ବର : ଜଳସମ୍ପଦ ବିଭାଗର କେତେକ ଅପାରଗ ଅଧିକାରୀଙ୍କ ଯୋଗୁଁ ୱାର୍କଚାର୍ଜଡ୍‌ କର୍ମଚାରୀ ମାନ୍ୟତା ପାଇବାରୁ ବଞ୍ଚିତ ତଥା ଛଟେଇ ୩୮୦ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବେ। ଆସନ୍ତା ୨୬ ତାରିଖଠାରୁ ଲୋୟର ପିଏମ୍‌ଜି‌ରେ ସେମାନେ ସପରିବାର ଧାରଣା ଦେବେ। ଆଜି ଯାନ୍ତ୍ରିକ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି। ସଭାପତି ଲିଙ୍ଗରାଜ ମହାନ୍ତି, ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥି, କାର୍ଯ୍ୟକାରୀ ସଭାପତି ସୁଦର୍ଶନ ପ୍ରଧାନ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ରାଜଧାନୀ ଶାଖା ସମ୍ପାଦକ କାହ୍ନୁଚରଣ ମଲ୍ଲିକ ପ୍ରମୁଖ ଏହି ସୂଚନା ଦେବା ସହ ସେମାନଙ୍କୁ ତୁରନ୍ତ ସ୍ଥାୟୀ କରାନଗଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛନ୍ତି। ଚାଷୀର କ୍ଷେତକୁ ପାଣି ଯୋଗାଇବା ପାଇଁ ଦାୟିତ୍ବ ନେଇଥିବା ବିଭାଗରେ କର୍ମଚାରୀ ନାହାନ୍ତି। ସେମାନଙ୍କ ମଧ୍ୟରୁ କିଛି ହକ୍‌ ପାଇଁ ଲଢ଼େଇ କରୁଛନ୍ତି। ଏଭଳି ସ୍ଥିତିରେ ଏମାନଙ୍କ କଥା ନ ବୁଝି ଚାଷୀଙ୍କ ପାଇଁ ବହୁବିଧ ଯୋଜନା ଘୋଷଣା କରିବା ହାସ୍ୟାସ୍ପଦ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୯ ମସିହାରେ ୫୭୦୬ଜଣ ଅସ୍ଥାୟୀ କର୍ମଚାରୀ ସ୍ଥାୟୀ ହୋଇଥିଲେ। ବିଭାଗୀୟ ତ୍ରୁଟି ଯୋଗୁଁ ୩୮୦ଜଣ ବାଦ୍‌ ପଡ଼ିଥିଲେ। ସମିତିର ବାରମ୍ବାର ଦାବି ପରେ ୨୦୧୨ ମସିହାରେ ଏମାନଙ୍କୁ ସ୍ଥାୟୀ କରିବା ପାଇଁ ସରକାରଙ୍କୁ ନାମ ସୁପାରିଶ କରିବା ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ତାହା ୬ ବର୍ଷ ଧରି କାର୍ଯ୍ୟକାରୀ ହୋଇନାହିଁ।

ସମ୍ବନ୍ଧିତ ଖବର