ଉଠା ଜଳସେଚନ ନିଗମ କାର୍ଯ୍ୟର ସମୀକ୍ଷା କଲେ ଜଳ ସମ୍ପଦ ମନ୍ତ୍ରୀ : ଗଭୀର ନଳକୂପ ଖନନ କାର୍ଯ୍ୟ ଶୀଘ୍ର ଶେଷ ହେଉ

ଭୁବନେଶ୍ବର : ଚାଷୀମାନେ କ୍ଲଷ୍ଟର ବୋର୍‌‌େଵଲ୍ ଦ୍ବାରା ବେଶୀ ଉପକୃତ ହେଉଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଶୀଘ୍ର ସମ୍ପୂର୍ଣ୍ଣ ହେବା ଦରକାର। ଏଗୁଡ଼ିକର ଉପଯୁକ୍ତ ପରିଚାଳନା ନିମନ୍ତେ ଉଠା ଜଳସେଚନ ନିଗମର କର୍ମଚାରୀ, ବିଦ୍ୟୁତ ବିଭାଗ କର୍ମଚାରୀ ଓ ପାଣି ପଞ୍ଚାୟତ କର୍ମଚାରୀମାନେ ସମନ୍ବୟ ରଖିବା ଦରକାର। ଆଜି ଉଠା ଜଳସେଚନ ନିଗମର କାର୍ଯ୍ୟ ସମୀକ୍ଷା କରିବା ଅବସରରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ।

ମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ବିଜୁ କୃଷକ ବିକାଶ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଜଳସେଚନ ପାଇଁ ଗୋଷ୍ଠୀଗତ ଗଭୀର ନଳକୂପ ବ୍ୟବସ୍ଥା ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାକୁ ବାଦ ଦେଇ ଅନ୍ୟ ୨୬ଟି ଜିଲ୍ଲାର ପଥୁରିଆ ଅଞ୍ଚଳରେ ଗଭୀର କୂପ ଖନନ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ଚଳିତବର୍ଷ ୨୨ ହଜାର ୧୮୭ଟି ଗଭୀର କୂପ ଖନନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ ୧୨ ହଜାର ୮୨ଟି ଗଭୀର କୂପ ସ୍ଥାପନ ହୋଇଛି। ଆଗାମୀ ମାର୍ଚ୍ଚ ୨୦୨୦ ସୁଦ୍ଧା ଅବଶିଷ୍ଟ ଗଭୀର କୂପ ଖନନ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ୫‘ଟି’ ଚାର୍ଟର ଆଧାରରେ ବୈଷୟିକ ଜ୍ଞାନର ଉପଯୋଗ କରି ସ୍ବଚ୍ଛତାର ସହ ନିର୍ଦ୍ଧାରିତ ସମୟସୀମା ଭିତରେ ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ବାରୋପ କରିଥିଲେ।

ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ କହିଥିଲେ, କୃଷକମାନଙ୍କ ସାମଗ୍ରିକ ପ୍ରୟାସ, ଉଠାଜଳସେଚନ କର୍ମଚାରୀଙ୍କ ଉଦ୍ୟମ ଯୋଗୁ ଜଳସେଚନ ସୁବିଧା କରାଯାଇ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ହୋଇଥିବାରୁ ଆମ ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ପାଇଛି। ଆଗକୁ ଏହି ଧାରା ଜାରି ରହିବ। ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ରାଜ୍ୟର ଚାଷ ଜମିକୁ ପ୍ରାୟ ୫୨ ପ୍ରତିଶତ ଜଳସେଚନ କେବଳ ଉଠା ଜଳସେଚନ ଜରିଆରେ ହେଉଛି ବୋଲି ସୂଚନା ଦେଇଥିଲେ। ନିଗମର ଅର୍ଥପରାମର୍ଶଦାତା ବିଜୟ କୁମାର ଜେନାଙ୍କ ସମେତ ବିଭିନ୍ନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିମାଦ୍ରୀ ଶେଖର ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର