ଏକାଠି ହେବେ ନା ରାଜନୀତି କରିବେ?

ମହାନଦୀ ପ୍ରସଙ୍ଗରେ ଆଲୋଚନା ଆଜି

ଭୁବନେଶ୍ୱର: ଆସନ୍ତାକାଲି ପୁଣି ଥରେ ମହାନଦୀ ମହାବିବାଦ ପ୍ରସଙ୍ଗ ଓହ୍ଲାଇବ ବିଧାନସଭାକୁ। ବିରୋଧୀ ନୁହେଁ, ସରକାରଙ୍କ ପକ୍ଷରୁ ମୁଖ୍ୟ ସଚେତକ ଏ ସଂକ୍ରାନ୍ତରେ ମୋସନ ଆଣିବେ। ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏ ନେଇ ୫ ଘଣ୍ଟା ଆଲୋଚନା ଲାଗି ସମୟ ଧାର୍ଯ୍ୟ ହୋଇଛି। ୧୨ଟାରେ ଆରମ୍ଭ ହେବ, ସନ୍ଧ୍ୟା ୭ଯାଏ ଚାଲିବ। ସରକାରୀ ଦଳ ଅଢେଇ ଘଣ୍ଟା ଓ ବିରୋଧୀ ଦଳ ପାଇଁ ଅଢେଇ ଘଣ୍ଟା ସମୟ ଧାର୍ଯ୍ୟ ହୋଇଛି। ଆସନ୍ତା ୯ ତାରିଖ ଦିନ ମହାନଦୀ ଜଳବିବାଦ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଥିବା ପରିପ୍ରେକ୍ଷୀରେ ଆସନ୍ତାକାଲିର ଆଲୋଚନା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।ଉଲ୍ଲେଖଯୋଗ୍ୟ, ଗତ ଦେଢ ବର୍ଷ ଧରି ମହାନଦୀକୁ ନେଇ ଚାଲିଥିବା ମହା ବିବାଦ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଗୋଟିଏ ପଟେ ଛତିଶଗଡ଼ ସହିତ ଓଡ଼ିଶାର ଜଳ ବିବାଦର ସଙ୍ଗିନ୍‌ ପ୍ରଭାବ ମହାନଦୀ ଉପରେ ପଡିଛି, ଯାହା ରାଜ୍ୟବାସୀ ହୃଦୟଙ୍ଗମ କରିଛନ୍ତି। ସମାନ୍ତରାଳ ଭାବେ ଏ ବିବାଦ ଓଡ଼ିଶା-ଛତିଶଗଡ଼ ସମ୍ପର୍କକୁ କେବଳ ତିକ୍ତ କରିଛି ତା ନୁହେଁ, କେନ୍ଦ୍ର-ରାଜ୍ୟ ସଂପର୍କକୁ ପ୍ରଭାବିତ କରିଛି ଓ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପରସ୍ପର ତ ଏକାଠି ହୋଇପାରିନାହାନ୍ତି, ସେମାନଙ୍କ ଆଭ୍ୟନ୍ତରୀଣ ଶୃଙ୍ଖଳା ବି କିଛି ପରିମାଣରେ ବିଗିଡିଛି।

ଯଥେଷ୍ଟ ସୁଯୋଗ ଥାଇ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଏବେ ଯାଏ ସବୁ ରାଜନୈତିକ ଦଳକୁ ସାଙ୍ଗରେ ନେବାରେ ସଫଳ ହୋଇ ନାହାନ୍ତିି। ବରଂ ରାଜନୈତିକ ଫାଇଦା ଗୋଟାଇବାକୁ ଯାଇ ବିଜେଡି ଏକାକୀ ଏହି ପ୍ରସଙ୍ଗକୁ ନେବାଦ୍ୱାରା ଓଡ଼ିଶାର ସ୍ୱାର୍ଥ ତ ପରାହତ ହୋଇଛି, ତା ସହିତ କେନ୍ଦ୍ର-ରାଜ୍ୟ ଟକରାଟକରି ଭିତରେ ରାଜ୍ୟର ୧୬ଟି ଜିଲ୍ଲାର ପ୍ରାୟ ଦୁଇ କୋଟି ଲୋକଙ୍କ ଭାଗ୍ୟ ରୁନ୍ଧି ହୋଇଯିବାକୁ ବସିଛି। ଗୋଟିଏ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସର୍ବଦଳୀୟ ବୈଠକ ଡାକିବା ଲାଗି ଖୋଦ୍‌ ବିରୋଧୀ ଦଳ ନେତା ଚିଠି ଲେଖିଥିଲେ। ସେକଥା ହେଲାନି କି ବିରୋଧୀ ଦଳ ନେତା ଡାକିଥିବା ବୈଠକରେ ବିଜେଡି ଯୋଗ ଦେଲାନି। ବରଂ ସରକାର ପ୍ରସ୍ତାବ ଗୋଟାଇବା ଆଳରେ ଏମିତି ନାଟକବାଜି କଲେ, ଯେମିତି ନୂଆଦିଲ୍ଲୀରେ ଉପସ୍ଥାପନ ମାତ୍ରେ ଏ ବିବାଦରେ ପୂର୍ଣ୍ଣଛେଦ ପଡିବ। ଏବେ ନେଡି ଗୁଡ଼ କହୁଣୀକୁ ବୋହିଯିବା ପରେ ବିଜେଡି ସର୍ବଦଳୀୟ ବୈଠକ ନାଁରେ ଯେଉଁ ଭେଳିକି ଲଗାଇଛି, ତାହା ଦାନା ବାନ୍ଧୁନି, ଓଲଟା ରାଜ୍ୟ ସରକାରଙ୍କୁ ଦୁର୍ବଳସ୍ଥିତିକୁ ଟାଣିନେଉଛି। ଟ୍ରିବ୍ୟୁନାଲ ଗଠନ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଟାଳଟୁଳ ନୀତି ଗ୍ରହଣ କରିବାକୁ ଆରମ୍ଭ କଲେଣି। ଛତିଶଗଡ଼ ସରକାରଙ୍କୁ ପ୍ରକଳ୍ପ ବନ୍ଦ କରିବା ଲାଗି ମଧ୍ୟ ଚାପ ପକାଇବାକୁ କୁନ୍ଥକୁନ୍ଥ ହେଉଛନ୍ତି କେନ୍ଦ୍ର ସରକାର। ଚଳିତବର୍ଷ ମହାନଦୀ ସମେତ ଶାଖା ନଦୀ ଶୁୁଖିଯିବା ଘଟଣା ରାଜ୍ୟବାସୀଙ୍କୁ ବେଶ୍‌ ଆତଙ୍କିତ କରିଛି। ପଶ୍ଚିମରୁ ଆରମ୍ଭ କରି ଉପକୂଳ ଯାଏ ସମସ୍ତେ ବିଚଳିତ ହୋଇପଡିଲେଣି। ଏଭଳି ସ୍ଥିତିରେ ରାଜନୈତିକ ବିବାଦକୁ ପଛକୁ ଠେଲି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଆସନ୍ତାକାଲି ରାଜ୍ୟ ସ୍ୱାର୍ଥ ପାଇଁ ସବୁ ଦଳ ଏକାଠିି ହେବେ ନା ନିଜ ନିଜର ପତିଆରା ବଢାଇବା ଆଳରେ ତିନି ପ୍ରମୁଖ ଦଳ ଲୋକଙ୍କ ସ୍ୱାର୍ଥକୁ ବଳିଚଢାଇବେ? ଏବେ ସମସ୍ତଙ୍କର ନଜର ଦଳଗୁଡ଼ିକର ଆଭିମୁଖ୍ୟ ଉପରେ ରହିବ।

ବିଧାନସଭାରେ ଆଲୋଚନା ପୂର୍ବରୁ ଆଜି ରାତିରେ ବିଜେପି ନେତା ବିଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ବିଧାନସଭାରେ ଏ ପ୍ରସଙ୍ଗ ଉଠିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ସବୁ ଦଳ ମହାନଦୀ ପ୍ରସଙ୍ଗରେ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବା ଲାଗି ବେଳ ଆସିଛି। ଛତିଶଗଡ଼ ସରକାରଙ୍କ ବେଆଇନ ପ୍ରକଳ୍ପ ନିର୍ମାଣ ବନ୍ଦ କରାଯିବା, ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି କ୍ଷେତ୍ରରେ ଚାପ ସୃଷ୍ଟି କରାଯିବା ଦରକାର। ମୁଖ୍ୟମନ୍ତ୍ରୀ ସବୁ ଦଳକୁ ବିଶ୍ୱାସକୁ ନେଇ ଆଗକୁ ବଢିବା ଦରକାର ଓ ମହାନଦୀ ପାଇଁ ଶେଷ ଲଢେଇ ବିଧାନସଭାରୁ ଆରମ୍ଭ ହେବା ଉଚିତ୍‌ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର