ଜୁନ୍ରେ ନିଅଣ୍ଟିଆ ବର୍ଷା ସମ୍ଭାବନା
ଭୁବନେଶ୍ବର : ମୌସୁମୀ ଛୁଇଁଲା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କେତେକ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟରେ ୨୩ ପ୍ରତିଶତ ଅଧିକ ବର୍ଷା ହୋଇଛି। ୧୮ଟି ଜିଲ୍ଲାରେ ପ୍ରଚୁର ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ତେବେ ଆସନ୍ତା ୨୩ ତାରିଖ ପରେ ରାଜ୍ୟରେ ମୌସୁମୀ ଦୁର୍ବଳ ହେବାର ଆଶଙ୍କା ଥିବାରୁ ଜୁନ୍ ଶେଷ ସପ୍ତାହରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା କମ୍।
Sambad is now on WhatsApp
Join and get latest news updates delivered to you via WhatsApp
ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପୂର୍ବ ଆକଳନ ଅନୁଯାୟୀ ଘୂର୍ଣ୍ଣିବଳୟ ଯୋଗୁଁ ୨୧ ଓ ୨୨ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଅବିଭକ୍ତ ଗଞ୍ଜାମ, ଅବିଭକ୍ତ କଳାହାଣ୍ଡି, ଅବିଭକ୍ତ ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଘୂର୍ଣ୍ଣିବଳୟ ଯୋଗୁଁ ଏହି ଜିଲ୍ଲାମାନଙ୍କ ମଧ୍ୟରୁ ଗଞ୍ଜାମ ଓ ଗଜପତିରେ ୨୧ ଓ ୨୨ ତାରିଖରେ ପ୍ରାୟ ୫୦ ମିମି ବର୍ଷା ହେବ। ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ହାରାହାରି ୭୦ ମିଲିମିଟର ବର୍ଷା ହେବ ଓ ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ତେବେ ପୁରୀଠାରୁ ଉତ୍ତରରେ ଥିବା ଉପକୂଳ ଅଞ୍ଚଳରେ ସ୍ବଳ୍ପ ବର୍ଷା ହେବ। କେନ୍ଦ୍ରାପଡ଼ାରେ ମଧ୍ୟମ ଧରଣର ବର୍ଷା ହେବା ସହ ବାକି ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ନିକଟରେ ଏବେ ଲଘୁଚାପର ସମ୍ଭାବନା ନାହିଁ। ୨୩ ତାରିଖ ପରେ ମୌସୁମୀ ଦୁର୍ବଳ ହୋଇଯିବ। ୨୫ ତାରିଖ ପରେ ପାଗ ପ୍ରାୟ ଶୁଖିଲା ଓ ଖରାଟିଆ ରହିବ। ଖରାଟିଆ ପାଗ ଯୋଗୁଁ ବାଷ୍ପୀକରଣ ଅଧିକ ରହିବ। ଅନୁମାନ କରାଯାଉଛି ଯେ, ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ସମୁଦାୟ ବର୍ଷା ୩୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ହେବାର ସମ୍ଭାବନା ଅଛି। ଉପକୂଳ ଜିଲ୍ଲାମାନଙ୍କରେ ୪୦ରୁ ୫୦ ପ୍ରତିଶତ ନିଅଣ୍ଟିଆ ହୋଇପାରେ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ୫ ଜୁନ୍ରୁ ୧୯ ଜୁନ୍ ମଧ୍ୟରେ ରାଜ୍ୟରେ ୧୮ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୭ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ଓ ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଆଜି ପର୍ଯ୍ୟନ୍ତ ବଲାଙ୍ଗୀର, କେନ୍ଦ୍ରାପଡ଼ା, ବୌଦ୍ଧ, ନବରଙ୍ଗପୁର ଓ ଯାଜପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଏହି ୫ଟି ଜିଲ୍ଲାରେ ପ୍ରାୟ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଝାରସୁଗୁଡ଼ା, ଢେଙ୍କାନାଳ, କୋରାପୁଟ, ଗଞ୍ଜାମ, ମାଲକାନଗିରି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି। ବାକି ୧୨ଟି ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି। ମୌସୁମୀ ସକ୍ରିୟ ଥିବା ବେଳେ ବର୍ତ୍ତମାନ ପାକିସ୍ତାନରୁ ମଣିପୁର ପର୍ଯ୍ୟନ୍ତ ଏକ ସିଜିନାଲ୍ ଟ୍ରାପ୍ ରହିଛି ଯାହାକି ସମାନ୍ତରାଳ ଭାବେ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଆଡ଼କୁ ରହିଛି। ଏହା ଦକ୍ଷିଣ ଆଡ଼କୁ ଗତି କରୁଛି। ଏହାର ପ୍ରଭାବ ଆଉ ଓଡ଼ିଶା ଉପରେ ନାହିଁ। ଫଳରେ ରାଜ୍ୟରେ ଆସନ୍ତା ୨ ଦିନ ବର୍ଷା ହେବା ନେଇ ରାସ୍ତା ଖୋଲିଛି। ଝାରଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣବଳୟ ଏବେ ଉତ୍ତର-ପୂର୍ବ ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ସୋନପୁର, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, ଅନୁଗୁଳ ଆଦି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଧ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବ। ୨୧ ତାରିଖ ଦିନ ମଧ୍ୟ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, କଳାହାଣ୍ଡି, ନୂଆପଡ଼ା ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।