ଓଡ଼ିଶା ରିଅଲଇଷ୍ଟେଟ୍ ଆପିଲିଏଟ୍ ଟ୍ରିବ୍ୟୁନାଲର ୱେବସାଇଟ୍ ଲୋକାର୍ପିତ

ଭୁବନେଶ୍ବର : ଯେଉଁ ଲୋକମାନେ ରାଜଧାନୀ ଏବଂ ବିଭିନ୍ନ ସହରାଞ୍ଚଳରେ ଘର କିଣି ଠକାମିରେ ପଡ଼ୁଥିଲେ ସେମାନେ ଓରେରାରେ ଆବେଦନ କରୁଥିଲେ। ଏଠାରେ ସେମାନଙ୍କ ଅଭିଯୋଗର ଶୁଣାଣି ହେଉଥିଲା। କିନ୍ତୁ ଓରେରା ରାୟରେ ଯେଉଁମାନେ ସନ୍ତୁଷ୍ଟ ହେଉନଥିଲେ ସେମାନଙ୍କ ପାଇଁ ଓଡ଼ିଶା ରିଅଲ ଇଷ୍ଟେଟ୍ ଆପିଲିଏଟ୍ ଟ୍ରିବ୍ୟୁନାଲ୍‌ (ଓରିଏଟ୍‌)ରେ ଆବେଦନ କରିବାର ନିୟମ ହୋଇଥିଲା। ଦୀର୍ଘ ବର୍ଷ ପରେ ଓରିଏଟ୍ ଗଠନ ହୋଇଥିବାବେଳେ ଆ‌ଜି ଏହାର ୱେବ୍‌ସାଇଟ୍ www.oreat.nic.in ଲୋକାର୍ପିତ ହୋଇଛି। ଯେ କେହିବି ଏହି ୱେବାସାଇଟ୍ ମାଧ୍ୟରେ ସେମାନଙ୍କ ଅଭିଯୋଗ ଆବେଦନ କରିପାରିବେ ଏବଂ ଅଭିଯୋଗର ସ୍ଥିତି ଜାଣିବା ସହ ସମସ୍ତ ନୋଟିସ୍‌ ଓ ନିର୍ଦ୍ଦେଶନାମା ପାଇପାରିବେ।

ଆଜି ଏହି ୱେବସାଇଟ୍‌କୁ ଓରିଏଟ୍‌ର ଅଧ୍ୟକ୍ଷ ଜଷ୍ଟିସ୍ ଏସ୍‌.ସି ପରିଜା ଭର୍ଚୁଆଲ ମୋଡରେ ଲୋକାର୍ପିତ କରିଛନ୍ତି। ଏହାର ଲୋକାର୍ପଣ ଉତ୍ସବରେ ଏନ୍‌ଆଇସି ଭୁବନେଶ୍ବରର ଏସ୍‌ଆଇଓ କମ୍‌ ଡିଡିଜି କବିତା ରାୟ ଦାସ, ଓରିଏଟ୍‌ର ଜୁଡିସିଆଲ୍‌ ସଦସ୍ୟ ଇଶାନ କୁମାର ଦାସ, ପ୍ରଶାସନିକ ତଥା ବୈଷୟିକ ସଦସ୍ୟ ମଳୟ ଚାଟାର୍ଜୀ, ରେଜିଷ୍ଟ୍ରାର ଅଖିଳ କୁମାର ପଶ୍ଚିମକବାଟ, ବିତ୍ତ ଅଧିକାରୀ ମଧୁସୂଦନ ରାଉତ, ଏନ୍‌ଆଇସିର ବୈଜ୍ଞାନିକ ଏଚ୍‌.ପି ଦାସ ଏବଂ ବେବିନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଓରିଏଟ୍ ପକ୍ଷରୁ କୁହାଯାଇଛି ଯେ, ଏହି ୱେବସାଇଟ୍ ଦ୍ବାରା ଅଭିଯୋଗକାରୀ, ଓକିଲ ବିଶେଷ ଉପକୃତ ହେବେ। ଖୁବ୍‌ ଶୀଘ୍ର ଲୋକଙ୍କୁ ମୋବାଇଲ୍‌ ମେସେଜ୍ ମାଧ୍ୟମରେ ସୂଚନା ଦେବା ଏବଂ କେସ୍‌ ସୂଚନା ବ୍ୟବସ୍ଥା ଆରମ୍ଭ ହେବ।

ସମ୍ବନ୍ଧିତ ଖବର