ଖୋର୍ଦ୍ଧା ଜିଲ୍ଲାରୁ ଦଶ ବର୍ଷରେ ୪୮୦୦ ହେକ୍ଟର୍ ଆର୍ଦ୍ରଭୂମି ଗାଏବ
ଖୋର୍ଦ୍ଧା : ପ୍ରକୃତି ଓ ପରିବେଶର ସନ୍ତୁଳନ ରକ୍ଷା କରିବାରେ ଏକ ବିଶେଷ ଭୂମିକା ଗ୍ରହଣ କରୁଥିବା ଆର୍ଦ୍ରଭୂମି ଧୀରେ ଧୀରେ ଖୋର୍ଦ୍ଧା ଜିଲ୍ଲାରୁ ହ୍ରାସ ହେବାରେ ଲାଗିଛି। ୨୦୧୫ରୁ ୨୦୧୯, ୪ ବର୍ଷ ମଧ୍ୟରେ ଜିଲ୍ଲାର ପ୍ରାୟ ୧୪ ହଜାର ଆର୍ଦ୍ରଭୂମି ନିଜର ସତ୍ତା ହରାଇଛି। କେବଳ ଏତିକି ନୁହେଁ ଆଇନ ଓ ବନ ବିଭାଗ ଦ୍ବାରା ସୁରକ୍ଷିତ ଥିବା ଚିଲିକାର ଆର୍ଦ୍ରଭୂମି ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାରେ ଆର୍ଦ୍ରଭୂମିର ଜୀବନ ନାଟିକା ନଦୀ, ନାଳ, ହ୍ରଦ ଭଳି ପ୍ରାକୃତିକ ଜଳସ୍ରୋତ। କୁଆଖାଇ, ଭାର୍ଗବୀ, କୁଶଭଦ୍ରା, ଦୟା ନଦୀ ବ୍ୟତୀତ ଜିଲ୍ଲାରେ ୪୬ରୁ ଅଧିକ ନଦୀ ଓ ନାଳ ରହିଛି। ଏକ ଆକଳନ ଅନୁସାରେ ଏହା ମଧ୍ୟରୁ ପ୍ରାୟ ୨୦ଟି ନାଳ ମୃତ୍ତିକା କ୍ଷୟ ଯୋଗୁଁ ପ୍ରାୟ ପୋତିହେବା ଅବସ୍ଥାରେ ପହଞ୍ଚିଛି। ଫଳରେ ଜିଲ୍ଲାର ପରିବେଶ ସମ୍ବେଦନଶୀଳ ଆର୍ଦ୍ରଭୂମି ମଧ୍ୟ ନଷ୍ଟ ହେବାରେ ଲାଗିଛି। ଜିଲ୍ଲାରେ ମୋଟ ଆର୍ଦ୍ରଭୂମିର ସିଂହ ଭାଗ, ଅର୍ଥାତ୍ ୮୦ ଭାଗ ଅଞ୍ଚଳ ଚିଲିକା ଉପକୂଳରେ ରହିଛି। ଟାଙ୍ଗୀ ବ୍ଲକ୍ ଅଞ୍ଚଳରେ ଥିବା ଚିଲିକାର ଅଧିକାଂଶ ଆର୍ଦ୍ରଭୂମି ନଷ୍ଟ ହୋଇଯାଇଛି। ଚିଲିକାର ଆର୍ଦ୍ରଭୂମିକୁ ଆନ୍ତର୍ଜାତିକ ଗୁରୁତ୍ବପୂର୍ଣ୍ଣ ବୋଲି ୧୯୮୨ରେ ଏହାକୁ ‘ରାମସର୍’ ଅଞ୍ଚଳ ବୋଲି ଘୋଷଣା କରାଯାଇଥିଲା। ୨୦୦୮ ତଥ୍ୟାନୁସାରେ, ଚିଲିକାର ଆର୍ଦ୍ରଭୂମି ଇଲାକାର ୧୩୪.୪୪ ବର୍ଗ କିମି ଥିଲା। ୨୦୧୨ ତଥ୍ୟାନୁସାରେ, ଚିଲିକାର ମୋଟ ଆର୍ଦ୍ରଭୂମିର ପରିମାଣ ୧୦୮.୧୪ ବର୍ଗ କିମିକୁ ଖସି ଆସିଥିଲା। ଅର୍ଥାତ୍ ୪ ବର୍ଷ ମଧ୍ୟରେ ପ୍ରାୟ ୨୯ ବର୍ଗ କିଲୋମିଟର ଆର୍ଦ୍ରଭୂମି ନଷ୍ଟ ହୋଇଥିଲା। ୨୦୧୮–୧୯ର ତଥ୍ୟାନୁସାରେ ଚିଲିକାକୁ ମିଶାଇ ଜିଲ୍ଲାର ମୋଟ ଆର୍ଦ୍ରଭୂମିର ପରିମାଣ ୬୦୦୦ ହେକ୍ଟର ଅର୍ଥାତ୍ ୬୦ ବର୍ଗ କିଲୋମିଟରକୁ ହ୍ରାସ ପାଇଥିଲା। ଅର୍ଥାତ୍ ୨୦୦୮ରୁ ୨୦୧୮, ୧୦ ବର୍ଷ ମଧ୍ୟରେ ୪୮ ବର୍ଗ କିଲୋମିଟର ଆର୍ଦ୍ରଭୂମି ଉଭାନ୍ ହୋଇଯାଇଛି।
୨୦୦୨ରେ ଭାରତର ପ୍ରଥମ ଥର ପାଇଁ ବାଲୁଗାଁ ନିକଟସ୍ଥ ଚନ୍ଦ୍ରପୁର ଠାରେ ଆର୍ଦ୍ରଭୂମି ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପିତ ହୋଇଥିଲା। ୨୦୦୨ରୁ ୨୦୧୮ ମଧ୍ୟରେ ଆର୍ଦ୍ରଭୂମିର ସୁରକ୍ଷା ଓ ପୁନର୍ବିନ୍ୟାସ ପାଇଁ ୮୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛି। ରାମସର୍ ଆଡଭାଇଜରି ମିସନ ନିଜ ରିପୋର୍ଟରେ ଚିଲିକାର ସୁରକ୍ଷା ପାଇଁ ଚିଲିକା ଉପକୂଳ ଓ ଚିଲିକାର କ୍ୟାଚ୍ମେଣ୍ଟ୍ ଇଲାକାରେ ଥିବା ଆର୍ଦ୍ରଭୂମିର ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ଏବଂ ଏନେଇ ଅଧିକ ସଂଗଠିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ଦେଇଥିଲେ। ଚିଲିକା ନିକଟରେ ଥିବା ଅଞ୍ଚଳରେ ପଥରଖଣି, ଜଙ୍ଗଲ ଅବକ୍ଷୟ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଚିଲିକାର ଉତ୍ତର–ପଶ୍ଚିମ ପଟର କୁମ୍ବୀ ନଦୀ, କୁସୁମି ନଦୀ, ତୋଡ଼ି ନଦୀ, ମଙ୍ଗଳାଯୋଡ଼ି ନିକଟସ୍ଥ ମକରା ଓ ଭାର୍ଗବୀ ନଦୀର ମୁହାଣ ନିକଟରେ ମୃତ୍ତିକା କ୍ଷୟ ଯୋଗୁଁ ଆର୍ଦ୍ରଭୂମି ନଷ୍ଟ ହେଉଛି ବୋଲି ରିପୋର୍ଟରେ ଦର୍ଶାଇ ଥିଲେ। ଆର୍ଦ୍ରଭୂମିକୁ ଇକୋଲୋଜିକାଲ୍ ସେନ୍ସିଟିଭ୍ ଜୋନ୍ ଅର୍ଥାତ୍ ପାରିପାର୍ଶ୍ବିକ ସମ୍ବେଦନଶୀଳ ଅଞ୍ଚଳ ଭାବେ ଗ୍ରହଣ କରାଯାଇଥାଏ। ପରିବେଶର ସାମାନ୍ୟ ପରିବର୍ତ୍ତନରେ ଏହି ଆର୍ଦ୍ରଭୂମି ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ଜିଲ୍ଲାରୁ ଆର୍ଦ୍ରଭୂମି ହ୍ରାସ ପାଇବା ଜିଲ୍ଲାର ପରିବେଶରେ ଅସନ୍ତୁଳନ ସୃଷ୍ଟି ହୋଇଥିବା ଦିଗକୁ ପ୍ରମାଣିତ କରିଛି।