ଆଗକୁ କ’ଣ ହେବ ବିଧାୟକ ମୋକିମ୍‌ଙ୍କ ପଦକ୍ଷେପ?

ଦଳରୁ ୩ ସମର୍ଥକଙ୍କ ଇସ୍ତଫା; ଏପଟେ ଝୁଲୁଛି କୋର୍ଟ ମାମଲା

କଟକ: ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମଙ୍କ ଗତି କୁଆଡ଼େ? ଏ ପ୍ରଶ୍ନ ଏବେ କଟକ ରାଜନୀତିରେ ସବୁଠୁ ବଡ଼ ପ୍ରସଙ୍ଗ ହୋଇଛି। ଅବିଭକ୍ତ କଟକ ଜିଲ୍ଲାରେ ମୋକିମ୍ ହେଉଛନ୍ତି ଏକମାତ୍ର କଂଗ୍ରେସ ବିଧାୟକ। ମାତ୍ର; ଗଲା କିଛିମାସ ଧରି ତାଙ୍କର ବିଭିନ୍ନ କାର୍ଯ୍ୟକଳାପ, କଂଗ୍ରେସରେ ତାଙ୍କର ଆଉ ମନ ନାହିଁ ବୋଲି ଆଲୋଚନାର ବିଷୟ ହୋଇଛି। ମହମ୍ମଦ ମୋକିମ୍ ରାଜ୍ୟ କଂଗ୍ରେସ ସଭାପତି ପଦ ପାଇଁ ଆଶାୟୀ ଥିଲେ। ଶରତ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସ ସଭାପତି କରାଯିବା ପରେ ମୋକିମ୍ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ମୋକିମ୍ ଓ ତାଙ୍କ ସମର୍ଥକମାନେ ମଧ୍ୟ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିବାକୁ ବି ପଛାଉ ନାହାନ୍ତି।

ନିକଟ ଅତୀତରେ କେତେକ ଘଟଣାକୁ କେନ୍ଦ୍ରକରି ବିଧାୟକ ମୋକିମ୍‌ ଚର୍ଚ୍ଚାକୁ ଆସିଥିଲେ। ପ୍ରଥମେ , ଦଳର ନବନିଯୁକ୍ତ ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ବାଗତ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିନଥିଲା। ଦ୍ବିତୀୟରେ, ର‌ାଷ୍ଟ୍ରପତି ନିର୍ବାଚନ ସମୟରେ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ସେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ । ଏଥିପାଇଁ ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ଏବଂ ସେ ବି ତାର ଉତ୍ତର ବି ରଖି ସାରିଛନ୍ତି। ପରେପରେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା। ତାହା ହେଉଛି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୋକିମଙ୍କ କଟକ ସଇଦାନି ବଗିଚାସ୍ଥିତ ବାସଭବନକୁ ଆସି କିଛି ସମୟ ବିତାଇଲେ। ଏହିସବୁ କାରଣ ପାଇଁ ମୋକିମ୍‌ଙ୍କ ରାଜନୈତିକ ଗତିବିଧିକୁ ନେଇ ସମସ୍ତଙ୍କ ନଜର ଥିବାବେଳେ ଆଜି କଟକର ୩ ଜଣ ଆଗଧାଡ଼ିର ନେତା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ; ଦଳର ପୂର୍ବତନ ରାଜ୍ୟ ମୁଖପାତ୍ର ଅଶୋକ ସାମଲ, ପୂର୍ବତନ ରାଜ୍ୟ ସଂଗଠନ ସାଧାରଣ ସଂପାଦକ ବିଶ୍ବଜିତ ଦାସ ଏବଂ ବରିଷ୍ଠ ନେତା ନିକୁଞ୍ଜ ପଶାୟତ। ଏଥିସହିତ, ଦଳର ବିପର୍ଯ୍ୟୟ ପାଇଁ ସେମାନେ ଖୋଲାଖୋଲି ଭାବେ ହାଇକମାଣ୍ଡଙ୍କୁ ଦାୟୀ କରିଛନ୍ତି। ଦଳରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଶ୍ରୀ ସାମଲ କହିଛନ୍ତି ଯେ ଅପେକ୍ଷା କରନ୍ତୁ, ଆଗକୁ କ’ଣ ହେଉଛି ଦେଖନ୍ତୁ। ସେହିଭଳି ଶ୍ରୀ ଦାସ କହିଛନ୍ତି, ଦଳ ତଳକୁ ତଳକୁ ଯାଉଥିବାବେଳେ ଦଳର ହାଇକମାଣ୍ଡଙ୍କର କିନ୍ତୁ ଅହଙ୍କାର ଭାଙ୍ଗୁନାହିଁ। ଦିଲ୍ଲୀରେ ଭେଟିବାକୁ ଯାଇ ଅପେକ୍ଷା କରୁଥିବା ବରିଷ୍ଠ ନେତାମାନଙ୍କୁ ବସିବାକୁ କୁହାଯାଉନାହିଁ। ଏଠି କେନ୍ଦ୍ରୀୟ ନେତା ଆସି କହୁଛନ୍ତି, ଯିଏ ଦଳ ଛାଡ଼ିଯିବା କଥା ଚାଲିଯାଆନ୍ତୁ। ଏଭଳି ଦଳର ଭବିଷ୍ୟତ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ, ୩ନେତାଙ୍କ ଇସ୍ତଫା ଘଟଣା ମୋକିମ୍‌ଙ୍କ କଂଗ୍ରେସ ଛାଡ଼ିବାର ଏକ ଆଭାସ ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅବଶ୍ୟ ମୋକିମ୍ ବର୍ତ୍ତମାନ ଏଭଳି କୌଣସି ସମ୍ଭାବନାକୁ ଅସ୍ବୀକାର କରିଛନ୍ତି। ବର୍ତ୍ତମାନ ସେ କଂଗ୍ରେସରେ ଅଛନ୍ତି ଏବଂ କଂଗ୍ରେସ ପାଇଁ କାମ କରୁଛନ୍ତି ବୋଲି କହିଛନ୍ତି। କିଛି ସମର୍ଥକଙ୍କ ଇସ୍ତଫା ପ୍ରସଙ୍ଗରେ କହିଛନ୍ତି ଯେ, ଏ ସଂପର୍କରେ ସେ ପୂର୍ବରୁ କିଛି ଜାଣି ନଥିଲେ। ସେମାନଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି।

ଅନ୍ୟପକ୍ଷ‌ରେ, ‌ମୋକିମ୍‌ଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି କୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା। ୨୦୧୯ ମସିହା ନିର୍ବାଚନରେ ତାଙ୍କଠାରୁ ହାରିଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ସତ ଲୁଚାଇଥିବା ଅଭିଯୋଗ ଆଣି ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ଅନୁରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମୋକିମ୍ ଏହି ମାମଲାର ଶୁଣାଣି ନ କରିବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ହାଇକୋର୍ଟ ତାହାକୁ ଖାରଜ କରିଛନ୍ତି। ମୋକିମ୍ ପରେ ସୁପ୍ରିମକୋର୍ଟରେ ବି ନିରାଶ ହୋଇଛନ୍ତି। ଏଭଳି ସ୍ଥିତିରେ ଏହି ମାମଲାର ଶୁଣାଣି ହେବାକୁ ଯାଉଛି। ମାମଲାର ଫଳାଫଳ କ’ଣ ହେବ ତାହା ଭିନ୍ନ ପ୍ରସଙ୍ଗ, କିନ୍ତୁ ଏଥିପାଇଁ ମୋକିମ୍ ଆଗୁଆ କିଛି ପଦକ୍ଷେପ ନେଇପାରନ୍ତି କି ବୋଲି ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମୋକିମ୍ କିନ୍ତୁ ଏଭଳି କିଛି ସମ୍ଭାବନାକୁ ଏଡ଼ାଇ ଯିବାସହିତ ଅଦାଲତରେ ମାମଲାର ଶୁଣାଣି ହେଉ। ଫଳାଫଳ ଆସୁ। ତା’ ପରେ ଆଗକୁ କ’ଣ ହେବ ଦେଖାଯିବ ବୋଲି କହିଛନ୍ତି। ଦୀର୍ଘବର୍ଷ ପରେ ବାରବାଟୀ-କଟକ ବିଧାନସଭା ଆସନ ହାତେଇବା ପରେ କଂଗ୍ରେସ ଏଠାରେ ଏକ ଶକ୍ତି ଭାବେ ଉଭା ହୋଇଥିଲା। କିନ୍ତୁ ଏବେ କଟକରେ ଘଟି ଚାଲିଥିବା ବିଭିନ୍ନ ଘଟଣା ୨୦୨୪ ପୂର୍ବରୁ ରାଜନୈତିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଆସିବାର ଆଭାସ ଦେଉଛି।

ସମ୍ବନ୍ଧିତ ଖବର