ତାମ୍‌ଡାରେ ଚାଲିଛି କଣ? ୫ ମାସରେ ବଦଳିଲେଣି ୪ ସଚିବ, ୨୦୧୮ ପରଠାରୁ ନାହାନ୍ତି ଅଧ୍ୟକ୍ଷ

ଅନୁଗୁଳ : ୫ ମାସ ପୂରିନି,ବଦଳିଲେଣି ୪ ସଚିବ। ଜଣେ ଠିକ୍ ଭାବେ ଚୌକିରେ ବସିଲାବେଳକୁ ବାହାରୁଛି ବଦଳି ଆଦେଶ। ଫାଇଲ୍‌ କାମ ଆରମ୍ଭ କରୁକରୁ ଅନ୍ୟ ଅଧିକାରୀଙ୍କୁ ଦିଆଯାଉଛି ଦାୟିତ୍ବ । ଏମିତି ଦୟନୀୟ ଚିତ୍ର ଏବେ ତାଳଚେର ଅନୁଗୁଳ ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ(ତାମ୍‌ଡ଼ା)ରେ ଦେଖିବାକୁ ମିଳିଛି। ଏହି ୫ ବର୍ଷରେ ଏଠାରେ ୪ ଜଣ ସଚିବ ବଦଳି ସାରିଲେଣି। ଏପଟେ ତାମ୍‌ଡାର ଅଧ୍ୟକ୍ଷ ପଦ ୨୦୧୮ରୁ ଫାଙ୍କା ପଡ଼ିଛି। କର୍ମଚାରୀ ଅଭାବରେ ସନ୍ତୁଳି ହେଉଥିବା ଏହି ସଂସ୍ଥାରେ ଏମିତି ଅଧିକାରୀ ବଦଳି ଉନ୍ନୟନ କାମକୁ ଠପ୍ କରି ଦେଇଥିଲାବେଳେ ସାଧାରଣ ଲୋକେ ବି ଏହାର ନକାରାତ୍ମକ ଫଳ ଭୋଗୁଛନ୍ତି।

ଏବେ ତାମ୍‌ଡାର ସଚିବ ଥିବା ଅମ୍ଳାନ ଅପରାଜିତା ମିଶ୍ରଙ୍କୁ ଏଠାରୁ ବଦଳି କରି ଦିଆଯାଇଛି। ଗତକାଲି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅନୁଗୁଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଥିବା ରାଜୀବ କୁମାର ବେହେରାଙ୍କୁ ତାମ୍‌ଡ଼ା ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ଅମ୍ଳାନ ଅପରାଜିତା ମିଶ୍ର ଏହି ତାମ୍‌ଡା ସଚିବ ଭାବେ ଜୁଲାଇ ୮ ତାରିଖରେ ଦାୟିତ୍ବ ନେଇଥିଲେ। ଅନୁଗୁଳରେ ଡେପୁଟି କଲେକ୍ଟର ଥିବା ଅମ୍ଳାନ ଅପରାଜିତାଙ୍କୁ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ତାଙ୍କ ପୂର୍ବରୁ ଜାନକୀନାଥ ମିଶ୍ର ପ୍ରାୟ ସାଢେ ୩ ମାସ ପାଇଁ ଏହି ସଚିବ ପଦରେ ରହିଥିଲେ। ସେ ବି ଥିଲେ ଭାରପ୍ରାପ୍ତ। ଏହା ପୂର୍ବରୁ ଡେପୁଟି କଲେକ୍ଟର ବଇତୁରା ଦୀପଙ୍କୁ ତାମ୍‌ଡ଼ା ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ସୂଚନା ଅନୁସାରେ, ବଇତୁରା ଦୀପଙ୍କୁ ଏଠାରୁ ବଦଳି କରାଯିବା ପରେ ଗତ ମାର୍ଚ୍ଚ ୧୭ ତାରିଖରେ ଜାନକୀନାଥ ମିଶ୍ର ଏହି ପଦ ଗ୍ରହଣ କରିଥିଲେ। ଅର୍ଥାତ ଗତ ମାର୍ଚ୍ଚରୁ ଆଜି ଭିତରେ ୪ ଜଣ ସଚିବ ଏଠାରୁ ବଦଳିଲେଣି।

ତାମ୍‌ଡ଼ା ପରି ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନରେ ନିୟମିତି ସଚିବ ନିଯୁକ୍ତି ଦିଆ ଯାଉ ନ ଥିବାରୁ ଏମିତି ବଦଳି ପାଲା ନିୟମିତ ଚାଲିଛି। ଏପଟେ ନିୟମିତ ଅଧିକାରୀ ନ ଥିବାରୁ ତାଳଚେର, ଅନୁଗୁଳ ପରି ଦୁଇ ବଡ଼ ସହରରେ ଯୋଜନା ଓ ଉନ୍ନୟନ କାମ ପଛେଇ ଯାଇଛି। ସୌନ୍ଦର୍ଯ୍ୟକରଣ କାମ ତ ବନ୍ଦ ହୋଇଗଲାଣି। ଏପଟେ ତାମ୍‌ଡ଼ା ଅଧ୍ୟକ୍ଷ ପଦ ୨୦୧୮ ପରଠାରୁ ଖାଲି ପଡ଼ିଛି। ଶକ୍ତି ପଟ୍ଟନାୟକ ତାମ୍‌ଡ଼ା ଅଧ୍ୟକ୍ଷ ପଦରୁ ଗଲା ପରେ ସରକାର ଏହାର ଅଧ୍ୟକ୍ଷ ଭାବେ ଆଉ କାହାରିକୁ ଦାୟିତ୍ବ ଦେଇ ନାହାନ୍ତି। ଅଧ୍ୟକ୍ଷ ଓ ନିୟମିତ ସଚିବଙ୍କ ବିନା ତାମ୍‌ଡ଼ା ଏକପ୍ରକାର ମୂରବିଶୂନ୍ୟ ହୋଇପଡ଼ିଛି।

ସମ୍ବନ୍ଧିତ ଖବର