କ୍ୟାବିନେଟ୍ ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଚିଠି

ଦୁଇ ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନକୁ ଜମି ହସ୍ତାନ୍ତର

ଭୁବନେଶ୍ବର : ଦୁଇଟି ବେସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଟଙ୍କାଏ ଲେଖାଏଁ ମୂଲ୍ୟରେ ୪୦ ଏକର ଜମି ହସ୍ତାନ୍ତର କରିବା ଲାଗି ଓଡ଼ିଶା କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ଏହି ଜମିର ମୂଲ୍ୟ ଶତାଧିକ କୋଟି ଟଙ୍କା। ବେସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ମାଗଣାରେ ଜମି ହସ୍ତାନ୍ତର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅପରିଣାମଦର୍ଶୀ ନିଷ୍ପତ୍ତି। ଏ ପ୍ରତିଷ୍ଠାନ ରାମକୃଷ୍ଣ ମିସନ, ମିସନାରିଜ ଅଫ ଚାରିଟି, ଭାରତ ସେବାଶ୍ରମ ସଂଘ ଭଳି ସଂସ୍ଥା ନୁହେଁ। ଏସବୁ ସଂସ୍ଥାର ପୂର୍ବରୁ ଯେଉଁଠି ଶାଖା ପ୍ରତିଷ୍ଠା ହୋଇଛି, ସେଠାରେ କ’ଣ ଲୋକମା‌‌ନେ ମାଗଣାରେ ସ୍ବାସ୍ଥ୍ୟ ସେବା ପାଉଛନ୍ତି। ତେଣୁ କ୍ୟାବିନେଟ୍‌ରେ ଗୃହୀତ ପ୍ରସ୍ତାବ ପ୍ରତ୍ୟାହାର କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିଛନ୍ତି ନେତାଜୀ ସୁଭାଷ ଜନ୍ମମାଟି ଯାତ୍ରା, ରାଷ୍ଟ୍ରୀୟ ଆବାହକ ଦେବୀ ପ୍ରସାଦ ପୃଷ୍ଟି।

ଶ୍ରୀ ପୃଷ୍ଟି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଚୁକ୍ତିନାମା ସ୍ବାକ୍ଷରିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଶ୍ବକବି ରବୀନ୍ଦ୍ରନାଥ ଟାଗୋରଙ୍କୁ ଉଦ୍ଧୃତ କରିଛନ୍ତି। ବିଶ୍ବଭାରତୀ-ଶାନ୍ତି ନିକେତନ କାହାରି ଦୟା କିମ୍ବା ଅନୁକମ୍ପା ଦାନ ଜମିରେ ପ୍ରତିଷ୍ଠା ହୋଇନାହିଁ। ଟଙ୍କା ଦେଇ ଜମି କିଣାଯାଇଥିଲା। ଏହାର ପରିଚାଳନା ପାଇଁ ବୟସାଧିକ ହେଲେ ବି ଗୁରୁଦେବ ବାହାରକୁ ଯାଇ ନିଜର ଭାଷଣ ଜରିଆରେ ଅର୍ଥ ସଂଗ୍ରହ କରିଛନ୍ତି। ଏପରିକି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ରାଜନୈତିକ ଗୁରୁ ଦେଶବନ୍ଧୁ ଚିତ୍ତରଂଜନ ଦାସ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ଖଣ୍ଡିଏ ଛୋଟିଆ ଖଦଡ଼ ଧୋତି ଓ ଛୋଟିଆ ଗାମୁଛା ପକାଇ ‌ଲୋକଙ୍କ ସେବା ପାଇଁ ନିଜ ସଂପତ୍ତି ଜାତି ଉଦ୍ଦେଶ୍ୟରେ ଦାନ କରିଥିଲେ। ତାଙ୍କ ଘରେ କୋଲାକାତାରେ ଠିଆ ହୋଇଛି ଚିତ୍ତରଂଜ ଜାତୀୟ କର୍କଟ ଅନୁଷ୍ଠାନ। ତେଣୁ କ୍ୟାବିନେଟ୍‌ରେ ନିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାହାର କରାଯାଉ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର