ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ କେବେ?

ଘୋଷଣାରେ ରହିଗଲା ୨୫ କୋଟିର ପ୍ୟାକେଜ୍‌
ବିଜ୍ଞାନ କେନ୍ଦ୍ର, ପ୍ଲାନେଟାରିୟମ୍‌ ଓ ପ୍ରେକ୍ଷାଳୟ ଫାଇଲ୍‌ ଆଗଉନି

ଭୁବନେଶ୍ବର : ୨୦୧୯ ଡିସେମ୍ବର ୩୧ ତାରିଖ। ରାଜେନ୍ଦ୍ର କଲେଜର ପ୍ଲାଟିନମ୍‌ ଜୁବିଲି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ୨୫ କୋଟିରୁ ଅଧିକ ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ସେ କହିଥିଲେ ଯେ ଐତିହ୍ୟ ସମ୍ପନ୍ନ ଏହି ଶିକ୍ଷାନୁଷ୍ଠାନର ଅଗଣିତ ଛାତ୍ରଛାତ୍ରୀ ରାଜ୍ୟ, ଦେଶ ଓ ଦେଶ ବାହାରେ ଗୌରବ ଅର୍ଜନ କରିଛନ୍ତି। ରାଜ୍ୟ ସରକାର ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି। ଫଳରେ ଏହା ଅଞ୍ଚଳବାସୀଙ୍କ ଶିକ୍ଷାର ବିକାଶରେ ସହାୟକ ହେବ। ଯୁବକଙ୍କ ଶୈକ୍ଷିକ ଆକାଂକ୍ଷା ପୂରଣ କରିବ। ତେଣୁ ଏହି ବିଶ୍ୱବିଦ୍ୟାଳୟର ଉନ୍ନତୀକରଣ ପାଇଁ ନୂତନ କୋଠା ନିର୍ମାଣ ଓ ଭିତ୍ତିଭୂମି ବିକାଶ ପାଇଁ ୨୫କୋଟି ଖର୍ଚ୍ଚ ହେବ। ଏଥିସହ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ସାଇନ୍ସପାର୍କ ଓ ପ୍ଲାନେଟାରିଅମ ନିର୍ମାଣ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଇତି ମଧ୍ୟରେ ୧୩ ମାସ ବିତିଗଲାଣି। ହେଲେ ଭିତ୍ତିଭୂମି ବିକାଶ ଏବେ କେବଳ ଘୋଷଣାରେ ହିଁ ଅଟକି ଯାଇଛି। ଏପର୍ଯ୍ୟନ୍ତ ଟଙ୍କାଟିଏ ବି ମିଳିପାରି ନାହିଁ। କେତେକ ପ୍ରକଳ୍ପ ଲାଗି ଫାଇଲ୍‌ ପ୍ରଶାସନିକ ଅନୁମୋଦନ ପାଇଥିଲେ ମଧ୍ୟ ତାହା ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ନିକଟରେ ଅଟକି ରହିଛି। ନାଲି ଫିତା ତଳେ ଥିବା ଫାଇଲ୍‌କୁ ଆଗକୁ ନେବା ଦିଗରେ କେହି ବି ଆଗଭର ପ୍ରକାଶ କରୁ ନାହାନ୍ତି। କେବେ ଟଙ୍କା ମିଳିବ ଓ କାର୍ଯ୍ୟ ଆରମ୍ଭ ହେବ ସେନେଇ କାହା ପାଖରେ ଉତ୍ତର ନାହିଁ। ବିଶ୍ବବିଦ୍ୟାଳୟ ଘୋଷଣାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଭଳି ଆଖିଦୃଶିଆ ଉନ୍ନତି ହୋଇପାରି ନାହିଁ। ଭାରପ୍ରାପ୍ତ କୁଳପତିରେ ବିଶ୍ବବିଦ୍ୟାଳୟ ଚାଲିଛି। ବାରମ୍ବାର ଦାବି ପରେ ଏବେ ନୂତନ କୁଳପତି ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ଏକ ପ୍ଲାନେଟାରିୟମ୍‌ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିବା ପରେ ୨୦୨୦ ଜାନୁଆରି ୨୧ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖାଯାଇ ପଦକ୍ଷେପ ନେବାକୁ କୁହାଯାଇଥିଲା। ତେବେ ୨୦୨୦ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କାର୍ଯ୍ୟ ଆଗେଇ ପାରି ନ ଥିଲା। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅସନ୍ତୋଷ ବ୍ୟକ୍ତ କରିବା ସହ ଏଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗକୁ କହିଥିଲା। ଯାହାକୁ ଆଧାର କରି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ମାର୍ଚ୍ଚ ୧୮ରେ ବିଜ୍ଞାନ ଓ କାରିଗରି ବିଭାଗ ସଚିବଙ୍କୁ ଚିଠି ଲେଖି ବିଜ୍ଞାନ କେନ୍ଦ୍ର ଓ ପ୍ଲାନିଟାରିୟମ୍‌ ପ୍ରତିଷ୍ଠା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ସେବେଠାରୁ ଚିଠି ଯାଇଛି ଯେ ଆଉ ଫେରୁନି। ସେହିପରି କ୍ୟାମ୍ପସରେ ଏକ ପ୍ରେକ୍ଷାଳୟ ନିର୍ମାଣ ପାଇଁ ପ୍ରଶାସନିକ ଅନୁମୋଦନ ମିଳିଥିଲେ ମଧ୍ୟ କାମ ଆଗଉ ନାହିଁ। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ସମେତ ଆଲୁମିନି ସଂଘ ଏସମ୍ପର୍କରେ ବାରମ୍ବାର ଉଚ୍ଚଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କରୋନା ବାହାନା ଦେଖାଇ ଅଧିକାରୀମାନେ ଦିନ ଗଡ଼ାଇଥିଲେ। ଏବେ କରୋନା ସଂକ୍ରମଣ କମିବା ସହ ସ୍ଥିତି ସ୍ବାଭାବିକ ହେଲାଣି। ତା’ପରେ ବି ଏଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।

ସମ୍ବନ୍ଧିତ ଖବର