ମାଟ୍ରିକ୍‌ ପରୀକ୍ଷା କେବେ?

ଗଣଶିକ୍ଷା ସଚିବଙ୍କ ନିର୍ଦେଶ ମାନୁନି ବିଏସ୍‌ଇ
ଅଂଶୀଦାରଙ୍କ ସହ ଆଲୋଚନା ହୋଇନି
କମୁଛି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ

ଭୁବନେଶ୍ବର : କେବେ ହେବ ମାଟ୍ରିକ୍ ପରୀକ୍ଷା? ଅଫ୍‌ଲାଇନ୍‌ରେ ‌ନା ଅନ୍‌ଲାଇନ୍‌ରେ କରାଯିବ? କେତେ ପାଠ୍ୟକ୍ରମକୁ ନେଇ ସମିଟିଭ୍‌ ଆସେସ୍‌ମେଣ୍ଟ(ଏସ୍‌ଏ-୨) ହେବ ସେନେଇ ସ୍ପଷ୍ଟ ହୋଇନି? ଶିକ୍ଷାବର୍ଷ ସରିବାକୁ ବସିଥିବା ବେଳେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଖରେ ଏଭଳି ଅନେକ ପ୍ରଶ୍ନର ଉତ୍ତର ନାହିଁ। ଗୋଟିଏ ପଟେ ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା ସରିଲାଣି। ଯୁକ୍ତ୨ ପରୀକ୍ଷା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଅଂଶୀଦାରଙ୍କ ସହ ଆଲୋଚନା ଚାଲିଛି। ମାତ୍ର ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ପଛରେ ପଡ଼ିଛି। ଅଂଶୀଦାରଙ୍କ ସହ ଆଲୋଚନା କରାଯାଇ ପରୀକ୍ଷା ପରିଚାଳନା ନିଷ୍ପତ୍ତି ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଗତ ୧୦ ତାରିଖରେ ନିର୍ଦେଶ ଦେଇଥିଲେ। ଇତିମଧ୍ୟରେ ୧୫ ଦିନ ବିତିଯାଇଥିଲେ ମଧ୍ୟ ପରିଷଦ ସଭାପତି ଏଦିଗରେ କୌଣସି ବି ପଦକ୍ଷେପ ନେଇନାହାନ୍ତି। ଏପର୍ଯ୍ୟନ୍ତ କୌଣସି ଅଂଶୀଦାରଙ୍କ ସହ ଆଲୋଚନା ହିଁ କରିନାହାନ୍ତି। ନିର୍ଦେଶ ମୁତାବକ ବୋର୍ଡର ଅଧିକାରୀମାନେ କେବେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍‌ ଓ ବିଶେଷଜ୍ଞଙ୍କ ସହ ବିସ୍ତୃତ ଆଲୋଚନା କରିବେ ସେନେଇ ପ୍ରଶ୍ନ ଉଠିଛି। ପରୀକ୍ଷାର୍ଥୀଙ୍କ ଉତ୍ସୁକତା ବି ବଢ଼ିବାରେ ଲାଗିଛି।

ବିଭାଗୀୟ ସଚିବ ଶ୍ରୀ ସେଠୀ କହିଥିଲେ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାବଦରେ ବିସ୍ତୃତ ଆଲୋଚନା କରାଯିବ। ବିଏସ୍‌ଇ ଓ ସିଏଚ୍‌ଏସ୍‌ଇ ପକ୍ଷରୁ ଏହି ଅଂଶୀଦାରଙ୍କ ମତାମତ ଆଧାରରେ ପରୀକ୍ଷା ଓ ମୂଲ୍ୟାୟନ ନେଇ ଉପଯୁକ୍ତ ପ୍ରସ୍ତାବ ଗ୍ରହଣ କରାଯିବ। ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ, ବିଏସ୍‌ଇ ସଭାପତି ଆଲୋଚନା କରି ସବିଶେଷ ପଦକ୍ଷେପ ଗ୍ରହଣ କରିବେ। କୋଭିଡ୍‌-୧୯ ଶିକ୍ଷା କ୍ଷେତ୍ର ପାଇଁ ଏକ କଠିନ ସମୟ ସୃଷ୍ଟି କରିଛି। ଏହି ଆହ୍ୱାନଗୁଡ଼ିକୁ ଯଥାସମ୍ଭବ ସମାଧାନ କରାଯିବ। ଶିକ୍ଷାଦାନକୁ ପୁଣିଥରେ ଆରମ୍ଭ କରିବା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ଓ ଶିକ୍ଷଣ ପ୍ରକ୍ରିୟାରେ ଥିବା ବ୍ୟବଧାନକୁ ଦୂର କରିବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ନେଇ ସୂଚନା ଦେଇଥିଲେ। ମାତ୍ର ଏବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମିବାରେ ଲାଗିଛି। ଆଉ ଆଗଭଳି ପିଲାମାନେ କ୍ଲାସ କରିବାକୁ ବିଦ୍ୟାଳୟ ଆସୁ ନାହାନ୍ତି। ବିଏସ୍‌ଇ ଅଧୀନ କୌଣସି ବି ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ହେଉନାହିଁ। ବାଧ୍ୟବାଧକତାରେ କେତେକ ସ୍ଥାନରେ ବିଦ୍ୟାଳୟକୁ ପିଲା ଆସୁଥିବା କେତେଜଣ ପ୍ରଧାନଶିକ୍ଷକ କହିଛନ୍ତି। ମାର୍ଚ୍ଚ ଦ୍ବିତୀୟ ସପ୍ତାହ ସୁଦ୍ଧା ଏଫ୍‌ଏ-୪ ପରୀକ୍ଷା ସରିବାକୁ ଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ। ପିଲାଙ୍କ ଉପସ୍ଥାନ କମ୍‌ ରହିଥିବାରୁ ଏହି ପରୀକ୍ଷାକୁ ବିଦ୍ୟାଳୟରେ କରିବା ସମ୍ଭବପର ହେଉନାହିଁ। ଏପ୍ରିଲ ଶେଷ ସପ୍ତାହରେ ଏସ୍‌ଏ-୨ ପରୀକ୍ଷା କରିବାକୁ ୭ ମାସ ତଳେ ଘୋଷଣା‌ ହୋଇଥିଲା। ମାତ୍ର କରୋନା ଲାଗି ଜାନୁଆରି ମାସରେ ପାଠପଢ଼ା ବନ୍ଦ ରହିଲା। ଏବେ ସେହି ସମୟରେ ପରୀକ୍ଷା ହେବ ନା ବିଳମ୍ବ ହେବ ତାହାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ରହିଛନ୍ତି।

ସେହିପରି ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି। କରୋନା ଆଳ‌ ଦେଖାଇ ପରିଷଦ କର୍ତ୍ତୃପକ୍ଷ ସମସ୍ତଙ୍କୁ ଅନ୍ଧାରରେ ରଖୁଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକ ବର୍ଷ ମାଟ୍ରିକ ପରୀକ୍ଷାର ୫ ମାସ ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ଏଥର କିନ୍ତୁ ବିଳମ୍ବ ଦେଖାଦେଇଛି। ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପରିଷଦ କର୍ତ୍ତୃପକ୍ଷ ଦୁର୍ଗାପୂଜା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତି କରନ୍ତି। ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଅକ୍ଟୋବର ଦ୍ବିତୀୟ ସପ୍ତାହ ମଧ୍ୟରେ ପ୍ରଶ୍ନପତ୍ର ସେଟର୍‌ଙ୍କଠାରୁ ପ୍ରଶ୍ନପତ୍ର ସଂଗ୍ରହ କରାଯାଏ। ଅକ୍ଟୋବର ଦ୍ବିତୀୟ ସପ୍ତାହରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଦେଢ଼ ମାସ ମଧ୍ୟରେ ସଂଗୃହୀତ ପ୍ରଶ୍ନପତ୍ରକୁ ମଡରେସନ କରାଯାଏ। ମଡରେସନ୍ ପରେ ଡିସେମ୍ବର ପ୍ରଥମ ସପ୍ତାହରେ ପ୍ରିଣ୍ଟିଂ ଅର୍ଡର ଦିଆଯାଏ। ଜାନୁଆରି ଦ୍ବିତୀୟ ସପ୍ତାହ ବେଳକୁ ପ୍ରଶ୍ନପତ୍ର ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପହ‌ଞ୍ଚେ। ଜାନୁଆରି ଶେଷ ସପ୍ତାହରୁ ଫେବ୍ରୁଆରି ପ୍ରଥମ ସପ୍ତାହ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ନୋଡାଲ ‌ସେଣ୍ଟରକୁ ପଠାଯାଇଥାଏ। ଏବେ ଯଦି ପ୍ରସ୍ତୁତି ଆରମ୍ଭ ହୁଏ ତେବେ ପରୀକ୍ଷା ଆହୁରି ବିଳମ୍ବ ହେବା ନେଇ ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର