ଯୁକ୍ତ୨ ପରୀକ୍ଷା କାର୍ଯ୍ୟସୂଚୀ କେବେ?

ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ, ଆଜି ସରିବ ବିନା ଜରିମାନାରେ ଫର୍ମ ପୂରଣ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା,‌ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା କାର୍ଯ୍ୟସୂଚୀ କେବେ ପ୍ରକାଶ ପାଇବ? ପରୀକ୍ଷା ପାଇଁ ଫର୍ମ ପୂରଣ ଶେଷ ହେବାକୁ ବସିଥିବା ବେଳେ ଏଭଳି ଚିନ୍ତାରେ ରାଜ୍ୟର ସାଢ଼େ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଇତିମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ(ମାଟ୍ରିକ୍‌) ପରୀକ୍ଷା ସମେତ ସିବିଏସ୍‌ଇ ବୋର୍ଡ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇ ସାରିଲାଣି। ହେଲେ ସିଏଚ୍‌ଏସ୍‌ଇ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅଭିଭାବକ ବି ଅସନ୍ତୋ‌ଷ ବ୍ୟକ୍ତ କରିଛନ୍ତି।

ଯୁକ୍ତ୨ ଏକ୍ସ-ରେଗୁରାଲ ଛାତ୍ରଛାତ୍ରୀଙ୍କ ଦୁଇଟି ପର୍ଯ୍ୟାୟ ଫର୍ମ ପୂରଣ ଶେଷ ହୋଇଛି। ବିନା ଜରିମାନା ଓ ୫୦ଟଙ୍କା ଜରିମାନା ଦେଇ ଛାତ୍ରଛାତ୍ରୀ ଫର୍ମ ପୂରଣ କରିସାରିଛନ୍ତି। ଏବେ ୩୫୦ ଟଙ୍କା ‌ଜରିମାନା ଦେଇ ପିଲାମାନେ ଫର୍ମ ପୂରଣ କରୁଛନ୍ତି। ସେହିପରି ରେଗୁରାଲ ଛାତ୍ରଛାତ୍ରୀଙ୍କ ବିନା ଜରିମାନାରେ ଫର୍ମ ପୂରଣ ଫେବ୍ରୁଆରି ୨୪ ତଥା ବୁଧବାର ଶେଷ ହେବ। ମାର୍ଚ୍ଚ ୬ ତାରିଖ ସୁଦ୍ଧା ଫର୍ମପୂରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସରିବ। ତେବେ ଆଜି ପର୍ଯ୍ୟନ୍ତ ପରୀକ୍ଷା କାର୍ଯ୍ୟସୂଚୀ ଜାରି ହେଉ ନଥିବାରୁ ଗଣଶିକ୍ଷା ବିଭାଗ ଓ ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଘୋଷଣା ଅନୁଯାୟୀ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଥିଓରି ପରୀକ୍ଷା ମେ’ ୧୫ରୁ ଆରମ୍ଭ ହୋଇ ଜୁନ୍‌ ୧୧ ପର୍ଯ୍ୟନ୍ତ ଚାଲିବ। ତେବେ ପ୍ରାକ୍ଟିକାଲ୍‌ ପରୀକ୍ଷା ଏପ୍ରିଲ୍‌ ୨୯ରୁ ମେ’ ୧୪ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ପୂର୍ବରୁ ଜାନୁଆରି ୮ରୁ ଏପ୍ରିଲ୍‌ ୨୮ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। ଏଥର ପାଠ୍ୟକ୍ରମକୁ ହ୍ରାସ କରାଯିବା ସହ ପ୍ରଶ୍ନପତ୍ର ପାର୍ଟନ ପରିବର୍ତ୍ତନ ହୋଇଛି। ତେଣୁ ପରୀକ୍ଷା ପ୍ରସ୍ତୁତି ପାଇଁ ଆଗୁଆ କାର୍ଯ୍ୟସୂଚୀ ଜାରି ହେବାର ଆବଶ୍ୟକତା ରହିଛି। ପରୀକ୍ଷା ସୂଚୀ ବାହାରିବା ପରେ ପିଲାମାନେ ଯେଉଁ ବିଷୟରେ ଦୁର୍ବଳ ରହିଥିବେ, ସେଥିପ୍ରତି ପ୍ରାଥମିକତା ଦେଇ ପଢ଼ିବେ। ବିଶେଷକରି ଇଂରାଜୀ, ଗଣିତ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଭଳି ଜଟିଳ ବିଷୟ ନେଇ ପିଲାମାନେ ଚିନ୍ତାରେ ରହିଥିବା ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରୀକ୍ଷା କାର୍ଯ୍ୟସୂଚୀ ପ୍ରସ୍ତୁତିକୁ ନେଇ ସିଏଚ୍‌ଏସ୍‌ଇ ପରୀକ୍ଷା ପରିଚାଳନା କମିଟିରେ ବିବାଦ ଦେଖାଦେଇଛି। ୩ଥର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ରୂପ ନେଇପାରୁ ନାହିଁ। ତାରିଖ ବଦଳାଇବାକୁ ଗୋଟିଏ ଗୋଷ୍ଠୀ ଦାବି କରୁଥିବା ବେଳେ ଅନ୍ୟଗୋଷ୍ଠୀ ଏହାକୁ ବିରୋଧ କରୁଛି। ଯେଉଁଥିପାଇଁ ଦିନ ଗଡ଼ୁଥିଲେ ମଧ୍ୟ ପରୀକ୍ଷା କାର୍ଯ୍ୟସୂଚୀ ସ୍ଥିର ହୋଇପାରୁନାହିଁ। ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ପରୀକ୍ଷା ଦେବାକୁ ଥିବା ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି।

ସମ୍ବନ୍ଧିତ ଖବର