କଉଡ଼ିଖଣି ଚାରିଛକରେ ଅଣ୍ଡରପାସ୍ କେବେ? ବଢ଼ୁଛି ଦୁର୍ଘଟଣା

ନାଚୁଣୀ : ସ୍ଥାନୀୟ ବଡ଼ପଦର ଗାଁ କଉଡ଼ିଖଣି ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ଚାଲିଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିକଟସ୍ଥ ସୁନାଖଳା ବଜାର ଓ ନାଚୁଣୀ ବାଇପାସ୍ ରୋଡ଼ସ୍ଥିତ ଅଞ୍ଚଳରେ ଦୁଇଟି ଓଭରବ୍ରିଜ୍‌ ନିର୍ମାଣ ହୋଇ ଏହା ଉପରେ ଯାତାୟାତ ବି ଆରମ୍ଭ ହୋଇ ସାରିଛି। ହେଲେ ଏହାର ସବୁଠାରୁ ଅଧିକ ଦୁର୍ଘଟଣା ପ୍ରବଣ ସ୍ଥାନ କଉଡ଼ିଖଣି ଚାରିଛକ ଉପରେ ନିହାତି ଆବଶ୍ୟକ ଅଣ୍ଡରପାସ୍ ନିର୍ମାଣ ପାଇଁ ବଡ଼ପଦର ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ହୋଇ ଆସୁଥିବା ଦାବି କେବଳ ଦାବିରେ ସୀମିତ ରହିଯାଇଛି।

ସୂଚନାଯୋଗ୍ୟ ଯେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଅବସ୍ଥିତ କଉଡ଼ିଖଣି ଚାରିଛକ ଦେଇ ଚିଲିକା ଓ ବାଣପୁର ବ୍ଲକ୍‌ ଅଧୀନ ବିଭିନ୍ନ ପଞ୍ଚାୟତବାସୀଙ୍କ ନିତିଦିନିଆ ଯାତାୟାତ ରାସ୍ତା ରହିଛି। କେବଳ ସେତିକି ନୁହେଁ, ଏହି ଛକ ଅତିକ୍ରମ କଲେ ଜାତୀୟ ରାଜପଥ ୧୬ର ଉଭୟ ପାର୍ଶ୍ୱରେ ପ୍ରସିଦ୍ଧ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିର ଓ ପୋଖରୀ ରହିଥିବାବେଳେ ନିକଟରେ ଏକ ପେଟ୍ରୋଲ ପମ୍ପ ମଧ୍ୟ ଅଛି। ଛାରିଛକ ଆଖପାଖରେ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଛି। ସେଥିପାଇଁ ଅଞ୍ଚଳବାସୀଙ୍କ ପାଇଁ ଏହି ଛକର ବେଶ୍ ମହତ୍ବ ରହିଛି। ହେଲେ ବିଡ଼ମ୍ବନାର ବିଷୟ ଯେ ଏଠାରେ ଏକ ଅଣ୍ଡରପାସ୍ ନିର୍ମାଣକୁ ଆଦୌ ଆଗ୍ରାଧିକାର ଦିଆଯାଉନାହିଁ।

ଅଣ୍ଡରପାସ୍ ନିର୍ମାଣ ପାଇଁ ଅତୀତରେ ସ୍ଥାନୀୟ ବଡ଼ପଦର ଗ୍ରାମବାସୀଙ୍କ ସହ ଚିଲିକା ବାଣପୁର ଆଞ୍ଚଳିକ ବିକାଶ ନାଗରିକ ପରିଷଦ ସଭାପତି ପ୍ରଦୋଷ କୁମାର ଦାସଙ୍କ ନେତୃତ୍ବରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତଥା‌ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରଶାସନିକ ସ୍ତରରେ ଲିଖିତ ଦାବି ଓ ନିବେଦନ କରାଯାଇଛି। ଏହାର ପ୍ରଭାବରେ ଗତ ୨ ବର୍ଷ ହେଲା ଏଠାରେ ଏକ ଅଣ୍ଡରପାସ୍‌ ନିର୍ମାଣ ପାଇଁ କାମ ଆରମ୍ଭ ହୋଇଥିଲା। ଏପରିକି ୧୬ ନମ୍ବର ଜାତୀୟ ରାଜପଥ ରାସ୍ତା ଓ ପାର୍ଶ୍ୱ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ସ୍ଥାନାଭାବ ଦୂରୀକରଣ ନିମନ୍ତେ ବଡ଼ପଦର ଗ୍ରାମବାସୀଙ୍କ ସହ ଆପୋଷ ବୁଝାମଣା ହୋଇଥିଲା। ଫଳରେ ନିକଟସ୍ଥ ଜଗତି ପାହାଡ଼ ସଂଲଗ୍ନ ବହୁ ପୂରାତନ ‘ମୁକ୍ତି ଚେତନା ପରିଷଦ ପାଠାଗାର’ ଶ୍ରୀ ଭାତୁଲେଶ୍ବର ମହାଦେବଙ୍କ ମନ୍ଦିର, ଶ୍ରୀ ଲୋକନାଥ କର ସ୍ମୃତି ମନ୍ଦିର, ଠାକୁରଙ୍କ ରୋଷଘର, ଆଦି ଅନ୍ୟାନ୍ୟ ନିର୍ମାଣକୁ ରାସ୍ତା ସଂପ୍ରସାରଣ ପାଇଁ ଏନ୍ ଏଚ୍ଆଇ କର୍ତ୍ତୁପକ୍ଷ ଭାଙ୍ଗି ଅଣ୍ଡରପାସ୍‌ ନିର୍ମାଣ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହାର ପରବର୍ତ୍ତୀ ନିର୍ମାଣ କାର୍ଯ୍ୟ ଆଗକୁ ନବଢ଼ାଇ ଏହାକୁ ଖୋଲା ମେଲା ପକାଇ ରଖିଲେ। ବିଭିନ୍ନ ଆଳ ଦେଖାଇ ନିର୍ମାଣ କାର୍ଯ୍ୟ ବିଳମ୍ବିତ କରି ଉକ୍ତ ସ୍ଥାନକୁ ଆହୁରି ବିପଦପୂର୍ଣ୍ଣ କରି ଦେଇଥିଲେ। ଫଳରେ ଏଠାରେ ପଡ଼ି ଅନେକ ଲୋକ ଆହତ ଓ ଅକର୍ମଣ୍ୟ ହେବା ସହ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ ବଡ଼ପଦର ଗ୍ରାମର ସ୍ବର୍ଗତ ବ୍ରଜ ପଲେଇଙ୍କ ଏକମାତ୍ର ପୁତ୍ର ମୋହନ ପଲେଇ(୨୫)। ଯାହା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି।

ଏହିଭଳି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏଣୁ ମରଣଯନ୍ତା ସାବ୍ୟସ୍ତ ହୋଇଆସୁଥିବା ସ୍ଥାନୀୟ ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକ ନିକଟରେ ପ୍ରସ୍ତାବିତ ଅଣ୍ଡରପାସ୍‌ ନିର୍ମାଣ ପାଇଁ ‘ ଚିଲିକା ବାଣପୁର ଆଞ୍ଚଳିକ ବିକାଶ ନାଗରିକ ପରିଷଦ’ ର ସଭାପତି ପ୍ରଦୋଷ କୁମାର ଦାସ ତଥା ବଡ଼ପଦର ଗ୍ରାମବାସୀଙ୍କ ପକ୍ଷରୁ ପୂର୍ବତନ ସଭାପତି ମକରଧ୍ବଜ ପଲାଇ, ସୁରେଶ କୁମାର ପଲାଇ, ବର୍ତ୍ତମାନ ସଭାପତି ଦଣ୍ଡପାଣି ବରାଳ, ରାମଚନ୍ଦ୍ର ମହାରଣା, ଦୟାନିଧି ପଲାଇ , ନାଚୁଣୀ ସରପଞ୍ଚଙ୍କ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପଲାଇ ପ୍ରମୁଖ ଦାବି ଦୋହରାଇଛନ୍ତି।

ସମ୍ବନ୍ଧିତ ଖବର