ବର୍ଷାଦିନ ପୂର୍ବରୁ ଜଗନ୍ନାଥ ସାଗର ପୁନରୁଦ୍ଧାରକୁ ନେଇ ଆଶା ଓ ଆଶଙ୍କା, ତୁରନ୍ତ ସାରିବାକୁ ଦାବି

ଜୟପୁର: ଜୟପୁର ସ୍ଥିତ ଐତିହାସିକ ଜଗନ୍ନାଥ ସାଗରର ପୁନରୁଦ୍ଧାର ଆରମ୍ଭ ହୋଇଛି। ସହରବାସୀଙ୍କ ଜୀବନରେଖା କୁହାଯାଉଥିବା ଏହି ଜଗନ୍ନାଥ ସାଗର ପାଇବ ନୂଆ ରୂପ । ପୋଖରୀ ପୁନରୁଦ୍ଧାର କରି ଆନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ଲେକ ମ୍ୟାନ ଅଫ ଇଣ୍ଡିଆ ଭାବେ ପରିଚିତ ବାଙ୍ଗାଲୁରୁର ଆନନ୍ଦ ମାଲ୍ଲିଗାଭାଡ ଏହାର ପୁନରୁଦ୍ଧାର କରିବେ ତେବେ ବର୍ଷାଦିନ ପୂର୍ବରୁ ଜଗନ୍ନାଥ ସାଗର ପୁନରୁଦ୍ଧାର ଶେଷ ହେବାକୁ ନେଇ ଜୟପୁରବାସୀଙ୍କ ମଧ୍ୟରେ ଆଶା ଓ ଆଶଙ୍କା ପ୍ରକାଶ ପାଇଛି । ଏହାସହ ବର୍ଷା ହେବା ପୂର୍ବରୁ ପୁନରୁଦ୍ଧାର କାମ ଶେଷ କରିବାକୁ ଦାବି ହୋଇଛି । ଖାସ୍ କରି ଏହାରି ଉପରେ ସଂପୁର୍ଣ୍ଣ ନିର୍ଭର ଥିବା ଧୋବା ଓ ମାଛ  ଧରି ବଂଚୁଥିବା ୩ଟି ସମବାୟ ସମିତିର ଶତାଧିକ ଲୋକେ ଚିନ୍ତା‌ରେ ପଡ଼ିଛନ୍ତି।

ଜୟପୁରର ଜଗନ୍ନାଥ ସାଗରର ପୁନରୁଦ୍ଧାର କରିବା ପାଇଁ ବିଭିନ୍ନ ସମୟରେ ଛୋଟ ଛୋଟ ପ୍ରୟାସ କରାଯାଇଥିଲେ ମଧ୍ୟ ସଫଳତା ମିଳିପାରିନାହିଁ । ଲେକ ମ୍ୟାନ ଅଫ ଇଣ୍ଡିଆ ଆନନ୍ଦ ମାଲ୍ଲିଗାଭାଡଙ୍କୁ ଗତ ଜୁଲାଇ ମାସରେ ସାଗର ଦେଖି ଦେଇଥିବା ଡିପିଆର ଅନୁଯାୟୀ  ରାଜ୍ୟ ସରକାରଙ୍କ ଦ୍ବାରା ଆମ ପୋଖରୀ ଯୋଜନାର ଘୋଷଣା କରାଯାଇଥିଲା। ରାଜ୍ୟ ସରକାର ଓ ସୁନାବେଡାସ୍ଥିତ ହାଲର ଆର୍ଥିକ ସହଯୋଗରେ ବର୍ତ୍ତମାନ ସାଗରର ଜଳ ନିଷ୍କାସନ କରି ପଙ୍କ କଢ଼ାଯିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ କହିଛନ୍ତି।

ତେବେ ଯେଉଁ ପରିମାଣର ବର୍ତ୍ତମାନ ଜେସିବି ଲଗାଯାଇ ମାଟି ଓଲଟପାଲଟ କରାଯାଉଛି ତାହାକୁ ବୃଦ୍ଧି କରିବାକୁ ପଡ଼ିବ ବୋଲି ମୋ ଜଗନ୍ନାଥ ସାଗର ବଂଚାଅ ଟ୍ରଷ୍ଟର ସତୀଶ ନନ୍ଦ, ରଘୁ ଦାସ ତ୍ରିପାଠୀ, ସ୍ବେଚ୍ଛାସେବୀ କୃଷ୍ଣ କେଶବ ଷଡଙ୍ଗୀ ପ୍ରମୁଖ ଦାବି କରିଛନ୍ତି। ପରୀକ୍ଷାମୂଳକ ଭାବେ ୮ଫୁଟ ଖୋଳିବା ପରେ ପାଣି ବାହାରିଥିବାରୁ ପାଣି ନ ବାହାରିବା ସଂଦେହ ନାହିଁ ବୋଲି କହିଛନ୍ତି କୃଷ୍ଣକେଶବ। ସାଗରକୁ ବଂଚାଇବାକୁ ପଡ଼ିବ। ତେଣୁ ସାଗରରେ ଥିବା ପଙ୍କ ଓ ମାଟିକୁ ସବୁକୁ ସଂପୁର୍ଣ୍ଣ ରୁପେ ବାହାର କରିବାକୁ ପଡ଼ିବ ବୋଲି ଏମାନେ କହିଛନ୍ତି। ଜଳନିଷ୍କାସନ ପରେ ପଙ୍କ ବାହାର କରିବା କାମ ଆରମ୍ଭ ହୋଇଛି। ପଙ୍କ ଓଲଟ ପାଲଟ କରାଯାଉଛି। ଏହି ପଙ୍କକୁ ଚାଷୀ ମାନେ ନିଜ ଜମିରେ ପକାଇଲେ ଜମିର ଉର୍ବରତା ବୃଦ୍ଧି ପାଇବ ବୋଲି କହିଛନ୍ତି ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଚାଷୀ ଚନ୍ଦନ ପଟ୍ଟନାୟକ। ତେଣୁ ଚାଷୀ ମାନେ ଏହି ଉଦ୍ଧାର ମାଟିକୁ ନିଜ ଜମିରେ ପକାଇବାକୁ ନେବାକୁ ପୌର ଅଧ୍ୟକ୍ଷ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

ଜଳାଶୟ ବିଭାଗର ଉପଦେଷ୍ଟା ଇଂ.ହାଡିବନ୍ଧୁ ବେହେରା ତରବରିଆ ଭାବେ କାମ ନ କରି ବର୍ଷା ମାସ ସରିବା ପରେ ବି କରାଯାଉ ବୋଲି ପରାମର୍ଶ ଦେଇଥି‌ବା କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ। ଏତେ ବଡ଼ ସାଗରର ସଂପୁର୍ଣ୍ଣ ପୁନଃରୁଦ୍ଧାର ପାଇଁ ଆବଶ୍ୟକ ସଂଖ୍ୟକ ଚେନ୍ ଲାଗିଥିବା ଜେସିବି, ପ୍ରୋକଲିନ୍ ପରି ଯନ୍ତ୍ରାଂଶ ନ ମିଳିବା ଯୋଗୁଁ କାମ ମନ୍ତର ହେଉଛି ବୋଲି କହିଛନ୍ତି ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ।

 

ସମ୍ବନ୍ଧିତ ଖବର